ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଓ କଂଗ୍ରେସର ବିରୋଧ ସତ୍ତେ୍ୱ କେନ୍ଦ୍ର ସରକାର ‘ଦକ୍ଷିଣ ତଟ ରେଳବାଇ’(ଏସସିଓଆର) ଜୋନ୍ ଓ ପୂର୍ବତଟ ରେଳବାଇ ଅଧୀନରେ ଏକ ନୂଆ ଡିଭିଜନ ରାୟଗଡ଼ାରେ ସ୍ଥାପନ କରିବା ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ରାୟଗଡ଼ାରେ ନୂଆ ରେଳ ଡିଭିଜନ ଅଗଷ୍ଟ ୩୧ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏଥିପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତି ନିମନ୍ତେ ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜରଙ୍କୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।
ରେଳବାଇ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ସିଂହ ଆଜି ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି ରାୟଗଡ଼ାରେ ଏକ ନୂଆ ରେଳ ଡିଭିଜନ ସ୍ଥାପନ ପ୍ରସ୍ତାବକୁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି ଓ ଅଗଷ୍ଟ ୩୧ତାରିଖ ସୁଦ୍ଧା ଏହା କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି। ରାୟଗଡ଼ାରେ ନୂଆ ରେଳ ଡିଭିଜନକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଆବଶ୍ୟକ ମୋଡାଲିଟି ପ୍ରସ୍ତୁତ କରିବା ନିମନ୍ତେ ଜଣେ ନୋଡାଲ ଅଫିସର ଚୟନ କରିବାକୁ ସେ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଳ ମନ୍ତ୍ରଣାଳୟର ଚିଠି ଅନୁସାରେ ୱାଲଟିୟର ଡିଭିଜନର କିଛି ଅଂଶକୁ ବିଜୟୱାଡ଼ା ଡିଭିଜନ ସହ ମିଶାଇ ନୂଆ ରେଳବାଇ ଜୋନ୍ ‘ଦକ୍ଷିଣତଟ ରେଳବାଇ’ ଗଠନ କରାଯିବ। ଦକ୍ଷିଣତଟ ରେଳବାଇର ମୁଖ୍ୟାଳୟ ବିଶାଖାପାଟଣାରେ ରହିବ। ୱାଲଟିୟର ଡିଭିଜନର ଅବଶିଷ୍ଟ ଅଞ୍ଚଳକୁ ନେଇ ରାୟଗଡ଼ାରେ ପୂର୍ବତଟ ରେଳବାଇ ଜୋନ୍ ଅଧୀନରେ ଏକ ନୂଆ ଡିଭିଜନ ଗଠନ ହେବ। ଦକ୍ଷିଣତଟ ରେଳବାଇର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି)ଙ୍କୁ ଗତ ମାର୍ଚ୍ଚ ମାସରେ ନିଯୁକ୍ତି ଦିଆଯାଇଛି ଓ ନୂଆ ଜୋନର ଡିପିଆର ପ୍ରସ୍ତୁତି କାର୍ଯ୍ୟ ଏବେ ଜାରି ରହିଛି।
ସୂଚନାଯୋଗ୍ୟ, ୱାଲଟିୟର ଡିଭିଜନର ବିଭାଜନକୁ ବିରୋଧ କରି ବିଜେଡି ଗତ ଫେବୃୟାରୀ ମାସରେ ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ବିଜେଡି ଓଡ଼ିଶାରେ ପୂର୍ବତଟ ରେଳପଥ ଅଧୀନରେ ୩ଟି ନୂଆ ଡିଭିଜନ ଖୋଲିବାକୁ ଦାବି କରିଆସୁଛି।
from Odisha Reporter https://ift.tt/2Sl8i6f
No comments:
Post a Comment