ପାଟନା: ଏନଡିଏରେ ଅସନ୍ତୁଷ୍ଟ ଥିବା ପ୍ରସଙ୍ଗକୁ ବିହାରର ଜେଡିୟୁ ଯେତେ ଏଡାଇଲେ ମଧ୍ୟ ଲୁଚୁ ନାହିଁ। ବିଜେପିର କଟା ଘାରେ ପୁଣି ଚୂନ ମାରିଛି ସହଯୋଗୀ ଜେଡିୟୁ। ବିଜେପି ନେତୃତ୍ୱାଧୀନ ଏନଡିଏରେ ରହିଥିଲେ ମଧ୍ୟ ଆଗାମୀ ଦିନରେ ଟ୍ରିପିଲ ତଲାକ ବିଲକୁ ରାଜ୍ୟସଭାରେ ବିରୋଧ କରିବ ବୋଲି ଜେଡିୟୁ ଘୋଷଣା କରିଛି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ଟ୍ରିପିଲ ତଲାକ ବିଲକୁ ମଞ୍ଜୁରୀ ଦେଇଛି। ଏହାପର ଦିନ (ଗୁରୁବାର) ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ସଂସଦ ଅଧିବେଶନରେ ରାଜ୍ୟସଭାରେ ଏହି ବିଲକୁ ଜେଡିୟୁ ବିରୋଧ କରିବ।
ସୂଚନାଯୋଗ୍ୟ ଯେ, ରାଜ୍ୟସଭାରେ ବିଜେପିର ସଂଖ୍ୟା ବହୁତ କମ୍ ରହିଛି। ସହଯୋଗୀ ଶିବସେନା, ଜେଡିୟୁ ଆଦି ଦଳକୁ ନେଇ ରାଜ୍ୟସଭାରେ ବିଲ୍ ପାସ କରାଇବ ବୋଲି ମୋଦି ସରକାର ଆଶା ରଖିଛନ୍ତି। ମୋଦିଙ୍କ ପ୍ରଥମ ସରକାରରେ ବିଜେପିର ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିବାରୁ ବହୁ ଚର୍ଚ୍ଚିତ ଟ୍ରିପିଲ ତଲାକ ବିଲ୍ ପାରିତ ହୋଇପାରିନଥିଲା। ଫଳରେ ଟ୍ରିପିଲ ତଲାକ ବିଲ ଖାରଜ ହୋଇଯାଇଥିଲା। ୧୬ ତମ ଲୋକସଭା ଭାଙ୍ଗିଯାଇଛି। ତେଣୁ ୧୭ତମ ଲୋକସଭାରେ ପୁଣି ସଂସଦରେ ସରକାର ଟ୍ରିପିଲ ତଲାକ ବିଲ୍ ଆଗତ କରିବେ।
ନୀତୀଶ କୁମାର କହିଛନ୍ତି ପୂର୍ବରୁ ମଧ୍ୟ ରାଜ୍ୟସଭାରେ ଏହି ବିଲକୁ ଜେଡିୟୁ ବିରୋଧ କରିଛି। ଚଳିତ ସପ୍ତାହର ଆରମ୍ଭରେ ଜମ୍ମୁ କଶ୍ମୀରର ଅନେଛଦ ୩୭୦କୁ ହଟାଇବା, ସମାନ ନାଗରିକ ସଂହିତା ଲାଗୁ କରିବା ଏବଂ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ମାମଲା ପ୍ରସଙ୍ଗରେ ମତ ରଖିଥିଲେ ବିହାର ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଏହା ତାଙ୍କ ଦଳର ନିଜସ୍ୱ ମତ, ଜମ୍ମ କଶ୍ମୀରରୁ ଧାରା ୩୭୦ ହଟାଇବା ନେଇ ବିଜେପି ଯେଉଁ ନାରା ଦେଉଛି ତାହା ଉଚିତ ନୁହେଁ, ତେଣୁ ଜେଡିୟୁ ବିରୋଧ କରିଛି। ଏଥିସହ ସମାନ ନାଗରିକ ସଂହିତା କାହା ଉପରେ ଜୋର ଜବରଦସ୍ତି ଥୋପି ଦିଆ ନଯାଉ ଏବଂ ଅଯୋଧ୍ୟା ମାମଲାର ସମାଧାନ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଆଲୋଚନା ମାଧ୍ୟମରେ ସମାଧାନ ହେଉ ବୋଲି ସେ କହିଥିଲେ।
ସବୁଠୁ ବଡ଼ କଥା ହେଲେ ବିଜେପି ଧାରା ୩୭୦ ଏବଂ ସମାନ ସଂହିତା ସଂସଦରେ ପାରିତ କରିବ ବୋଲି ନାରା ନିର୍ବାଚନରେ ଲୋକଙ୍କୁ ପ୍ରତିଶୃତି ଦେଇଛି।
from Odisha Reporter http://bit.ly/2Rgals3
No comments:
Post a Comment