
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରିଛି ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ମେ ୨୩ରେ ବାହାରିବ ନିର୍ବାଚନ ଫଳାଫଳ। ତେବେ ଚଳିତ ନିର୍ବାଚନ ପ୍ରଚାର ଦେଶର ନିର୍ବାଚନୀ ଇତିହାସରେ ଅନେକ କ୍ଷେତ୍ରରେ ନୂଆ ବୋଲି ରାଜନୈତିକ ସୀମକ୍ଷକଙ୍କ ମତ। କାରଣ ଏଥର ପ୍ରଚାରରେ ଲୋକଙ୍କ ମୁଦ୍ଦା ଥିଲା କମ୍ । ଅନ୍ୟଅର୍ଥରେ କହିଲେ ପ୍ରଚାରର ଏକମାତ୍ର ପ୍ରସଙ୍ଗ ଥିଲେ ମୋଦି ।
ଦୀର୍ଘ ୫ ବର୍ଷ ସରକାରରେ ବିଜେପି ୧୩୩ଟି ଯୋଜନା ପ୍ରଣୟନ କରିଛି। ତେବେ ଜିଏସଟି, ବିମୁଦ୍ରୀକରଣ, ତିନି ତଲାକ, ନଗରିକତ୍ୱ ବିଲ୍ ଆଦି ପ୍ରସଙ୍ଗରେ ବିବାଦୀୟ ହୋଇଥିଲେ ମୋଦି । ଏପରିକି ସରକାର ପ୍ରତି ଲୋକଙ୍କ ଆକ୍ରୋଶ ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ନିର୍ବାଚନ ବେଳେ ଏହି ସବୁ ପ୍ରସଙ୍ଗକୁ ଲୋକେ ଗୁରୁତ୍ୱ ଦେଇନଥିବା ଦେଖିବାକୁ ମିଳିଛି। ଆକ୍ରୋଶ ଥିଲେ ମଧ୍ୟ ମୋଦିଙ୍କ ପ୍ରତି ଦେଶର ସମସ୍ତ ସ୍ଥାନରେ ଆକର୍ଷଣ ଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ବିରୋଧୀ କଂଗ୍ରେସ ପ୍ରତି ଲୋକଙ୍କ ଆକ୍ରୋଶ ନଥିବା ବେଳେ ଆକର୍ଷଣ ମଧ୍ୟ ନଥିଲା। କାରଣ ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଲାଗି ପଡ଼ିଥିଲେ ଏକ ମୋଦି ବିରୋଧୀ ମାହୋଲ ସୃଷ୍ଟି କରିବାରେ । ଏପରିକି ସେମାନେ ଲୋକଙ୍କ ପ୍ରସଙ୍ଗକୁ ବି ଜୋର ଦେଇନଥିଲେ।
କିଏ କେମିତି କଲେ ପ୍ରଚାର
ବିଜେପି: ୨୦୧୪ରେ ବିଜେପି ପାଖରେ ଅନେକ ପ୍ରସଙ୍ଗ ଥିଲା। ଏକ ଦୁର୍ନୀତି ମୁକ୍ତ ସରକାର, ବେରୋଜଗାର ହଟାଇବା, ମହଙ୍ଗା ମାଡ଼ ଆଦିକୁ ଅମୋଘ ଅସ୍ତ୍ର କରିଥିଲା। ହେଲେ ଚଳିତଥର ଏହାକୁ ନେଇ ବିଜେପି ସକରାତ୍ମକ ନଥିଲା। ବିଜେପି କେବଳ ତିନି-ଚାରିଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଥିଲା। କଂଗ୍ରେସର ‘ଚୌକିଦାର ଚୋର ହେ’ ନାରାରୁ ବର୍ତ୍ତିବା ପାଇଁ ରାଜୀବ ଗାନ୍ଧି, ଜବାହରଲାଲ ନେହେରୁ ପ୍ରସଙ୍ଗକୁ ସାମ୍ନାକୁ ଆଣିଥିଲା ବିଜେପି। ସେହିପରି ରାଷ୍ଟ୍ରବାଦର ନାରା ଦେଇ ପାକିସ୍ତାନ, ବାଲାକୋଟ, ପୁଲଓ୍ୱାମା ଆଦି ପ୍ରସଙ୍ଗକୁ ବିଜେପି ସମସ୍ତ ପ୍ରଚାରରେ ଉଜ୍ଜୀବିତ କରି ରଖିଥିଲା। ଏହାରି ଭିତରେ ବିଭିନ୍ନ ଆଞ୍ଚଳିକ ଦଳକୁ ସେଠିକାର ସ୍ଥାନୀୟ ପ୍ରସଙ୍ଗକୁ ନେଇ ବିଜେପି ନିର୍ବାଚନ ଲଢ଼ିଥିଲା।
କଂଗ୍ରେସ: କଂଗ୍ରେସ ପାଖରେ ବିଭିନ୍ନ ପ୍ରସଙ୍ଗ ରହିଥିଲେ ମଧ୍ୟ ବିଜେପିର ନାରାରେ ଭ୍ରମର ଶିକାର ହୋଇଥିବା ଦେଖିବାକୁ ମିଳିଛି। ବିମୁଦ୍ରୀକରଣ, ଜିଏସଟି, ବେରୋଜଗାର, ତିନି ତଲାକ ଆଦି ଅନେକ ପ୍ରସଙ୍ଗକୁ ନିଜ ନିର୍ବାଚନୀ ନାରାରେ ଏତେଟା ଗୁରୁତ୍ୱ ଦେଇ ନ ଥିଲା କଂଗ୍ରେସ। ‘କେବଳ ମୋଦିଙ୍କୁ ହଟାଇବା ଦରକାର’ ଏଇ ନାରା କଂଗ୍ରେସର ସମସ୍ତ ନିର୍ବାଚନୀ ରାଲିରେ ଶୁଣିବାକୁ ମିଳିଥିଲା। ଆଉ ଏହି କାରଣରୁ ଦଳ ଲୋକଙ୍କ ପାଖରେ ପହଞ୍ଚିବାରେ ସେତେଟା ସଫଳ ହୋଇ ପାରିଲା ନାହିଁ।
ଆଞ୍ଚଳିକ ଦଳ: ଏନଡିଓ ଓ ୟୁପିରେ ସାମିଲ ହୋଇନଥିବା ଦଳ ମଧ୍ୟରେ ପ୍ରମୁଖ ଥିଲେ ଓଡ଼ିଶାର ବିଜୁ ଜନତା ଦଳ, ଆନ୍ଧ୍ରପ୍ରଦେଶର ଓ୍ୱାଇଏସଆର କଂଗ୍ରେସ, ତେଲଗୁ ଦେଶମ ପାର୍ଟି, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ, ତେଲେଙ୍ଗାନାର ତେଲେଙ୍ଗାନା ରାଷ୍ଟ୍ର ସମିତି ଭଳି ଦଳ।
ବିଜେଡି, ଓ୍ୱାଇଏସଆର କଂଗ୍ରେସ ମୋଦି ହଟାଓ ସ୍ଲୋଗାନରେ ସାମିଲ ନହୋଇ ସମ ଦୂରତା ରକ୍ଷା କରିଛନ୍ତି। ଟିଡିପି, ଟିଏମସି ମୋଦି ହଟାଅ ଅଭିଯାନରେ ସାମିଲ ହୋଇଥିବା ବେଳେ ୟୁପିଏରେ ସାମିଲ ହେବା ଏକ ପ୍ରକାର ସ୍ପଷ୍ଟ ବୋଲି ଜଣାପଡ଼ିଛି।
ସେହିପରି ତେଲେଙ୍ଗାନାର ଶାସକ ଦଳ ମୋଦି ହଟାଅ ଅଭିଯାନରେ ସାମିଲ ହୋଇନଥିଲେ ମଧ୍ୟ ଆଞ୍ଚଳିକ ଦଳକୁ ନେଇ ୧୯୯୬ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।
ପ୍ରଚାରରେ ନକାରାତ୍ମକ ଚିନ୍ତାଧାରା
୨ ମାସରୁ ଅଧିକ ସମୟ ଧରି ଏହି ପ୍ରଚାର ଚାଲିଥିଲା। ହେଲେ ଏହି ପ୍ରଚାରରେ ଲୋକଙ୍କ ପାଇଁ ସେମିତି କିଛି ଆଶା ଓ ଆଶ୍ୱାସନା ରାଜନୈତିକ ଦଳ ପକ୍ଷରୁ ଦିଆଯାଇ ନାହିଁ। ଅନ୍ୟପକ୍ଷରେ ବିବାଦୀୟ ମନ୍ତବ୍ୟ, ପରସ୍ପର ପ୍ରତି ଆକ୍ଷେପ ବେଶି ଦେଖିବାକୁ ମିଳିଥିଲା ଏଥର ନିର୍ବାଚନ ପ୍ରଚାରରେ।
from Odisha Reporter http://bit.ly/2w4gnSN
No comments:
Post a Comment