ରାଞ୍ଚି: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆରଜେଡି ସୁପ୍ରିମୋ ତଥା ଜେଲରେ ସଜା କାଟୁଥିବା ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କୁ ଶନିବାର ଭେଟିଥିଲେ। ରାଞ୍ଚି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ(ରିମ୍ସ)ରେ ଏହି ଭେଟଘାଟ ହୋଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପରେ ଏହା ଉଭୟଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଥିଲା। ତେଜସ୍ୱୀଙ୍କ ସମେତ ବିହାର ଆରେଜଡିର ଅନ୍ୟତମ ପ୍ରମୁଖ ନେତା ରଘୁବଂଶ ପ୍ରସାଦ ସିଂହ ମଧ୍ୟ ଭେଟିଥିଲେ।
ଏହି ଭେଟଘାଟ ସମୟରେ ତେଜସ୍ୱୀ ଯାଦବ ରାଜ୍ୟରେ ରାଜନୀତିକ ସ୍ଥିତି ବାବଦରେ ଆଲୋଚନା କରିଥିଲେ। ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିହାର ଏବଂ ଝାରଖଣ୍ଡର କୌଣସି ଆସନରେ ଆରଜେଡି ବିଜୟୀ ହୋଇ ନାହିଁ। ରାଜନୀତିକ ପ୍ରସଙ୍ଗ ସହିତ ତାଙ୍କ ଭାଇ ତେଜ ପ୍ରତାପଙ୍କ ସହ ପାରିବାରିକ ବିବାଦ ବାବଦରେ ମଧ୍ୟ ତେଜସ୍ୱୀ ଆଲୋଚନା କରିଥିବା ଜଣାପଡ଼ିଛି।
ସେହିପରି ରଘୁବଂଶ ପ୍ରସାଦ ସିଂହ ଲାଲୁଙ୍କୁ ଭେଟି ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଲାଲୁଙ୍କ ରକ୍ତଚାପ ଠିକ୍ ରହିଛି। ଖୁବଶୀଘ୍ର ଲାଲୁ ଜାମିନରୁ ବାହାରିବେ ବୋଲି ରଘୁବଂଶ ପ୍ରସାଦ କହିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ଆରଜେଡି ଜୋରଦାର ଲଢ଼େଇ କରିବ ବୋଲି ସେ କହିଛନ୍ତି।
ଏଥିସହ ଚଳିତ ବର୍ଷ ଅନ୍ତିମ ମାସ ବେଳକୁ ହେବାକୁ ଥିବା ଝାରଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ଆରଜେଡି ମହାମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।
ତେବେ ଜେଲରେ ଲାଲୁଙ୍କ ସହିତ ଦେଖାକରିବାକୁ ପାରିବାରିକ ଲୋକ ଓ ସମ୍ପର୍କୀୟ ଦେଖା କରିବା ପାଇଁ ଚାହୁଁଥିଲେ ଜେଲ୍ ମାନୁଆଲ ଠିକ୍ ଭାବରେ ଲାଗୁ କରାଯାଉନଥିବା ଅନ୍ୟ ଜଣେ ଆରଜେଡି ନେତା ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2JVZwrw
No comments:
Post a Comment