ପୁରୀ(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିରାଜିବେ ଚତୁର୍ଦ୍ଧା ମୂରତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ।
ବର୍ତ୍ତମାନ ଶ୍ରୀଜିଉଙ୍କ ଧାଡ଼ି ପହଣ୍ଡି ଚାଲିଛି। ଖବର ଲଖାଯିବା ସୁଦ୍ଧା ମହାପ୍ରଭୁ ବଳଭଦ୍ର ଓ ଚକ୍ରରାଜ ସୁଦର୍ଶନ ମଣ୍ଡପକୁ ବିଜେ କରିଛନ୍ତି।
ତିନି ଠାକୁର ସ୍ନାନ ବେଦୀରେ ପହଞ୍ଚିବା ପରେ ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ହେବ। ଏହା ସରିବା ପରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷସ୍ନାନ କରିବେ ମହାବାହୁ। ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ଅନୁଷ୍ଠିତ ହେବ। ଅନ୍ୟାନ୍ୟ ପୂଜାନୀତି ସରିବା ପରେ ଠାକୁରମାନଙ୍କୁ ହାତୀବେଶରେ ସଜ୍ଜିତ କରାଯିବ।
ହାତୀବେଶକୁ ଅତିନିକଟରୁ ଦର୍ଶନ କରିପାରିବେ ଭକ୍ତ। ଭକ୍ତମାନେ ଶ୍ରୀମନ୍ଦିର କୀର୍ତ୍ତନ ଚକଡ଼ା ଓ ଘୋଡ଼ା ଦ୍ୱାର ଦେଇ ସ୍ନାନମଣ୍ଡପକୁ ଆସିବେ ଓ ତୃତୀୟ ଦ୍ୱାର ଦେଇ ପ୍ରସ୍ଥାନ କରିବେ।
ଶ୍ରମନ୍ଦିର ନୀତି ନିର୍ଘଣ୍ଟ ମୁତାବକ ଆଜି ଦିନ ୧୧ଟାରୁ ୨ଟା ଭିତରେ ସ୍ନାନନୀତି ସମ୍ପନ୍ନ ହେବ। ସାଢ଼େ ୩ଟାରେ ଛେରାପହଁରା ପରେ ୪ରୁ ୫ଟା ମଧ୍ୟରେ ହାତୀବେଶ ଅନୁଷ୍ଠିତ ହେବ। ରାତି ସାଢ଼େ ଦଶଟାରୁ ଗୋଟାଏ ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଛି।
from Odisha Reporter http://bit.ly/2RlwK7d
No comments:
Post a Comment