ନୂଆଦିଲ୍ଲୀ: ୨୦ ବର୍ଷ ତଳେ ସେ ରାଜନୀତିକ ମହଲରେ ଏକ ଅଜଣା ନାଁ ଥିଲେ। କିନ୍ତୁ ଆଜି ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଜନ୍ମିତ ଧର୍ମେନ୍ଦ୍ର ପ୍ରଧାନ ଓରଫ ମୁକୁ ଭାବେ ଆଜି ଜାତୀୟ ରାଜନୀତିରେ ଏକ ଅତି ପରିଚିତ ନାଁ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଥରର ସରକାରରେ ପୁଣି କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ‘ଉଜ୍ଜ୍ୱଳା ହିରୋ’ ଧର୍ମେନ୍ଦ୍ର। ଧର୍ମେନ୍ଦ୍ର ୨୦୦୦ ମସିହାରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହେବା ପରେ ବିଜେପି-ବିଜେଡି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନେତୃତ୍ୱ ପ୍ରତି ଧର୍ମେନ୍ଦ୍ର ଏକ ବିପଦ ବୋଲି କହିଥିବା ଚର୍ଚ୍ଚା ହୁଏ। ନିଜେ ନବୀନ ହିଁ ଏହା ସ୍ୱୀକାର କରିଥିବା ନିକଟରେ ଏକ ପୁସ୍ତକରେ ପ୍ରକାଶ ପାଇଛି ଏବଂ ଅନେକାଂଶରେ ଏହା ସତ୍ୟ ପ୍ରମାଣିତ ହୋଇଛି। ୨୦୧୪ ନିର୍ବାଚନ ପରେ ନବୀନଙ୍କ ବିପକ୍ଷରେ ବିକଳ୍ପ ଭାବରେ ଉଭା ହୋଇଥିବା ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ୨୦୧୯ ମସିହାରେ ଦଳ ପାଇଛି ଅପୂର୍ବ ସଫଳତା।
ଧର୍ମେନ୍ଦ୍ରଙ୍କ ବାପା ଦେବେନ୍ଦ୍ର ପ୍ରଧାନ ପୂର୍ବତନ ପ୍ରଧାନମନ୍ତ୍ରୀ ଅତଳବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ ସତ, କିନ୍ତୁ ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିଅରର ମୂଳଦୁଆ କିନ୍ତୁ ପକାଇଥିଲା ଏବିଭିପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ୨୬ ଜୁନ୍ ୧୯୬୯ ମସିହାରେ ତାଙ୍କର ଜନ୍ମ। ୧୯୮୩ ମସିହାରେ ସେ ଏବିଭିପି ସହ ଯୋଡ଼ି ହୋଇଥିଲେ। ୧୯୮୫ରେ ସେ ତାଳଚେର କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ ମସିହା ବେଳକୁ ସେ ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ହୋଇସାରିଥିଲେ। ସେ ୨୦୦୦ ମସିହାରୁ ୨୦୦୪ ମସିହା ଯାଏ ପାଲଲହଡ଼ା ଆସନରୁ ବିଧାୟକ ହୋଇଥିଲେ ଏବଂ ଏହାପରେ ୨୦୦୪ରୁ ୨୦୦୯ ଯାଏ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଭାବରେ ଦାୟିତ୍ୱ ତୁଲାଇସାରିଥିବା ଧର୍ମେନ୍ଦ୍ର ୨୦୧୨ ମସିହାରେ ବିହାରରୁ ରାଜ୍ୟସଭା ଯାଇଥିଲେ। ୨୦୧୪ ମସିହାରେ ମୋଦି ହାୱାରେ ବିଜେପି କେନ୍ଦ୍ରରେ ସରକାର କରିବା ପରେ ତାଙ୍କୁଅତି ଗୁରୁତ୍ଵପୂର୍ଣ୍ଣ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଦିଆଯାଇଥିଲା। ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ସେ କ୍ୟାବିନେଟ୍ ପାହ୍ୟାକୁ ଉନ୍ନୀତ ହୋଇଥିଲେ ଏବଂ କୌଶଳ ବିକାଶ ବିଭାଗ ମଧ୍ୟ ପାଇଥିଲେ।
ଗତ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ୁଥିଲା ବିଜେପି। ଆଉ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ପାଇଁ ବିଜେପି ଓ ଧର୍ମେନ୍ଦ୍ର ଏକ ଦୃଢ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।୨୦୧୪ରେ ବିଜେପି ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିଲା। ଏଥର ଏହାର ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସେହିଭଳି ଦଳର ଭୋଟ୍ ଶେୟାର ୨୧.୮୮ରୁ ୩୮.୪କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଶାସକ ବିଜେଡିର ଭୋଟ୍ ଭାଗ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ହ୍ରାସ ପାଇଛି।
ଧର୍ମେନ୍ଦ୍ର ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆନ୍ଥ୍ରୋପୋଲୋଜିରେ ଏମ୍ଏ କରିଛନ୍ତି। ଦିନେ ତାଙ୍କର ଏବିଭିପି ସାଥୀ ଥିବା ମୃଦୁଳା ଠାକୁରଙ୍କୁ ସେ ୧୯୯୮ ମସିହାରେ ବିବାହ କରିଥିଲେ। ତାଙ୍କର ନୈମିଶା ଏବଂ ନିଶାନ୍ତ ନାମରେ ଝିଅ ଏବଂ ପୁଅ ଅଛନ୍ତି।
from Odisha Reporter http://bit.ly/2QAjdrO
No comments:
Post a Comment