
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ଫଳାଫଳକୁ ନେଇ ଏବେ ପ୍ରମୁଖ ରାଜନୀତିକ ଦଳଗୁଡ଼ିକୁ ଆଶା ଓ ଆଶଙ୍କାରେ ପକାଇଥିବାବେଳେ ବିଜେଡି ନିଜର ‘ପ୍ଲାନ-ବି’ ପ୍ରସ୍ତୁତ କରୁଥିବା ଚର୍ଚ୍ଚା। ବିଜେପି ରାଜ୍ୟରେ ୫୦ରୁ ଅଧିକ ବିଧାନସଭା ଆସନ ଜିଣିବା ପାଇଁ ଦମ୍ଭୋକ୍ତି ବାଢ଼ୁଥିବାରୁ ବିଜେଡି ଏବେ କୁଆଡ଼େ ଅନ୍ୟ ଏକ ପ୍ରମୁଖ ରାଜନୀତିକ ଦଳ ଉପରେ ନଜର ପକାଇଛି। କଂଗ୍ରେସରୁ ଆସି ଏବେ ବିଜେଡିରେ ପ୍ରଭାବଶାଳୀ ପାଲଟିଥିବା ଜଣେ ନେତାଙ୍କ ମାଧ୍ୟମରେ କୁଆଡ଼େ ଏହି ‘ପ୍ଲାନ-ବି’କୁ ପ୍ରସ୍ତୁତ କରାଯାଉଛି।
ଶୁଣିବାକୁ ମିଳୁଛି, ଏହି ନେତାଜଣକ ମାଇନ୍ସ ଓ ଠିକାଦାରୀ କାରବାର ସହ ଜଡ଼ିତ ଥିବାରୁ କିଛି ବିଧାୟକଙ୍କୁ କିଣିବାକୁ କୁଆଡ଼େ ଯୋଜନା ଚାଲିଛି। ଏହି ନେତାଙ୍କୁ ବିଶ୍ୱାସକୁ ନେଇ ବିଜେଡି କୁଆଡ଼େ ହାୱଲା ମାଧ୍ୟମରେ ନିଜର ନିର୍ବାଚନୀ ପାଣ୍ଠି ପରିଚାଳନା କରିଥିଲା। ଏହି ନେତାଜଣକ ମଧ୍ୟ ମନ୍ତ୍ରୀ ହେବେ ବୋଲି ଏବେଠୁ ଦୃଢ଼ ଆଶାବାଦୀ ଅଛନ୍ତି। ନିଜର ପାରିବାପଣିଆ ଦେଖାଇବା ପାଇଁ କୁଆଡ଼େ ସେହି ରାଜନୀତିକ ଦଳର ଦୁଇ ତୃତୀୟାଂଶ ବିଧାୟକଙ୍କୁ କିଣିବାକୁ ସେ ‘ଥୋପ’ ପକାଇବା ଆରମ୍ଭ କରିଛନ୍ତି। ନିଜର ପୁରୁଣା ଦଳ ହୋଇଥିବାରୁ ତାଙ୍କୁ ଏଥିପାଇଁ କୁଆଡ଼େ ଏଜେନ୍ସୀ ବା ମଧ୍ୟସ୍ଥି ମଧ୍ୟ ମିଳିଯାଇଛନ୍ତି।
ମେ’ ୨୩ତାରିଖ ପରେ ଯଦି ବିଜେଡି ୧୦୦ରୁ କମ୍ ବିଧାନସଭା ସିଟ୍ ଆଣେ,ତା’ହେଲେ ‘ପ୍ଲାନ-ବି’କୁ ସବୁସମୟରେ ‘ରେଡି’ ରଖାଯିବ। ଯାହାଫଳରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ପୂର୍ବଭଳି ଯାହା ଚାହିଁବେ, ଖୁଲମଖୁଲା କରିପାରିବ। ବିଜେଡିର ଏହି ‘ପ୍ଲାନ-ବି’ ଯୋଗୁ ରାଜ୍ୟରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ସମ୍ପୃକ୍ତ ଦଳଗୁଡ଼ିକ ସବୁଦିନ ପାଇଁ ନିଜର ଅସ୍ତିତ୍ୱ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। କୁଆଡ଼େ ସେହି ଦଳର କିଛି ବରିଷ୍ଠ ନେତା ବି ଏବେ ବିଜେଡି ସହ ଯୋଗସୂତ୍ରରେ ରହିଛନ୍ତି। ବିଜେପିକୁ ଚେକ୍ ଦେବାର ବାହାନା ଦେଖାଇ ଏହି ନେତାମାନେ କୁଆଡ଼େ ଗୁପ୍ତ ବୁଝାମଣା ଆଧାରରେ ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ଚର୍ଚ୍ଚା।
from Odisha Reporter http://bit.ly/2JSiuB9
No comments:
Post a Comment