
ମୁମ୍ୱାଇ: ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ରାଜ କରି ପାରୁଥିବା ତାଙ୍କୁ ହସାଇ,କନ୍ଦାଇ ପାରୁଥିବା ବହୁ ସିନେ ତାରକା ଏଥର ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଓହ୍ଲାଇଥିଲେ। କିଏ ପାଇଲା ଲୋକଙ୍କ ଭଲପାଇବା ତ ଆଉ କାହାକୁ ପ୍ରତ୍ୟାଖାନ କଲେ ଭୋଟର। ବହୁ ପୁରୁଣା ଷ୍ଟାର ଏଥର ମାଟି କାମୁଡି ପଡିଥିବା ବେଳେ ବହୁ ଜଣ ରାଜନୀତିରେ ପାଦ ଦେଉଦେଉ ଜିତିଗଲେ ଲଟେରି। ଆସନ୍ତୁ ଜାଣିବା, ଏପରି କିଛି ତାରକାଙ୍କ ବିଷୟରେ ଯେଉଁମାନେ ଏଥର ନିର୍ବାଚନ ବୈତରଣୀ ପାର ହେବା ସହ ଚମକାଇ ପାରିଛନ୍ତି ନିଜ ଭାଗ୍ୟ।
ସନ୍ନି ଦେଓଲ
ବଡ ପରଦାରେ ବହୁ ଦଶନ୍ଧି ଧରି ରାଜ କରିଥିବା ସନ୍ନି ଦେଉଲ ଏଥର ବାପା, ଓ ସାବତ ମା’ ହେମାମାଲିନୀଙ୍କ ପରେ ରାଜନୀତି ମଇଦାନକୁ ଡେଇଁଥିଲେ। ନିର୍ବାଚନର କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ସନ୍ନି ପଞ୍ଜାବ ଗୁରୁଦାସପୁର ଆସନରୁ ଲଢିଥିଲେ। ଆଉ ପ୍ରଥମ ଥର ହିଁ ବିଜୟ ଟିକା ପିନ୍ଧିଛନ୍ତି ଏହି ଅଭିନେତା।

ହେମାମାଲିନୀ
ଡ୍ରିମ୍ ଗାର୍ଲ ହେମାମାଲିନୀ ରାଜନୀତିରେ ମଧ୍ୟ ବେଶ୍ ପାରଙ୍ଗମ। ପୂର୍ବରୁ ମଧ୍ୟ ବିଜେପି ଟିକେଟରୁ ସାଂସଦ ରହି ଆସିଥିବା ଏହି ଅଭିନେତ୍ରୀ ଏଥର ମଧ୍ୟ ମଥୁରା ଆସନରୁ ବହୁମତରେ ବିଜୟ ହାସଲ କରିଛନ୍ତି।

ରବି କିଶନ
ଭୋଜପୁରୀ ଫିଲ୍ମର ସୁପରଷ୍ଟାର ରବି କିଶନ ଯୋଗ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁର ସିଟ୍ରୁ ଭାଜପା ଟିକେଟରେ ଲଢୁଥିଲେ। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ କଡା ଟକ୍କର ସମ୍ମୁଖୀନ ହୋଇଥିଲେ ମଧ୍ୟ ନିଜ ଜିତ୍ ପକ୍କା କରି ପାରିଥିଲେ ଏହି ଭୋଜପୁରୀ ଅଭିନେତା।

ମନୋଜ ତିୱାରି
ଭାଜପା ତରଫରୁ ମନୋଜ ତିୱାରୀ ଉତ୍ତର- ପୂର୍ବ ଦିଲ୍ଲୀ ସିଟ୍ରୁ ଲଢୁଥିଲେ। ତାଙ୍କ ବିପକ୍ଷରେ ଥିଲେ କଂଗ୍ରେସର ହେଭିଓୱାଟ ନେତ୍ରୀ ଶିଲା ଦିକ୍ଷିତ। କଡା ଟକ୍କର ସତ୍ତ୍ୱେ ମନୋଜ ନିଜ ବିଜୟ ପକ୍କା କରି ପାରିଥିଲେ।

ବାବୁଲ ସୁପ୍ରିୟୋ
ବଲିଉଡ଼ ସିଙ୍ଗର ବାବୁଲ ସୁପ୍ରିୟୋ ୨୦୧୪ ମସିହାରେ ଭାଜପାରେ ମିଶିଥିଲେ। ଏହାପରେ ଭାଜପା ତରଫରୁ ତାଙ୍କୁ କେନ୍ଦ୍ରୀୟ ମନ୍ତ୍ରୀପଦ ଦିଆଯାଇଥିଲା। ଏଥର ସେ ଓସନସୋଲ ସିଟ୍ରୁ ନିର୍ବାଚନ ଲଢି ଟିଏମ୍ସିର ପ୍ରାର୍ଥୀ ତଥା ଖ୍ୟାତାନାମ ବଙ୍ଗାଳି ଅଭିନେତ୍ରୀ ମୁନମୁନ ସେନଙ୍କୁ ହରାଇ ଦେଇଛନ୍ତି।

ହଁସରାଜ ହଁସ
ବଲିଉଡ଼ରେ ଦିନେ ନିଜ କଣ୍ଠ ଯାଦୁରେ ସମସ୍ତଙ୍କୁ ମତୁଆଲା କରି ପାରିଥିବା ଏହି ସିଙ୍ଗର ଏଥର ପ୍ରଥମ ଥର ଲାଗି ମଇଦାନକୁ ଓହ୍ଲାଇଥିଲେ। ଭାଜପା ପକ୍ଷରୁ ତାଙ୍କୁ ଉତ୍ତର ପଶ୍ଚିମ ଦିଲ୍ଲୀ ସିଟ୍ରୁ ଛିଡା କରାଯାଇଥିଲା। ବହୁ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ହଁସରାଜ ପ୍ରଥମ ଥରରେ ହିଁ ହୋଇପାରିଛନ୍ତି ପାସ୍।

ନୁସରତ ଜହାଁ
ବଙ୍ଗାଳି ସିନେମାର ଲୋକପ୍ରିୟ ଅଭିନେତ୍ରୀ ନୁସରତ ଜହାଁ ବସିରହାଟ ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଛନ୍ତି। ଏଥିଲାଗି ତାଙ୍କୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ହେଲେ ସେ ବିପୁଳ ଭୋଟରେ ଜିତିଛନ୍ତି।

ମିମି ଚର୍କବର୍ତ୍ତୀ
ବଙ୍ଗାଳି ଫିଲ୍ମ ତଥା ଟେଲିଭିଜନ ଜଗତରେ ବେଶ୍ ସକ୍ରିୟ ଥିବା ମିମି ଚକ୍ରବର୍ତ୍ତୀ ଟିଏମ୍ସି ଟିକେଟରେ ଦକ୍ଷିଣ କଲିକତାର ଯାଧବପୁର ସିଟ୍ରୁ ନିର୍ବାଚନ ଲଢୁଥିଲେ। ସେ ଏହି ନିର୍ବାଚନ ଜିତି ମଧ୍ୟ ସାରିଛନ୍ତି।

କିରଣ ଖେର
ଭିନ୍ନ ଧରଣର ଅଭିନୟ ଲାଗି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବଲିଉଡ଼ ଅଭିନେତ୍ରୀ କିରଣ ଖେର ଚଣ୍ଡିଗଡ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହିସାବରେ ୨୦୧୪ ମସିହାରେ ନିର୍ବାଚନ ଲଢି ଜିତିଥିଲେ। ଏଥର ସେ ପୁନର୍ବାର ବିଜେପି ଟିକେଟରୁ ମଇଦାନକୁ ଓହ୍ଲାଇ ଜିତିଛନ୍ତି।

from Odisha Reporter http://bit.ly/2K1kOWx
No comments:
Post a Comment