
ଆମେଠି (ଉତ୍ତର ପ୍ରଦେଶ): କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ହରାଇ କଂଗ୍ରେସ ଗଡ଼ ‘ଆମେଠି’ରେ ପଦ୍ମ ପତାକା ଉଡ଼ାଇଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ସୁରେନ୍ଦ୍ର ସିଂହ। ସେ ହେଉଛନ୍ତି ଆମେଠିର ବରୌଲିଆ ଗାଁର ପୂର୍ବତନ ମୁଖିଆ।
ଗତକାଲି ବିଳମ୍ବିତ ରାତିରେ ସୁରେନ୍ଦ୍ର ତାଙ୍କ ଘର ବାହାରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆମେଠି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ପଠାଯାଇଥିଲା। ତେବେ ସେଠାକୁ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ବରୌଲିଆ ଗାଁ ସହିତ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପୁଲିସ୍ ଏ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି। ପୁଲିସ୍ର କହିବା ଅନୁଯାୟୀ, ଦୁର୍ବୃତ୍ତମାନେ ବାଇକ୍ରେ ଆସିଥିଲେ।
ନିର୍ବାଚନ ବେଳେ ସ୍ମୃତି ଇରାନୀଙ୍କ ପ୍ରଚାରରେ ସୁରେନ୍ଦ୍ର ବଡ଼ ଭୂମିକା ଗ୍ରହଣ କରିଥିଲେ। କେବଳ ବରୌଲିଆ ନୁହେଁ, ଆଖପାଖ ଅନେକ ଗାଁରେ ସୁରେନ୍ଦ୍ରଙ୍କର ଭଲ ପ୍ରଭାବ ରହିଥିଲା। କୁହାଯାଉଛି, ସୁରେନ୍ଦ୍ରଙ୍କ ଏହି ପ୍ରଭାବର ଫାଇଦା ସ୍ମୃତିଙ୍କୁ ଭୋଟ୍ ଆକାରରେ ମିଳିଥିଲା।
ସୂଚନାଯୋଗ୍ୟ, ଆମେଠି ଲୋକସଭା ଆସନରେ ଏହା ପୂର୍ବରୁ (ଚଳିତ ନିର୍ବାଚନକୁ ଛାଡ଼ି) ୧୬ଟି ନିର୍ବାଚନ ଓ ୨ଟି ଉପ-ନିର୍ବାଚନ ହୋଇଛି। ଏଥିରୁ କଂଗ୍ରେସ ୧୬ ଥର ବିଜୟୀ ହୋଇଛି। ୧୯୭୭ରେ ଲୋକଦଳ ଓ ୧୯୯୮ରେ ବିଜେପି ପ୍ରାର୍ଥୀ ଏଠାରୁ ବିଜୟୀ ହୋଇଥିଲେ। କଂଗ୍ରେସର ଦୁର୍ଗ ଭାବେ ଜଣାଣୁଣା ଏହି ଆସନରୁ ସଞ୍ଜୟ ଗାନ୍ଧି, ରାଜୀବ ଗାନ୍ଧି, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ପ୍ରମୁଖ ସାଂସଦ ହୋଇଥିଲେ।
from Odisha Reporter http://bit.ly/2WpmKPe
No comments:
Post a Comment