ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ୍ ୩ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ୯ଟି କଲେଜରେ କୌଣସି ପରୀକ୍ଷାର୍ଥୀ ପାସ୍ କରି ନଥିଲେ। ଏହି କଲେଜଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ୬ଟି କଲେଜରେ ନାମଲେଖା ଉପରେ ରୋକ୍ ଲଗାଯାଇଥିବା ବେଳେ ବାକି ୩ଟି କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ଯେଉଁ ୬ଟି କଲେଜକୁ ନାମଲେଖା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ସେଗୁଡ଼ିକ ମଧ୍ୟରୁ ୪ଟିରେ ଗତବର୍ଷଠାରୁ ନାମଲେଖା ବନ୍ଦ ରହିଛି। ଏହି ୪ କଲେଜ ସହିତ ବଲାଙ୍ଗିର ଜିଲ୍ଲା ବେଲପଡ଼ାର ଶ୍ରୀଜଗନ୍ନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ କେପିଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ନାମଲେଖା ଉପରେ ରୋକ୍ ଲଗାଯାଇଛି।
ପରୀକ୍ଷା ଫଳ ପ୍ରକାଶ ପାଇବ ଦିନ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ ସମୀକ୍ଷା କରାଯିବା ପରେ ଶୂନ ରେଜଲ୍ଟ ହୋଇଥିବା କଲେଜଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଯେଉଁ ୯ଟି କଲେଜରେ ଜଣେ ବି ହେଲେ ଛାତ୍ରଛାତ୍ରୀ ପାସ୍ କରି ପାରି ନଥିଲେ, ସେଥିମଧ୍ୟରେ ଭୁବନେଶ୍ୱରର ଦୁଇଟି କଲେଜ ରହିଛି। ସେଗୁଡ଼ିକ ହେଉଛି- ଏସଆରଏମଏସ୍ସି ହାଇସ୍କୁଲ ଓ ସହିଦନଗର ସ୍ଥିତ ନାନୋ ହାଇସ୍କୁଲ୍।
ସୂଚନାଯୋଗ୍ୟ, ଏଥର ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଛନ୍ତି। ଏଥର ପାସ୍ ହାର ୭୨.୩୩% ରହିଛି। ୨୦, ୮୦୬ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୩, ୯୦୪ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।
from Odisha Reporter http://bit.ly/2Is43RR
No comments:
Post a Comment