ନୀଳଗିରି(ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ହେବା ପରେ ପ୍ରତାପ ଷଡ଼ଙ୍ଗୀ ଗତକାଲି ତାଙ୍କ ପିଲା ଦିନର ଗୁରୁ ତଥା ରାଜନୀତିରେ ପଥ ପ୍ରଦର୍ଶକ ତ୍ରିଲୋଚନ ସାହୁଙ୍କୁ ଭେଟିଥିଲେ। ସେ ତାଙ୍କ ଗୁରୁଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ। ଏହି ଅବସରରେ ଗୁରୁ ତ୍ରିଲୋଚନ ସାହୁ ତାଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏକ କବିତା ପଢ଼ି ଶୁଣାଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀ ହେବା ପରେ ଗତକାଲି ପ୍ରତାପ ଷଡ଼ଙ୍ଗୀ ପ୍ରଥମ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ବାଲେଶ୍ୱର ଗସ୍ତରେ ଆସିଥିଲେ। ଏଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱରର କୁରୁଡ଼ା ନିକଟରେ ପହଞ୍ଚିବା ପରେ ସଦର ବିଧାୟକ ମଦନ ମୋହନ ଦତ୍ତ ଓ ବିଜେପି କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ତାଙ୍କୁ ଗାନ୍ଧିସ୍ମୃତି ଭବନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବଡ଼ସାହି ଓ ନୀଳଗିରି ବିଧାୟକ ମଧ୍ୟ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ବାଲେଶ୍ୱରବାସୀ ତାଙ୍କୁ ଜିତାଇଥିବାରୁ ଶ୍ରୀଷଡ଼ଙ୍ଗୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ନିଜ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିବା ଅବସରରେ ସେ କହିଥିଲେ,“ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱରରେ ପଥର ଶିଳ୍ପର ବିପୁଳ ସୁଯୋଗ ରହିଛି। ଏହାସହ ବାଲେଶ୍ୱରରେ ବୟନ ଶିଳ୍ପର ମଧ୍ୟ ବ୍ୟାପକ ସୁଯୋଗ ରହିଛି। ଯଦି ଆମେ ଖଦି ଓ ଗ୍ରାମ ଉଦ୍ୟୋଗକୁ ଆଗକୁ ନେଇପାରିବା, ତା’ହେଲେ ଆମ ମା’ଭଉଣୀଙ୍କୁ ରୋଜଗାରର ଏଭ ଭଲ ବାଟ ମିଳିଯିବ।”
ସୂଚନାଯୋଗ୍ୟ, ପ୍ରତାପ ଷଡ଼ଙ୍ଗୀଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ତାଙ୍କୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ସହିତ ପ୍ରାଣୀ ଓ ମତ୍ସ୍ୟ ସଂପଦ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଛି।
from Odisha Reporter http://bit.ly/2XAkthr
No comments:
Post a Comment