ଓଭାଲ୍: ଚଳିତ ବିଶ୍ୱକପ୍ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଐତିହାସିକ ଓଭାଲ୍ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ।
ପ୍ରଥମଥର ପାଇଁ ୫୦-ଓଭର୍ ବିଶ୍ୱକପ୍ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ରେ ବିରାଟ ବାହିନୀ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ନିଶ୍ଚୟ ପ୍ରୟାସ କରିବ।
ଭାରତ ତା’ର ପ୍ରଥମ ମ୍ୟାଚ୍ରେ ବିଶ୍ୱର ୩ ନଂ ରାଙ୍କରେ ଥିବା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ବୋଲିଂରେ କମାଲ କରିଥିଲେ ଚହଲ ଓ ବୁମ୍ରା। ଆଜି ମଧ୍ୟ ଏମାନଙ୍କ ଉପରେ ଟିମ୍ ଇଣ୍ଡିଆ ଅଧିକ ଭରସା ରଖିବ।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚ୍ ଖେଳି ସାରିଛି ଓ ଉଭୟରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍ରେ ଦଳ ଆଫ୍ଗାନିସ୍ତାନକୁ ଏକ ପାଖିଆ ଭାବେ ପରାସ୍ତ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ସହ ଲଢ଼େଇ କରି ପୂରା ପଏଣ୍ଟ ହାସଲ କରିଥିଲା।
ୱାର୍ଣ୍ଣର ଓ ସ୍ମିଥ୍ଙ୍କ କମ୍ବ୍ୟାକ୍ ପରେ ଶକ୍ତିଶାଳୀ ହୋଇଛି ଦଳ
ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଦୁର୍ବଳ ସ୍ଥିତିରେ ଥିଲା। ହେଲେ ଏବେ ଦଳକୁ ଦୁଇ ଷ୍ଟାର ଖେଳାଳି ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥଙ୍କ କମ୍ବ୍ୟାକ୍ କରିଛନ୍ତି। ଅଷ୍ଟ୍ରେଲିଆର ମଧ୍ୟକ୍ରମ ମଧ୍ୟ ବେଶ୍ ଶକ୍ତିଶାଳୀ। ଦଳରେ ଉସମାନ ଖ୍ୱାଜା, ମାର୍କସ ଷ୍ଟୋଇନିସ୍ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ୍ ମ୍ୟାକ୍ସୱେଲ୍ ଅଛନ୍ତି। ସେହିପରି ନେଥନ କୁଲଟରନାଇଲ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ରେ ବିସ୍ଫୋରକ ୯୨ ରନ୍ର ଇନିଂସ୍ ଖେଳିଥିଲେ। କେବଳ ଅଧିନାୟକ ଆରୋନ ଫିଞ୍ଚ ଫର୍ମରେ ନାହାନ୍ତି।
ଅଷ୍ଟ୍ରେଲିଆର ବୋଲିଂ ବିଭାଗ ସବୁଠାରୁ ଶକ୍ତିଶାଳୀ। ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ ଓ କୁଲଟରନାଇଲ୍ ଯେ କୌଣସି ଟିମ୍ର ମେରୁଦଣ୍ଡ ଭାଙ୍ଗିବାକୁ ସକ୍ଷମ। ସେହିପରି ସ୍ପିନ୍ ବୋଲର ଭାବେ ଆଡାମ ଜାମ୍ପା ରହିଛନ୍ତି। ତାଙ୍କୁ ଗ୍ଲେନ୍ ମ୍ୟାକ୍ସୱେଲ୍ ସହଯୋଗ କରିବେ। କହିବାକୁ ଗଲେ ଅଷ୍ଟ୍ରେଲିଆ ଏକ ସନ୍ତୁଳିତ ଟିମ୍।
କୋହଲି କ୍ଲିକ୍ କରିବା ଆବଶ୍ୟକ
ଟିମ୍ ଇଣ୍ଡିଆର ଓପନର ଶିଖର ଧୱନ ଅଭ୍ୟାସ ମ୍ୟାଚ୍ରୁ ହିଁ ଫ୍ଲପ୍ ହୋଇ ଆସୁଛନ୍ତି। ବିରାଟ୍ କୋହଲି ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ୧୮ ରନ୍ କରିଥିଲେ। ତେବେ ଗୋଟିଏ ମ୍ୟାଚ୍କୁ ନେଇ ତାଙ୍କ ଉପରୁ ଆଶା ହରାଇ ହେବ ନାହିଁ। ଆଜି ସେ ତାଙ୍କ ବ୍ୟାଟିଂର ଯାଦୁ ଦେଖାଇବା ଆବଶ୍ୟକ। ତାଙ୍କ ସହିତ ଦଳର ବ୍ୟାଟିଂ ଦାୟିତ୍ୱ ରୋହିତ ଶର୍ମା, କେଏଲ ରାହୁଲ ଏବଂ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ନିର୍ଭର କରିବ। ହାର୍ଦ୍ଦିକ ପାଣ୍ଡ୍ୟା ୭ ନଂରେ କେମିତି ବ୍ୟାଟିଂ କରିବେ, ତା’ ଉପରେ ବି ରହିବ ନଜର।
ବୋଲିଂ ହିଁ ଭାରତର ବଳ କହିଲେ ଚଳେ। କାରଣ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଟିମ୍କୁ ବାନ୍ଧି ରଖିବାକୁ ହେଲେ ବୁମ୍ରାଙ୍କ ସହ ଅନ୍ୟ ବୋଲରମାନଙ୍କୁ ସହଯୋଗ କରିବାକୁ ପଡ଼ିବ। ଚହଲ-କୁଲଦୀପ ଗତ ମ୍ୟାଚ୍ରେ ମୋଟ ପାଞ୍ଚଟି ୱିକେଟ୍ ନେଇଥିଲେ ହେଁ ୫୦ରୁ ଅଧିକ ରନ୍ ବ୍ୟୟ କରିଥିଲେ। ଭୁବନେଶ୍ୱର କୁମାର ଏଯାଏ ନିଜର ଯାଦୁ ଦେଖାଇ ନାହାନ୍ତି। ତେଣୁ ଓଭାଲ ଭଳି ପିଚ୍ରେ ଭାରତ ଦୁଇ ସ୍ପିନରଙ୍କୁ ନେବ ନା ଆଉ ଜଣେ ଦ୍ରୁତ ବୋଲରଙ୍କୁ ଖେଳାଇବ, ତାହା ଆଜି ଜଣାପଡ଼ିବ।
ଅଷ୍ଟ୍ରେଲିଆ ସପକ୍ଷରେ ରେକର୍ଡ
ବିଶ୍ୱକପ୍ରେ ସର୍ବଦା ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ୍ ରୋମାଞ୍ଚକର ରହି ଆସିଛି। ହେଲେ ରେକର୍ଡ ଦେଖିଲେ ଭାରତ ଅପେକ୍ଷା ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଅଧିକ ମ୍ୟାଚ୍ ଜିତିଛି। ଦୁଇ ଦେଶ ପରସ୍ପରକୁ ୧୧ଥର ଭେଟିଥିବା ବେଳେ ଅଷ୍ଟ୍ରେଲିଆ ୮ଥର ବିଜୟୀ ହୋଇଛି।
କ୍ରିକେଟ୍ ଇତିହାସରେ ସବୁଠାରୁ ସଫଳ ଟିମ୍ ଅଷ୍ଟ୍ରେଲିଆ ୧୯୯୯ରୁ ୨୦୦୭ ପର୍ଯ୍ୟନ୍ତ ଲଗାତାର ତିନିଥର ଟାଇଟଲ୍ ଜିତିଥିଲା। ଲଗାତାର ତିନିଥର ଚାମ୍ପିଅନ୍ ହେବା ଏକ ଅଭୂତପୂର୍ବ ଉପଲବ୍ଧି। ୧୯୮୭ରେ ଅଷ୍ଟ୍ରେଲିଆ ପ୍ରଥମଥର ବିଶ୍ୱ ଚାମ୍ପିୟନ୍ ହୋଇଥିଲା। ତେଣୁ ଭାରତ ଏହି ଦଳକୁ କେମିତି ମୁକାବିଲା କରିବ, ତା’ ଉପରେ ସମସ୍ତଙ୍କ ନଜର।
ଭାରତର ସାମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଶିଖର ଧୱନ୍, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ଆରୋନ୍ ଫିଞ୍ଚ୍ (ଅଧିନାୟକ), ଡେଭିଡ୍ ୱାର୍ଣ୍ଣର, ଉସମାନ୍ ଖ୍ୱାଜା, ଷ୍ଟିଭ୍ ସ୍ମିଥ୍, ଆଲେକ୍ସ କ୍ୟାରି, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ୍ ଷ୍ଟୋଇନିସ୍, ମିଚେଲ୍ ଷ୍ଟାର୍କ, ନେଥନ୍ କୁଲ୍ଟର-ନାଇଲ୍, ପ୍ୟାଟ୍ କମିନ୍ସ ଓ ଆଡାମ ଜାମ୍ପା।
from Odisha Reporter http://bit.ly/31gQEVq
No comments:
Post a Comment