ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପ୍ରଥମ ଖବର କାଗଜ ଉତ୍କଳ ଦୀପିକାରେ ପ୍ରକାଶିତ ତଥ୍ୟ ମୁତାବକ ପୂର୍ବରୁ ଅନେକ ଥର ମହାପ୍ରଭୁଙ୍କ ରଥଯାତ୍ରାରେ ବିଭ୍ରାଟ ହୋଇଛି। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାତ୍ରା କରିବା ପରେ ଶ୍ରୀଜିଉମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ଫେରି ନାହାନ୍ତି ଶ୍ରୀମନ୍ଦିରକୁ । ଅନେକ ଅନିବାର୍ଯ୍ୟ କାରଣ ଲାଗି ଗୁଣ୍ଡିଚା ଘରେ ବାଧ୍ୟ ହୋଇ ଅଟକିଛନ୍ତି କଳାଠାକୁର। ଆସନ୍ତୁ ଜାଣିବା ଇତିହାସରେ କେମିତି ଥିଲା ବାହୁଡ଼ା ଯାତ୍ରା।
୧୮୭୫– ଏହି ବର୍ଷ ଅଘଟଣ ଜଗନ୍ନାଥ ପ୍ରେମୀଙ୍କ ପ୍ରତି କୁଠାରାଘାତ ସଦୃଶ ଥିଲା। କାରଣ ଶ୍ରୀମନ୍ଦିର ଦୁର୍ବଳ ହୋଇପଡ଼ିଥିବା ଅନୁଭବ କରିଥିଲେ ବିଶ୍ୱବାସୀ। ଗର୍ଭଗୃହରୁ ପଥର ଖସିବା କାରଣରୁ ରଥଯାତ୍ରା କରି ଗୁଣ୍ଡିଚା ମନ୍ଦିର ଯାଇଥିବା ଠାକୁରମାନେ ନବଦିନ ଯାତ୍ରା ସାରିବା ପରେ ମଧ୍ୟ ଅନେକ ଦିନ ଧରି ଶ୍ରୀମନ୍ଦିର ଫେରି ନ ଥିଲେ। ଗର୍ଭଗୃହ ମରାମତି ପରେ ବଡ଼ ଦେଉଳ ଫେରିଥିଲେ ବଡ଼ ଠାକୁର।
୧୮୭୯– ଏ ବର୍ଷ ଜୁଲାଇ ୨ ତାରିଖରେ ପଡ଼ିଥିଲା ଘୋଷଯାତ୍ରା। ପରମ୍ପରା ମୁତାବକ ଜୁଲାଇ ୧୦ରେ ଠାକୁର ବାହୁଡ଼ିବା କଥା। କିନ୍ତୁ ରଥ ଦକ୍ଷିଣ ମୋଡ଼ ହୋଇ ନ ପାରିବାରୁ ଶ୍ରୀଜିଉମାନେ ଶ୍ରୀମନ୍ଦିର ଫେରିପାରି ନ ଥିଲେ। ଏପରିକି ବର୍ଷା ଯୋଗୁ ଶରଧାବାଲିରେ ପାଣି ଭରିଯିବାରୁ ରଥଟଣା ସମ୍ଭବପର ହୋଇ ନ ଥିଲା। ବିଳମ୍ବରେ ଲେଉଟିଥିଲେ ଠାକୁର।
୧୮୮୦– ଏହି ବର୍ଷ ବି ଠିକ୍ ସମୟରେ ବାହୁଡ଼ା ହୋଇ ପାରି ନଥିଲା। ଯେଉଁ ଦିନ ବାହୁଡ଼ା ହେବା କଥା ତା’ର ୨ ଦିନ ପରେ ମଧ୍ୟ ରଥଗୁଡିକୁ ଦକ୍ଷିଣମୋଡ଼ କରିବା ସମ୍ଭବପର ହୋଇ ନ ଥିଲା। ଏଣୁ ଠାକୁରମାନେ ଦୀର୍ଘ ଦିନ ବିଳମ୍ବରେ ଶ୍ରୀମନ୍ଦିର ଲେଉଟିଥିଲେ।
୧୮୮୫– ଏ ବର୍ଷ ଜୁଲାଇ ୧୪ରେ ପଡ଼ିଥିଲା ରଥଯାତ୍ରା। ଭଲରେ ଭଲରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିଲେ ସୁଦ୍ଧା ନନ୍ଦିଘୋଷ ବଡ଼ଦାଣ୍ଡରୁ ଘୁଞ୍ଚି ନ ଥିଲା। ପାଗ ଭଲ ଥିଲେ ବି ମହାପ୍ରଭୁଙ୍କ ରଥ ଆଗକୁ ଗଡ଼ି ନ ଥିଲା। ସମସ୍ତେ ଏହାକୁ ଦୈବୀ ଇଚ୍ଛା ବୋଲି କହିଥିଲେ। ପରିସ୍ଥିତି ଏମିତି ହେଲା ଯେ, ୫ ଦିନ ବିଳମ୍ବରେ ଅର୍ଥାତ୍ ଜୁଲାଇ ୧୯ରେ ଠାକୁର ପହଞ୍ଚିଥିଲେ ଗୁଣ୍ଡିଚାଘରେ। ଫଳରେ ୨୨ ତାରିଖରେ ପାରମ୍ପରିକ ଭାବେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇପାରି ନ ଥିଲା।
୧୮୯୭– ଜୁଲାଇ ୨ରେ ଗୁଣ୍ଡିଚା ଯାତ୍ରା ପଡ଼ିଥିବା ବେଳେ ୧୦ ତାରିଖରେ ନବଦିନ ଯାତ୍ରା ସମ୍ପନ୍ନ କରି ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଫେରିବା କଥା। କିନ୍ତୁ କୌଣସି କାରଣରୁ ସେ ବର୍ଷ ବାହୁଡ଼ା ଯାତ୍ରାର ୧୩ ଦିନ ପରେ ଠାକୁର ଶ୍ରୀମନ୍ଦିରକୁ ଫେରିଥିଲେ।
from Odisha Reporter https://ift.tt/2Lgevjh
No comments:
Post a Comment