ଏହି ସାତଟି ଅଭ୍ୟାସ ମଣିଷକୁ ଦୁଃଖୀ କରିଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 21, 2019

ଏହି ସାତଟି ଅଭ୍ୟାସ ମଣିଷକୁ ଦୁଃଖୀ କରିଥାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୀବନରେ କିଛି ନା କିଛି କାରଣ ପାଇଁ ମଣିଷ ଦୁଃଖୀ ହୋଇଥାଏ। ତେବେ ଜାଣନ୍ତି, ଅନେକ ସମୟରେ ଆମର ଚିନ୍ତାଧାରା, ବ୍ୟବହାର ଓ କିଛି ଅଭ୍ୟାସ ଆମ ଦୁଃଖର କାରଣ ପାଲଟି ଥାଏ। ମନୋବିଜ୍ଞାନୀଙ୍କ ମତରେ ଯଦି ଜଣେ ଏସବୁଥିରୁ ନିଜକୁ ଦୂରେଇ ରଖିପାରିବ, ତା’ହେଲେ ସେ ଖୁସିରେ ରହିପାରିବ।

ଆସନ୍ତୁ ସେପରି କିଛି ଅଭ୍ୟାସ ବିଷୟରେ ଜାଣିବା ଯେଉଁ କାରଣରୁ ଆପଣଙ୍କ ଜୀବନ ଦୁଃଖପୂର୍ଣ୍ଣ ହୋଇଥାଏ। ତା’ସହିତ ସେହି ଅଭ୍ୟାସଗୁଡ଼ିକୁ ନିଜଠାରୁ କିପରି ଦୂରେଇ ରଖିବେ, ତା’ର ଉପାୟଗୁଡ଼ିକ ବିଷୟରେ ବି ଜାଣି ନିଅନ୍ତୁ।

୧. ନକାରାତ୍ମକ ବିଚାର ବା ଚିନ୍ତାଧାରା
ଆପଣ କେଉଁ ଭଳି ଲୋକଙ୍କ ସହିତ ରହୁଛନ୍ତି, କ’ଣ ପଢୁଛନ୍ତି, କ’ଣ ଦେଖୁଛନ୍ତି ଏବଂ କ’ଣ ଶୁଣୁଛନ୍ତି, ଏହା ଉପରେ ଧ୍ୟାନ ଦେବା ଜରୁରୀ। କାରଣ  ଆପଣଙ୍କ ବ୍ୟକ୍ତିତ୍ୱ ଓ ଭାବନା ଉପରେ ଏ ସବୁର ପ୍ରଭାବ ପଡ଼ିଥାଏ। ଏଥିପାଇଁ ସର୍ବପ୍ରଥମେ ଏହା ଉପରେ ଚିନ୍ତା କରନ୍ତୁ। ନକାରାତ୍ମକ ଭାବନା, ସଫଳ ହେବାର ସମସ୍ତ ସମ୍ଭାବନାକୁ ଶେଷ କରି ଦେଇଥାଏ। ଏଥିପାଇଁ ସର୍ବଦା ସକାରାତ୍ମକ ଚିନ୍ତା କରୁଥିବା ଲୋକଙ୍କ ସହିତ ରହିବା ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କୁ ପ୍ରେରଣା ଦେଉଥିବା ପୁସ୍ତକ ପଢ଼ନ୍ତୁ ଏବଂ ଭଲ ଗୀତ ଶୁଣନ୍ତୁ।

୨. ଜୀବନକୁ ଜଟିଳ କରିବାକୁ ଚେଷ୍ଟା କରନ୍ତୁ ନାହିଁ
ଜୀବନକୁ ଆଦୌ ଜଟିଳ କରନ୍ତୁ ନାହିଁ। ସବୁ କଥାକୁ ଗୁରୁତ୍ୱର ସହିତ ନିଅନ୍ତୁ ନାହିଁ। କିଛି କଥାକୁ ସଂପୂର୍ଣ୍ଣ ଏଡ଼ାଇ ଗଲେ, ତାହା ମାନସିକ ଅଶାନ୍ତି ଦିଅନ୍ତି ନାହିଁ। ଯଦି ଆପଣ ସବୁବେଳେ ଚିନ୍ତା କରିବେ ଯେ, ଆପଣଙ୍କ ଜୀବନରେ ସମସ୍ୟା ଭରି ରହିଛି, ତା’ହେଲେ ସେତେ ଅଧିକ ସମସ୍ୟା ଭିତରେ ଫସି ଯିବେ। ଏଭଳି ଚିନ୍ତା କେବଳ ଦୁଃଖ ହିଁ ଦେଇଥାଏ। ଜୀବନରେ ସମାସ୍ୟା ତ ରହିବ, କିନ୍ତୁ ଛୋଟମୋଟ ସମସ୍ୟାକୁ ନେଇ ଅଧିକ ଭାବିଲେ, ଖାଲି ଦୁଃଖ ବଢ଼ିବ।

୩. ଅତୀତ କିମ୍ୱା ଭବିଷ୍ୟତରେ ବଞ୍ଚିବା

ଅନେକ ଲୋକ ଅତୀତରେ ନେଇଥିବା ଭୁଲ୍ ନିଷ୍ପତ୍ତିକୁ ନେଇ ଚିନ୍ତିତ ରହନ୍ତି। କିନ୍ତୁ ଏହା ଠିକ୍ ନୁହେଁ। ପୁରୁଣା କଥା ଭାବିଲେ ସମୟ ନଷ୍ଟ ହୁଏ ଓ ଦୁଃଖ ବି ମିଳେ। ସେହିପରି ଆଉ କିଛି ଲୋକ ଭବିଷ୍ୟତ କଥା ଚିନ୍ତା କରି ଦୁଃଖୀ ହୋଇପଡ଼ନ୍ତି ବା ଚିନ୍ତିତ ରହନ୍ତି। ଏହା ବି ଠିକ୍ ନୁହେଁ। ତେଣୁ ଏସବୁଥିରୁ ଦୂରେଇ ରହିବାକୁ ନିଜକୁ କାର୍ଯ୍ୟବ୍ୟସ୍ତ ରଖନ୍ତୁ। ପରିବାର ସହ ସମୟ ବିତାଇବା ସହିତ ପଢ଼ାପଢ଼ି ଅବା ଅନ୍ୟମାନଙ୍କ ପାଇଁ ଉପକାରରେ ଆସୁଥିବା କିଛି କାର୍ଯ୍ୟ କରନ୍ତୁ। ଦେଖିବେ, ଆପଣ ଏସବୁ ଥିରେ ନିଶ୍ଚୟ ଆନନ୍ଦ ପାଇବେ। ବର୍ତ୍ତମାନରେ ଖୁସି ରହି ଆଗକୁ ବଢ଼ିବା ହିଁ ଜୀବନ।

୪. ଅନ୍ୟମାନେ ଆପଣଙ୍କ ବିଷୟରେ କ’ଣ ଚିନ୍ତା କରୁଛନ୍ତି, ତାକୁ ନେଇ ଚିନ୍ତିତ ରହିବା
ଅଧିକାଂଶ ଲୋକେ ଏହି କଥାକୁ ନେଇ ଚିନ୍ତିତ ରହନ୍ତି ଯେ, ଅନ୍ୟମାନେ ସେମାନଙ୍କ ବିଷୟରେ କ’ଣ ଚିନ୍ତା କରୁଛନ୍ତି। ମନେରଖନ୍ତୁ, ଏପରି କରି ଆପଣ ନିଜ ପାଇଁ ଅଧିକ ସମସ୍ୟା ତିଆରି କରନ୍ତି। ଏହା ଦ୍ୱାରା ଆପଣଙ୍କର ସମୟ ନଷ୍ଟ ହୁଏ ଓ ମାନସିକ ଅଶାନ୍ତି ବଢ଼େ। ତା’ସହିତ ଆପଣ କିଛି ନୂଆ ଚିନ୍ତା କରି ନିଜ ଦକ୍ଷତାର ପୂର୍ଣ୍ଣ ଉପଯୋଗରୁ ବି ବଞ୍ଚିତ ହୋଇଥା’ନ୍ତି। କେବଳ ଏତିକି ନୁହେଁ, ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିତ୍ୱକୁ ଦୁର୍ବଳ କରିଦିଏ ଓ ଆପଣ ଅନ୍ୟମାନଙ୍କ ସହିତ ମିଳାମିଶା କରିବାକୁ ସଙ୍କୋଚ କରନ୍ତି। ତେଣୁ ଅନ୍ୟମାନଙ୍କ ବିଷୟରେ ଚିନ୍ତା ନ କରି ନିଜ ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନ ବଢ଼ାଇବାକୁ ଚେଷ୍ଟା କରନ୍ତୁ।

୫.ସର୍ବଦା ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରିବା
କିଛି ଲୋକ ସବୁବେଳେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରି ଦେଖନ୍ତି ଓ ଦୁଃଖୀ ହୁଅନ୍ତି। ଏହି ଲୋକମାନେ ଅନ୍ୟର ଚାକିରି, ପୋଷାକ, ଘର, ଗାଡ଼ି ଓ ଲୋକପ୍ରିୟତା ସହିତ ନିଜକୁ ତୁଳନା କରି ଦୁଃଖୀ ରହନ୍ତି। ସତ କଥା ହେଉଛି, ଏସବୁ ଦ୍ୱାରା ସେମାନଙ୍କ ଆତ୍ମସମ୍ମାନ ନଷ୍ଟ ହୁଏ ଓ ସେମାନଙ୍କ ମଧ୍ୟରେ ନକାରାତ୍ମକ ବିଚାରଧାରା ବଢ଼େ।  ଏଥିରୁ ବାହାରିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି, ଆପଣ ନିଜକୁ ହିଁ ନିଜ ସହିତ ତୁଳନା କରନ୍ତୁ। ବିଗତ କିଛି ବର୍ଷ ମଧ୍ୟରେ ଆପଣ କେତେ ଉନ୍ନତି କରିଛନ୍ତି ଏବଂ କ’ଣ ହାସଲ କରିଛନ୍ତି, ତାକୁ ହିସାବ କରନ୍ତୁ। ତେବେ ଭୁଲ୍‌ରେ ଏଭଳି ତୁଳନା କରି ଦୁଃଖୀ ହୁଅନ୍ତୁ ନାହିଁ।

୬. ସମସ୍ୟାର ସମାଧାନ ନଖୋଜି କେବଳ ସମସ୍ୟା ବିଷୟରେ ଚିନ୍ତା କରିବା
କିଛି ଲୋକ ଅସୁବିଧା ସମୟରେ ଏହା ସମାଧାନ ବଦଳରେ କେବଳ ଉକ୍ତ ସମସ୍ୟା ବିଷୟରେ ଚିନ୍ତା କରିଥା’ନ୍ତି ଓ ଦୁଃଖୀ ହୁଅନ୍ତି। ତେଣୁ ସମସ୍ୟାର କାରଣ ଓ ଉତ୍ପତ୍ତି ବିଷୟରେ ଚିନ୍ତା ନ କରି କେମିତି ସେଥିରୁ ମୁକୁଳିବେ, ତାହା ଚିନ୍ତା କରିବା ଭଲ। ତା’ସହିତ ପରିବର୍ତ୍ତନକୁ ସ୍ୱୀକାର କରିବା ଶିଖନ୍ତୁ ଓ ସବୁଥିରୁ କିଛି ଶିକ୍ଷାଲାଭ କରିବାକୁ ଚେଷ୍ଟା କରନ୍ତୁ। ଭଲ ଓ ଖରାପ ଜୀବନର ଗୋଟିଏ ଗୋଟିଏ ଅଂଶ ବୋଲି ଭାବିନେଲେ ସମସ୍ୟାର ସମାଧାନ ବାଟ ପାଇପାରିବେ।

୭.ସବୁକାମକୁ ପରଫେକ୍ଟ କରିବାର ଇଚ୍ଛା
ମଣିଷ ଦୁଃଖୀ ହେବାର ଆଉ ଏକ ବଡ଼ କାରଣ ହେଉଛି, ସବୁକାମରେ ପର୍‌ଫେକସନ୍‌ ଖୋଜିବା। ସବୁ କାମ ଆପଣଙ୍କ ଭାବିଥିବା ଅନୁସାରେ ପରଫେକ୍ଟ ହେବ, ସେମିତି ସବୁବେଳେ ସମ୍ଭବ ନୁହେଁ। ସେହିପରି ସମସ୍ତଙ୍କ ନିକଟରେ ସବୁବେଳେ ଭଲ ହେବା ପାଇଁ ଚେଷ୍ଟା କଲେ ବି ଦୁଃଖୀ ହେବେ। ତେଣୁ ସେଭଳି ପ୍ରୟାସରୁ ବିରତ ରୁହନ୍ତୁ।



from Odisha Reporter https://ift.tt/2SvDOi1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages