ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଛନ୍ତି ଉଭୟ ରୋହିତ ଶର୍ମା ଓ ଡେଭିଡ୍ ୱାର୍ଣ୍ଣର। ଦୁହେଁ ସଚିନ୍ଙ୍କ ରେକର୍ଡରେ ଖୁବ୍ ନିକଟତର ହୋଇଥିଲେ ବି ଏହାକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ତେବେ ସଚିନ୍ଙ୍କ ଏହି ରେକର୍ଡ ଯେ ଅତୁଟ ରହିବ, ତାହା ଫାଇନାଲ୍ ମ୍ୟାଚ୍ ନ ଖେଳା ଯିବା ପର୍ଯ୍ୟନ୍ତ କୁହାଯାଇ ପାରିବ ନାହିଁ। କାରଣ ତାଙ୍କର ଏହି ରେକର୍ଡ ଭାଙ୍ଗିବାକୁ ଇଂଲଣ୍ଡର ଜୋ ରୁଟ୍ ଓ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମ୍ସନ୍ଙ୍କ ପାଖରେ ସୁଯୋଗ ରହିଛି।
୧୬ ବର୍ଷ ତଳେ ଅର୍ଥାତ୍ ୨୦୦୩ ବିଶ୍ୱକପ୍ରେ ସଚିନ୍ ୬୭୩ ରନ୍ କରିଥିଲେ। ଏହି ବିଶ୍ୱକପ୍ରେ ଭାରତ ଫାଇନାଲ୍ରେ ହାରିଥିବା ବେଳେ ସଚିନ୍ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ହୋଇଥିଲେ। ଏହା ପରେ ତିନୋଟି ବିଶ୍ୱକପ୍ ଖେଳା ଯାଇଥିଲେ ହେଁ ତାଙ୍କର ଏହି ରେକର୍ଡକୁ କୌଣସି ବ୍ୟାଟ୍ସମ୍ୟାନ୍ କେହି ଭାଙ୍ଗି ପାରି ନାହାନ୍ତି। ସେହିପରି ଯେକୌଣସି ବିଶ୍ୱକପ୍ରେ ଏହା ହେଉଛି ସର୍ବାଧିକ ରନ୍। କିନ୍ତୁ ଚଳିତ ବିଶ୍ୱକପ୍ରେ ସଚିନ୍ଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ରୋହିତ ଶର୍ମାଙ୍କ ପାଖରେ ସୁଯୋଗ ଥିଲା। ସେମି ଫାଇନାଲ୍ ମ୍ୟାଚ୍ ପୂର୍ବରୁ ସେ ଏହି ଟାର୍ଗେଟକୁ ଅତିକ୍ରମ କରିବାକୁ ମାତ୍ର ୨୭ ରନ୍ ପଛରେ ଥିଲେ। ତେବେ ସେମି ଫାଇନାଲ୍ରେ ସେ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏଥର ବିଶ୍ୱକପ୍ରେ ସେ ୯ଟି ଇନିଂସ୍ରୁ ୬୪୮ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୫ଟି ଶତକ ରହିଛି।
ସେହିପରି ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର ସଚିନ୍ଙ୍କ ରେକର୍ଡ ଭାଙ୍ଗିବାକୁ ମାତ୍ର ୩୬ ରନ୍ ପଛରେ ଥିଲେ। ତେବେ ଗତକାଲି ସେ ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ୍ରେ ମାତ୍ର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଚଳିତ ବିଶ୍ୱକପ୍ରେ ସେ ୧୦ଟି ଇନିଂସରୁ ୬୪୭ ରନ୍ ସଂଗ୍ରହ କରିଛନ୍ତି।
ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ସେମି ଫାଇନାଲ୍କୁ ଯାଇଥିବା ବେଳେ ସଚିନ୍ଙ୍କ ରେକର୍ଡ ଭାଙ୍ଗିବାକୁ ଉଭୟ ରୁଟ୍ ଓ ୱିଲିୟମ୍ସନ୍ଙ୍କ ପାଖରେ ସୁଯୋଗ ରହିଛି। ତେବେ ଏଥିପାଇଁ ଉଭୟଙ୍କୁ ଶତକୀୟ ଇନିଂସ ଖେଳିବାକୁ ପଡ଼ିବ। କାରଣ ରୁଟ୍ ବର୍ତ୍ତମାନ ସୁଦ୍ଧା ୫୪୯ ରନ୍ କରିଥିବା ବେଳେ ୱିଲିୟମ୍ସମ୍ ୫୪୮ ରନ୍ କରିଛନ୍ତି। ଏ ଦୁହେଁ ଯଥାକ୍ରମେ ୧୨୪ ଓ ୧୨୫ ରନ୍ କଲେ ସଚିନ୍ଙ୍କ ରେକର୍ଡର ସମକକ୍ଷ ହେବେ। ସେହିଭଳି ସଚିନ୍ଙ୍କ ରେକର୍ଡ ଭାଙ୍ଗିବାକୁ ଇଂଲଣ୍ଡର ଜେ ଏମ୍ ବେୟାରଷ୍ଟୋଙ୍କୁ ୧୭୮ ରନ୍ର ବଡ଼ ଇନିଂସ ଖେଳିବାକୁ ପଡ଼ିବ। କାରଣ ସେ ୪୯୬ ରନ୍ କରିଛନ୍ତି। ଯଦି ଏମାନେ ସମସ୍ତେ ବଡ଼ ସ୍କୋର କରିବାରେ ବିଫଳ ହୁଅନ୍ତି, ତା’ହେଲେ ସଚିନ୍ଙ୍କ ରେକର୍ଡ ଅତୁଟ ରହିବ।
from Odisha Reporter https://ift.tt/2SbiiPo
No comments:
Post a Comment