
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ଓଡ଼ିଶା ଆଡ଼କୁ ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’। ସଦ୍ୟ ସୂଚନା ଅନୁଯାୟୀ, ଏହା ପୁରୀଠାରୁ ୩୬୦ କିମି ଦୂରରେ ରହିଛି ଏବଂ ଘଣ୍ଟାପ୍ରତି ୧୫ କିମି ବେଗରେ ଆଗେଇ ଆସୁଛି। ଆସନ୍ତାକାଲି ଦିନ ୧୨ଟା ପରେ ଯେକୌଣସି ମୁହୂର୍ତ୍ତରେ ଏହା ସ୍ଥଳଭାଗ ଛୁଇଁବ। ପୁରୀ ପାଖାପାଖି ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି। ଯାହା ଅନୁମାନ କରାଯାଉଛି, ‘ଫୋନି’ ସାତପଡ଼ା ନିକଟରେ ଲ୍ୟାଣ୍ଡଫଲ୍ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିମି ରହିବ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିମି ବି ହୋଇପାରେ।
‘ଫୋନି’ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ବି ଆରମ୍ଭ ହୋଇଗଲାଣି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତି ସହିତ ଭୁବନେଶ୍ୱରରେ ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି। ସେହିପରି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍, ବିଜୟନଗରମ୍ ଓ ବିଶାଖାପଟନମ୍ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି।
ଅନ୍ୟପକ୍ଷରେ ‘ଫୋନି’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ସକାଳ ସାଢ଼େ ୧୦ଟା ସୁଦ୍ଧା ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ୭ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯିବାକୁ ଉଦ୍ୟମ ଚାଲିଛି। ପୁରୀରୁ ପର୍ଯ୍ୟଟକମାନେ ବି ନିଜ ନିଜ ଘରକୁ ଫେରି ଯାଉଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ବସ୍ ଓ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି।
from Odisha Reporter http://bit.ly/2UWx9gu
No comments:
Post a Comment