
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାଜ୍ୟପାଳ ଗଣେଶୀ ଲାଲ୍ଙ୍କୁ ଭେଟି ପୁଣି ଥରେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଏହା ସହିତ ସେ ୧୧୨ ଜଣ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।
ନବୀନ ରାଜ୍ୟପାଳଙ୍କୁ ଭେଟିବାକୁ ଯିବା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ନବୀନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ତାଙ୍କୁ ନେତା ରୂପେ ବାଛିବା ପାଇଁ ଦଳର ଅନ୍ୟତମ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତିକ୍ରମେ ଏହି ପ୍ରସ୍ତାବ ପାରିତ ହୋଇଥିଲା। ଏହା ପରେ ନବୀନ ସରକାର ଗଠନ କରିବା ଦାବି ନେଇ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲେ।
ମେ’ ୨୯ ତାରିଖରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବି ଶପଥ ନେବେ। ପ୍ରଥମ ଥର ପାଇଁ ସେ ରାଜଭବନ ବାହାରେ ଶପଥ ନେବେ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତେବେ ତାଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ମିଳିବ, ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। ବିଜୟୀ ହେବା ପରେ ଧନ୍ୟବାଦ ଜଣାଇବାକୁ ନବୀନ ନିବାସଙ୍କୁ ନବନିର୍ବାଚିତ ବିଧାୟକଙ୍କ ସୁଅ ଛୁଟୁଛି। ସେହି ଆଳରେ ମନ୍ତ୍ରୀ ପଦ ପାଇଁ ଲବି କରାଯାଉଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ନିର୍ବାଚନ ହୋଇଥିବା ୧୪୬ଟି ବିଧାନସଭା ଆସନରୁ ବିଜେଡି ୧୧୨ଟି ଆସନ ଜିତିଛି। ପାଟକୁରା ଆସନରେ ନିର୍ବାଚନ ହୋଇନାହିଁ।
from Odisha Reporter http://bit.ly/2VRvrxx
No comments:
Post a Comment