ଶ୍ରୀନଗର: ସେତେବେଳକୁ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଫେରିଆସିଥିଲା। ଦୁଇ ଦେଶର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ନୱାଜ୍ ଶରିଫ୍ଙ୍କ ମଧ୍ୟରେ ୧୯୯୯ ଫେବୃଆରୀ ୨୧ରେ ସ୍ୱାକ୍ଷରିତ ଚୁକ୍ତି ସବୁ ପୁରୁଣା ସମସ୍ୟାର ସମାଧାନ କରିଦେବ ବୋଲି ମନେ ହେଉଥିଲା। ଲାହୋର ବସ୍ ଯାତ୍ରା ଏହି ଆଶାକୁ ଆଉ ପାଦେ ଆଗକୁ ନେଇଯାଇଥିଲା। କିନ୍ତୁ ମେ’ ମାସ ବେଳକୁ ବିଶ୍ୱାସରେ ବିଷ ଦେଇ ଏଲ୍ଓସି ଅତିକ୍ରମ କରିବାର ଭୁଲ କରି ବସିଥିଲା ପାକିସ୍ତାନ। ସେମାନେ କଶ୍ମିରୀ ଲୋକଙ୍କ ଭଳି ବେଶ ପୋଷାକ ପିନ୍ଧି ଅନୁପ୍ରବେଶ କରିଥିଲେ। ଏହା ଅତ୍ୟନ୍ତ ଗୋପନୀୟ ଢଙ୍ଗରେ କରାଯାଇଥିବାରୁ ଏହି ଅନୁପ୍ରବେଶ ବିଷୟରେ କାହାକୁ ଜଣା ନଥିଲା। କିନ୍ତୁ ଏହି ଘଟଣା ଭାରତୀୟ ସେନାଙ୍କ ନଜରକୁ ଆଣିଥିଲେ ଜଣେ ସାହସୀ ମେଷପାଳକ ତାଶି ନାମଗ୍ୟାଲ।
ନାମଗ୍ୟାଲଙ୍କୁ ଏବେ ୫୬ ବର୍ଷ ହେଲାଣି। ସେ ଲଦାଖ ଅଞ୍ଚଳର କାରଗିଲଠାରୁ ୬୦ କିଲୋକମିଟର ଦୂର ଏକ ଛୋଟ ଗାଁ ଘରକୋନ୍ରେ ବସବାସ କରୁଛନ୍ତି। ସେ ଏବେ ବଖାଣିଛନ୍ତି ୧୯୯୯ ମେ ୩ ତାରିଖର ସେହି ଘଟଣା ବାବଦରେ।
ସେ କହିଛନ୍ତି, “ମେ ୩ ତାରିଖ ସକାଳେ ମୁଁ ଏବଂ ମୋର ଜଣେ ସାଙ୍ଗ ମୋର ହଜିଯାଇଥିବା ଚମରୀ ଗାଈକୁ ଖୋଜିବା ପାଇଁ ଜୁବ୍ବାର ଲାଙ୍ଗପା ଝରଣା କୂଳରେ ଚାଲି ଚାଲି ୫ କିଲୋମିଟର ଚାଲିଯାଇଥିଲୁ। ବାଇନୋକୁଲାର ସହାୟତାରେ ମୁଁ ପାହାଡ଼ କଡ଼େ କଡ଼େ ମୋ ଗାଈକୁ ଖୋଜୁଥିଲି। ମୁଁ ଦେଖିଲି କିଛି ‘ପଠାନ୍’ ପୋଷାକରେ ଏବଂ ଅନ୍ୟ ଉପାୟରେ ନିଜକୁ ଲୁଚାଇଥିବା ପାକିସ୍ତାନୀ ସୈନିକଙ୍କ ଏକ ଗୋଷ୍ଠୀ ବଙ୍କର ଖୋଳାରେ ଲାଗିଛନ୍ତି। କିଛି ଲୋକ ଅସ୍ତ୍ରଶସ୍ତ୍ର ସହ ସେମାନଙ୍କ ସହିତ ଥିଲେ, ଅବଶ୍ୟ ସେମାନଙ୍କ ସଂଖ୍ୟା ଗଣିବା ଅସମ୍ଭବ ଥିଲା। କିନ୍ତୁ ମୁଁ ନିଶ୍ଚିତ ଥିଲି ସେମାନେ ସୀମା ସେପଟୁ ଆସିଛନ୍ତି।”
ନାମଗ୍ୟାଲ ଏହାପରେ ପାହାଡ ତଳକୁ ଆସି ନିକଟରେ ଥିବା ସେନା ପୋଷ୍ଟରେ ଏକଥା ଜଣାଇଥିଲେ। ଏହା ପରେ ସେମାନେ ସମସ୍ତେ ଆଲର୍ଟ ହୋଇଯାଇଥିଲେ ଏବଂ ଯାଞ୍ଚ କରି ଜାଣିବାକୁ ପାଇଥିଲେ ଯେ ମେଷପାଳକଙ୍କ ସୂଚନା ଏକଦମ ଠିକ୍ ଥିଲା।
ପ୍ରଥମ ଥର ପାଇଁ ପାକିସ୍ତାନ ସୀମା ପାର କରି ଏଭଳି ଦୁଃସାହସ ଦେଖାଇବାର ପ୍ରୟାସ କରିଥିଲା, ଯାହାକୁ ଭାରତୀୟ ସେନା ବୀରତ୍ୱର ସହ ଦମନ କରିଥିଲେ। ତେବେ ଏହି ସୂଚନା ନମିଳିଥିଲେ ହୁଏତ ଜାଣିବାରେ ଡେରି ହୋଇଯାଇଥା’ନ୍ତା ଏବଂ ସେତେବେଳକୁ ପାକିସ୍ତାନୀ ସେନା ଅଧିକ ପ୍ରସ୍ତୁତ ହୋଇଯାଇଥା’ନ୍ତେ। ୧୯୯୯ ମସିହା ଜୁଲାଇ ୨୬ରେ ସରିଥିଲା ଏହି ଯୁଦ୍ଧ। ଭାରତ ପକ୍ଷରୁ ଏହି ଅପରେସନ୍ର ନାଁ ରଖାଯାଇଥିଲା ‘ଅପରେସନ୍ ବିଜୟ’।
from Odisha Reporter https://ift.tt/2OfkYxm
No comments:
Post a Comment