ଥିରୁଅନନ୍ତପୁରମ୍ : ଆଶା ମୁତାବକ ଫଳ ନ ମିଳିଲେ କେହି ବି ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ। ସେ ମଣିଷ ହେଉ ବା ପଶୁପକ୍ଷୀ। ଆଉ ଏଥିଲାଗି ଛୋଟ ଛୋଟ ଅଫର୍କୁ ବି ପ୍ରତ୍ୟାଖାନ କରିବାକୁ ପଛାନ୍ତି ନାହିଁ। କେରଳରେ ଶୁଟ୍ ହୋଇଥିବା ଏପରି ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆପଣ ଏକ କାଉକୁ ଦେଖିବାକୁ ପାଇବେ।
ସାଧାରଣତଃ ଆମେ ଦେଖିଥାଉ, ପଶୁପକ୍ଷୀମାନେ ଖାଦ୍ୟ ପାଇଗଲେ ତାକୁ ଧରି ଆଖ ପିଛୁଳାକେ କ୍ଷୀପ୍ର ବେଗରେ ପଳାଇଥାନ୍ତି। କିନ୍ତୁ ଏଠାରେ ଆପଣ ଏକ ବ୍ୟତିକ୍ରମ ଦେଖିବାକୁ ପାଇବେ। ଏହି ଭିଡିଓରେ କାଉଟି ମନ ମୁତାବକ ମାଛଟେ ପାଇବା ଲାଗି ମାଛ ଦୋକାନୀ ସହ ମୂଳଚାଲ ଚଳାଇଛି । ଏହି ଭିଡିଓ ଖୁବ୍ ମଜାଦାର ହୋଇଥିବା ବେଳେ ଖୁବ୍ ଭାଇରାଲ ମଧ୍ୟ ହେଉଛି।
ଭିଡିଓରେ ଉକ୍ତ କାଉ ସମ୍ମୁଖରେ ମାଛରେ ଭରପୂର ଥିବା ଏକ ଟ୍ରେ ରହିଛି। ଉକ୍ତ ଟ୍ରେରେ ଛୋଟରୁ ଆରମ୍ଭ କରି ବଡ଼ ବଡ଼ ଆଉ ଭଳିକି ଭଳି ମାଛ ରହିଛି। କାଉଟି ଆସି ସେଇ ଟ୍ରେ ଉପରେ ବସିବାରୁ ପ୍ରଥମେ ମାଛ ଦୋକାନୀ ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କାଉଟି ସେଠାରୁ ହଟି ନଥିଲା। ଏହାପରେ ଦୋକାନୀ ବାଧ୍ୟ ହୋଇ କାଉକୁ ପ୍ରଥମେ ଏକ ଛୋଟ ମାଛ ଖାଇବାକୁ ଦେଲେ। ହେଲେ କାଉଟିକୁ ଏହା ପସନ୍ଦ ଆସିଲା ନାହିଁ। ଓଲଟା ରାଗି ଯାଇ ଜୋରରେ ରାବିଲା।
ଦୋକାନୀଜଣକ ଏହିପରି ଗୋଟିଏ ପରେ ଗୋଟିଏ ଛୋଟ ମାଛ କାଉକୁ ଦେବାକୁ ଲାଗିଲେ। କିନ୍ତୁ କାଉକୁ ସେଗୁଡ଼ିକ ପସନ୍ଦ ଆସିଲାନି। କିଛି ସମୟ ଏପରି ଚାଲିବା ପରେ କାଉଟି ଗୋଟିଏ ମାଛ ତା ଥଣ୍ଟରେ ଧରିଲା। ଆପଣ ଭାବିବେ କାଉଟି ଏଥର ଖୁସି। ଏହି ମାଛ ସେ ନିହାତି ଖାଇବ। ହେଲେ କିଛି ସମୟ ପରେ ତାକୁ ମଧ୍ୟ ସେ ଫୋପାଡ଼ି ଦେଲା।
ପରିଶେଷରେ ଦୋକାନୀଜଣକ ଏକ ବଡ଼ ସାଇଜର ମାଛ କାଉକୁ ଦେଖାଇଲେ। ମନ ମୁତାବକ ସାଇଜର ମାଛ ପାଇ ଖୁସିର ସହ ତାକୁ ଥଣ୍ଟରେ ଧରି ଉଡ଼ିଗଲା। ଏପରି ମଜାଦାର ଭିଡିଓ ଦେଖି ବହୁ ୟୁଜର ନିଜ ପିଲାଦିନ କଥା ମନେ ପକାଇ ବହୁ ଘଟଣା ଟ୍ୱିଟ କରିଛନ୍ତି।
ଜଣେ ୟୁଜର ଲେଖିଛନ୍ତି, କାଉମାନେ ସତରେ ବହୁତ ସ୍ମାର୍ଟ। ଆଉ ଜଣେ ୟୁଜର ଲେଖିଛନ୍ତି, ପିଲାଦିନେ ଆମ ଘର ପାଖରେ ଥିବା ଏକ ବର ଗଛରେ ବହୁସଂଖ୍ୟାରେ କାଉ ରହୁଥିଲେ। ସେମାନେ ବହୁ ସମୟରେ ଆମ ଅଗଣାରେ ଆସି ଖାଦ୍ୟ ଲାଗି ବସି ରହନ୍ତି। ଏହା ଦେଖି ମୋ ଜେଜେ ମା କୁହନ୍ତି, ଆମ ଘରକୁ ନିଶ୍ଚୟ କୁଣିଆ ଆସିବେ। ଏପରି ସ୍ମୃତି ସତରେ ଖୁବ୍ ସୁନ୍ଦର।
from Odisha Reporter https://ift.tt/2RYtqzf
No comments:
Post a Comment