ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ। ଦଳ ଏଥିପାଇଁ ଗେହଲଟଙ୍କୁ ପ୍ରସ୍ତୁତ ରହିବାକୁ କହିଥିବା ସୂଚନା ରହିଛି। ତେବେ ଏ ନେଇ କଂଗ୍ରେସ ତରଫରୁ କିଛି ସୂଚନା ମିଳିନାହିଁ। ଆଗାମୀ ଦୁଇ ତିନି ଦିନ ମଧ୍ୟରେ କଂଗ୍ରେସ ଦଳର ନୂଆ ସଭାପତିଙ୍କ ନାମ ଘୋଷଣା କରିବ ବୋଲି ସୂଚନା ରହିଛି; ଯିଏକି ଗାନ୍ଧି ପରିବାରରୁ ନୁହେଁ।
ଗତକାଲି ରାହୁଲ ଗାନ୍ଧିଙ୍କୁ ଜନ୍ମଦିନ ଅବସରରେ ଭେଟି ଗେହଲଟ ଶୁଭେଛା ଜଣାଇଥିଲେ। ଦଳର ଅଧ୍ୟକ୍ଷ ରୁହନ୍ତୁ ବୋଲି ରାହୁଲଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଥିଲେ। ହେଲେ ରାହୁଲ ତାଙ୍କ ଜିଦରେ ଅଟଳ ରହିଥିବା ଜଣାପଡ଼ିଛି। ରାହୁଲଙ୍କ ମତରେ ଦଳର ଅଧ୍ୟକ୍ଷ ନୂଆ ହେବା ପରେ ଦଳ ଆଗକୁ ଯିବ। ତେଣୁ ଦଳର ଅଧ୍ୟକ୍ଷ ବଦଳିବା ଦରକାର।
ରାହୁଲ ଗାନ୍ଧି ଏହା ବି କହିଛନ୍ତି ଯେ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ନାମ ଦଳର ଅଧ୍ୟକ୍ଷ ପଦବୀ ପାଇଁ ଆଲୋଚନା ନହେଉ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ୱାର କଂଗ୍ରେସ ଦଳ ଉପରେ ବଂଶବାଦ ରାଜନୀତି ଅଭିଯୋଗ ଆଣୁଛନ୍ତି। ତେଣୁ ଗାନ୍ଧି ପରିବାର ବାହର ନେତା ଗେହଲଟଙ୍କୁ ଦାୟିତ୍ୱ ଦେଇ କଂଗ୍ରେସ ବଂଶବାଦ ରାଜନୀତିରୁ ଓହରିବା ପାଇଁ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି।
କାହିଁକି ଗେହଲଟ?
- ଦଳର ପୁରୁଣା ନେତା। ସଂଗଠନ ଚଳାଇବାରେ ଦକ୍ଷତା ସାଙ୍ଗକୁ ଅଭିଜ୍ଞତା ରହିଛି। ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନର ଦାୟିତ୍ୱ ନେବା ପରେ ଦଳ ଭଲ ପ୍ରଦର୍ଶନ କରିଛି।
- ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଭଲ ସମ୍ପର୍କ ରଖିଥିବାରୁ ଦଳ ଚଳାଇବାରେ ଅସୁବିଧା ହେବ ନାହିଁ ବୋଲି ଦଳର କୋର ଗ୍ରୁପ ଆଶା ରଖିଛି।
- ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ରହିଛି। ତେଣୁ ଗେହଲଟଙ୍କୁ ଦଳର ଅଧ୍ୟକ୍ଷ ପଦବୀ ଦେଇ ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ଚିନ୍ତା କରୁଛି। ଏହା କଲେ ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧନ ହୋଇପାରିବ ବୋଲି ଆକଳନ କରିଛି ଦଳ।
from Odisha Reporter http://bit.ly/2MZoCeb
No comments:
Post a Comment