ଆଜିଠୁ ଭାରତର ବିଶ୍ୱକପ୍ ଅଭିଯାନ ଆରମ୍ଭ; ଦକ୍ଷିଣ ଆଫ୍ରିକା ସହ ପ୍ରଥମ ମୁକାବିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ଆଜିଠୁ ଭାରତର ବିଶ୍ୱକପ୍ ଅଭିଯାନ ଆରମ୍ଭ; ଦକ୍ଷିଣ ଆଫ୍ରିକା ସହ ପ୍ରଥମ ମୁକାବିଲା

ସାଉଥାମ୍ପଟନ୍: ୧୦୦ କୋଟିରୁ ଅଧିକ ଦେଶବାସୀଙ୍କ ଆଶା ନେଇ ଇଂଲଣ୍ଡ ପହଞ୍ଚିଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଜିଠାରୁ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ୍ ଖେଳି ସାରିଥିବା ବେଳେ ଦୁଇଟି ଯାକରେ ପରାଜୟର ସମ୍ମୁଖୀନ ହୋଇଛି।

ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରିଗଣିତ ବିରାଟ କୋହଲିଙ୍କ ଅଧିନାୟକତ୍ୱର ଅସଲ ପରୀକ୍ଷା କ୍ରିକେଟର ଏହି ମହାକୁମ୍ଭରେ ହେବ। ଏଥର ଭାରତକୁ ବିଶ୍ୱକପର ଦୃଢ଼ ଦାବିଦାର କୁହାଯାଉଛି। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ ହାରିବା ପରେ ଭାରତର ବିଶ୍ୱକପ୍ ପ୍ରସ୍ତୁତି ଆରମ୍ଭ ହୋଇସାରିଥିଲା। ଇଂଲଣ୍ଡରେ ପହଞ୍ଚିବା ପରେ ଟିମ୍ ଇଣ୍ଡିଆକୁ ପ୍ରଚୁର ବିଶ୍ରାମ ମିଳିଛି। ବାକି ଟିମ୍ ଦୁଇଟି ଲେଖାଏ ମ୍ୟାଚ୍ ଖେଳିସାରିଥିବା ବେଳେ ଭାରତ ଆଜି ତା’ର ପ୍ରଥମ ମ୍ୟାଚ୍ ଖେଳିବ। କୌଣସି ଟିମ୍ ପାଇଁ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପ୍ରଥମ ମ୍ୟାଚ୍‌କୁ ଜିତି ଟିମ୍ ଇଣ୍ଡିଆ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ କରିବ।

ପ୍ରତିପକ୍ଷର ଦୁର୍ବଳତାରୁ ଫାଇଦା ଉଠାଇ ପାରିବ କି ଭାରତ?
ଲଗାତାର ଦୁଇଟି ମ୍ୟାଚ୍‌ରେ ହାରିବା ଫଳରେ ଦକ୍ଷିଣ ଆଫ୍ରିକାର ମନୋବଳ ହ୍ରାସ ପାଇଛି। ଦଳ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଓ ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶଠାରୁ ପରାସ୍ତ ହୋଇଛି।

ପରାଜୟ ଏବଂ ଆହତ ଦକ୍ଷିଣ ଆଫ୍ରିକା ପାଇଁ ମୁଖ୍ୟ ସମସ୍ୟା। ଟିମ୍‌ର ମୁଖ୍ୟ ପେସ୍ ବୋଲର ଡେଲ୍ ଷ୍ଟେନ୍ ଆହତ ଯୋଗୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ସେହିପରି ଅନ୍ୟତମ ପେସର ଲୁଙ୍ଗି ଏନଗିଡି ଆହତ ଯୋଗୁ ଆଜିର ମ୍ୟାଚ୍ ଖେଳିପାରିବେ ନାହିଁ। ହାଶିମ୍ ଆମଲାଙ୍କୁ ପ୍ରଥମ ମ୍ୟାଚ୍‌ରେ ଆଘାତ ଲାଗିଥିଲା। ଏସବୁ ସମସ୍ୟା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଭଳି ଟିମ୍‌କୂ ହାଲକା ଭାବେ ନେବା ଭାରତୀୟ ଟିମକୁ ମହଙ୍ଗା ପଡ଼ିପାରେ।
ସେହିପରି ଦଳର ବ୍ୟାଟିଂକ୍ରମରେ ଏବି ଡି’ଭିଲିୟର୍ସଙ୍କ ଅନୁପସ୍ଥିତି ଅନୁଭୂତ ହେଉଛି। ସ୍ପିନରଙ୍କ ବିରୋଧରେ ଟିମ୍‌ର ବ୍ୟାଟ୍ସମ୍ୟାନ୍ ଫେଲ୍ ମାରୁଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ସ୍ପିନରଙ୍କ ୨୦ ଓଭର ଖେଳିବା ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟସାଧ୍ୟ ହେବ।

ପିଚ୍‌ର ସ୍ଥିତି ଓ ପାଣିପାଗ
ଏଠାକାର ପିଚରେ ଘାସ ନାହିଁ ଏବଂ ଏହା ବ୍ୟାଟ୍ସମ୍ୟାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଆଜି ମ୍ୟାଚ୍ ବେଳେ ବର୍ଷା ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯଦି ପାଗ ମେଘୁଆ ରହେ, ତା’ହେଲେ ପିଚ୍ ପେସ୍ ବୋଲରଙ୍କୁ ସୁହାଇବ।
ଭାରତ ପାଇଁ ଚିନ୍ତାର ବିଷୟ

ବିଶ୍ୱକପ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଦ୍ୱିତୀୟ ମୁକାବିଲାରେ ଭାରତ ବାଂଲାଦେଶକୁ ହରାଇ ଟ୍ରାକ୍‌କୁ ଫେରିଥିଲା। ଭାରତ ପାଇଁ ଚିନ୍ତାର ବିଷୟ ହେଉଛି ଓପନିଂ। ଦୁଇ ଓପ୍ନର ଶିଖର ଧୱନ୍ ଓ ରୋହିତ ଶର୍ମା ଫର୍ମରେ ନାହାନ୍ତି। ଏପରିକି ଦୁହେଁ ଅଭ୍ୟାସ ମ୍ୟାଚ୍‌ରେ ବିଫଳ ହୋଇଥିଲେ। ଲେଗ୍ ସ୍ପିନରଙ୍କ ବିରୋଧରେ ରୋହିତଙ୍କ ଦୁର୍ବଳତାର ଫାଇଦା ଦକ୍ଷିଣ ଆଫ୍ରିକା ଉଠାଇବାକୁ ଚାହିଁବ।

କିଏ କେଉଁ ସ୍ଥାନରେ ଖେଳିବେ?
ଚତୁର୍ଥ ସ୍ଥାନରେ ଲୋକେଶ ରାହୁଲ ଖେଳିପାରନ୍ତି। ରାହୁଲ ଓ ଧୋନି ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଶତକ ମାରିଥିଲେ। ଷଷ୍ଠ ସ୍ଥାନରେ କେଦାର ଯାଦବଙ୍କୁ ସୁଯୋଗ ମିଳିପାରେ। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ପସନ୍ଦ। ବୋଲିଂକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ରହିଛି। ଟିମରେ ତିନିଜଣ ସ୍ପେଶାଲିଷ୍ଟ ସ୍ପିନର୍ ଅଛନ୍ତି। ଗତ ଦୁଇବର୍ଷ ହେବ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଭାରତୀୟ ସ୍ପିନ୍ ସମ୍ଭାଳି ଆସୁଛନ୍ତି। କିନ୍ତୁ ଟିମ୍‌ରେ ଅତିରିକ୍ତ ସ୍ପିନର-ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜାଙ୍କ ସାମିଲ୍ ହେବା ଦ୍ୱାରା ବିରାଟ ଚିନ୍ତାରେ ପଡ଼ିଯାଇଛନ୍ତି।

ଜାଡେଜା ଦୁଇଟି ଯାକ ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ଜାଡେଜା ହେଉଛନ୍ତି ଟିମ୍‌ ଏକ ନମ୍ବର ଫିଲ୍ଡର। ତେଣୁ ଜାଡେଜା ଯଦି ଖେଳନ୍ତି, ତାହେଲେ ଚହଲ ଓ କୁଲଦୀପଙ୍କ ମଧ୍ୟରୁ ଜଣେ ବାଦ୍ ପଡ଼ିବେ। ପେସ୍ ବିଭାଗରେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍ରା ବିରାଟଙ୍କ ପ୍ରଥମ ପସନ୍ଦ । ତୃତୀୟ ପେସ୍ ବୋଲର ଭୂମିକା ହାର୍ଦ୍ଦିକ ତୁଲାଇବେ।

ଦୁଇ ଟିମ୍‌ର ସଦସ୍ୟ

ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧୱନ୍, ରୋହିତ୍ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା।

ଦକ୍ଷିଣ ଆଫ୍ରିକା: ଫାଫ୍ ଡ୍ୟୁପ୍ଲେସିସ୍ (ଅଧିନାୟକ), କ୍ୱିଣ୍ଟନ୍ ଡି’କକ୍ (ୱିକେଟକିପର), ଆଇଡେନ୍ ମର୍କରାମ, ହାଶିମ୍ ଆମଲା, ଜେପି ଡୁମିନି, ଡେଭିଡ୍ ମିଲର, କାଗିସୋ ରବାଡା, ଡ୍ୱେନ୍ ପ୍ରିଟୋରିୟସ, ଆଣ୍ଡିଲେ ଫେଲୁକୱାୟୋ, ତାବରେଜ୍ ଶାମସୀ, ଇମ୍ରାନ୍ ତାହିର୍, ଲୁଙ୍ଗି ଏନଗିଡି, କ୍ରିସ୍ ମୋରିସ୍, ରାସି ଭାନ୍ ଡର୍ ଡୁସେନ୍।



from Odisha Reporter http://bit.ly/2JXFhMB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages