
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ମାଡ଼ରେ ଘାଇଲା ହୋଇଛି ପୁରୀ। ଉଡ଼ିଯାଇଛି ଛାତ, ବିଚ୍ଛିନ୍ନ ହୋଇଯାଇଛି ବିଦ୍ୟୁତ ସେବା। ‘ଫୋନି’ ଧ୍ୱଂସ ଲୀଳାର ୧୨ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ବିଦ୍ୟୁତ ବ୍ୟବସ୍ଥା ସୁଧୁରିନି। ତେବେ ବାତ୍ୟା ବିଧ୍ୱସ୍ତ ପୁରୀ ଜିଲ୍ଲାରେ କେବେ ପହଞ୍ଚିବ ବିଜୁଳି? ଏହାର ଉତ୍ତର କାହାରି ପାଖରେ ନାହିଁ। ପୂର୍ବରୁ ବିଦ୍ୟୁତ ବିଭାଗ କହିଥିଲା ୧୨ ତାରିଖରୁ ବଡ଼ଦାଣ୍ଡରେ ଓ ୧୫ରୁ ପୁରୀ ସହରରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଯିବ। ହେଲେ କାମର ଅଗ୍ରଗତିକୁ ଦେଖିଲେ କାଲି ସୁଦ୍ଧା ଯେ ବଡ଼ଦାଣ୍ଡରେ ବିଦ୍ୟୁତ ପହଞ୍ଚିବ, ତାହା ଵିଶ୍ଵାସଯୋଗ୍ୟ ମନେ ହେଉନି।
ପୁରୀ ଜିଲ୍ଲା ହରିଶଙ୍କରପୁର ଅଞ୍ଚଳରେ ରାସ୍ତା କଡ଼ରେ ଶୋଇଛି ଶହ ଶହ ବିଦ୍ୟୁତ୍ ଖୁଣ୍ଟ। ଏଗୁଡିକ ସଳଖ କରିବା ଲାଗି କେତେ କର୍ମଚାରୀ ଓ କେତେ ଦିନ ଲାଗିବ, ତା’ର ଆକଳନ କରିବା ମୁସ୍କିଲ। ବାତ୍ୟା ଯିବାର ୧୨ ଦିନ ପରେ ମଧ୍ୟ ଏହି ଅଞ୍ଚଳରେ ପହଞ୍ଚି ନାହାନ୍ତି ବିଦ୍ୟୁତ୍ ବିଭାଗ କର୍ମଚାରୀ। ସେହିପରି ପଟ୍ଟନାୟକ ଛକରୁ ସୁଆଣ୍ଡୋକୁ ଯାଇଥିବା ରାସ୍ତାର ବଳପୁର ନିକଟରେ ମାଟିରେ ଲୋଟୁଛି ୩୩ କେଭିର ବିରାଟ ଟାଓ୍ୱାର।
ଏପଟେ ପୁରୀ ବଡ଼ଦାଣ୍ଡକୁ ବିଜୁଳି ଯୋଗାଣ ନେଇ ବି ଅନିଶ୍ଚିତତା ଦେଖାଦେଇଛି। କାରଣ ସହରକୁ ସଂଯୋଗ କରୁଥିବା ୯ଟି ୩୩ କେଭି ଟାଓ୍ୱାର କ୍ଷତିଗ୍ରସ୍ତ ହୋଇଛି। ଏଗୁଡିକର ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି। ଯଦି ଆଜି ଏହି କାମ ସରିଯାଏ ତେବେ ଆସନ୍ତାକାଲି ଭୂତଳ କେବୁଲ ଥିବା ଅଞ୍ଚଳରେ ଟେଷ୍ଟିଂ କରାଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ୧୧ କେଭି ଓ ଏଲ୍ଟି ଲାଇନ୍ ମରାମତି କାମ ମଧ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି। ପର୍ଯ୍ୟାୟ କ୍ରମେ ସହରକୁ ବିଜୁଳି ଯୋଗାଇ ଦିଆଯିବ ବୋଲି ସେସୁ କର୍ତ୍ତୃପକ୍ଷ କହିଛନ୍ତି।
from Odisha Reporter http://bit.ly/2Hkn7RC
No comments:
Post a Comment