କୋଲକାତା: ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଥମୁନାହିଁ। ଗତକାଲି ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଜଣ ବିଜେପି କର୍ମୀ ଓ ଜଣେ ଟିଏମସି କର୍ମୀ ହତ୍ୟାର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ଆଉ ଜଣେ ବିଜେପି କର୍ମୀର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ବିଜେପି କର୍ମୀ ନିଖୋଜ ଥିବା ବିଜେପି କହିଛି।
ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ନୟଜତ ଅଞ୍ଚଳରେ ତୃଣମୂଳ କଂଗ୍ରେସ ବୁଥ ସ୍ତରୀୟ ବୈଠକ କରୁଥିଲା। ସେଠାରେ ଉପସ୍ଥିତ ଥିବା ବିଜେପି ସମର୍ଥକଙ୍କ ସହ ତୃଣମୂଳ କଂଗ୍ରେସ କର୍ମୀଙ୍କର ବଚସା ହୋଇଥିଲା। ଏହାପରେ ବିବାଦ ଘନେଇବାରୁ ଉଭୟ ପକ୍ଷରୁ ଗୁଳି ଫୁଟିଥବା ଅଭିଯୋଗ ହୋଇଛି।
ପ୍ରଥମେ ତୃଣମୂଳ କଂଗ୍ରେସ କର୍ମୀ ଗୁଳି ଫୁଟାଇଥିବା ବିଜେପି କହିଥିବା ବେଳେ ଟିଏମସି କହିଛି ବିଜେପି କର୍ମୀ ପ୍ରଥମେ ପିସ୍ତଲ ଦେଖାଇଥିଲେ। ନୟଜତ ଅଞ୍ଚଳର କିଛି ଅଂଶ ବଶିରହାଟ ଲୋକସଭା ଓ ହଟଗଛ ଲୋକସଭା ଆସନ ଅଧୀନରେ ରହିଛି। ବଶିରହାଟରୁ ଟିଏମସି ପ୍ରାର୍ଥୀ ଚଳିତଥର ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ବେଳେ ହଟଗଛ ଆସନରୁ ବିଜେପି ପ୍ରାର୍ଥୀ ୧୪୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
୨୬ ବର୍ଷୀୟ ଟିଏମସି କର୍ମୀ କ୍ୟୁମ୍ ମୋଲହା ଗୁଳିର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ବିଜେପି କର୍ମୀ ପ୍ରଦୀପ ମଣ୍ଡଳ ଏବଂ ସୁକାନ୍ତ ମଣ୍ଡଳଙ୍କର ମୃତ୍ୟୁ ହୋଇଛି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ବାମ ଆଖିରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏହି ଘଟଣାରେ ପଶ୍ଚିମବଙ୍ଗ ବିଜେପିର ପ୍ରମୁଖ ନେତା ମୁକୁଲ ରୟ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ବିଜେପି ସଭାପତି ଅମିତ ଶାହ ଏହି ଘଟଣାରେ ରାଜ୍ୟ ବିଜେପିକୁ ଏକ ରିପୋର୍ଟ ମାଗିଥିବା ଜଣାପଡ଼ିଛି। ଟିଏମସି କର୍ମୀ ଘରେ ଭିତରେ ପଶି ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ସିପିଏମ କହିଛି।
ନିର୍ବାଚନ ପୂର୍ବରୁ ଓ ପରେ ଆଜି ଯାଏ ରାଜନୀତିକ ହିଂସାରେ ପଶ୍ଚିମବଙ୍ଗରେ ୫୪ ଜଣ ବିଜେପି କର୍ମୀ ହତ୍ୟାର ଶିକାର ହୋଇଥିବା ସୂଚନା ରହିଛି।
from Odisha Reporter http://bit.ly/31jcJCN
No comments:
Post a Comment