ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଦୁଇ ଚକିଆ ଗାଡି ନିର୍ମାତା ଟିଭିଏସ କମ୍ପାନୀ ଦେଶର ପ୍ରଥମ ଇଥାନଲ ବାଇକ୍ ବଜାରକୁ ଆଣିଛି। ଏହି ବାଇକ୍ ପେଟ୍ରୋଲ୍ ଓ ଡିଜେଲ ପରିବର୍ତ୍ତେ ଇଥାନଲରେ ଚାଲିବ। ଏହା ପେଟ୍ରୋଲ୍ ଓ ଡିଜେଲ୍ ତୁଳନାରେ କମ୍ ପ୍ରଦୂଷଣ କରିବ।
ଆପାଚି ଆରଟିଆର ମଡେଲର ୨୦୦ ସିସିରେ ଏହି ଇଥାନଲ୍ ଚାଳିତ ବାଇକ୍ ବଜାରକୁ ଆସିଛି। ଏଫଆଇ ମଡେଲର ଏହି ଗାଡ଼ିର ଦାମ୍ ୧ ଲକ୍ଷ ୨୦ ହଜାର ଟଙ୍କା ରହିଛି। ତେବେ କମ୍ପାନୀ ପକ୍ଷରୁ ଏବେ ଏହି ଗାଡ଼ି ବିକ୍ରି ଉଦ୍ଦେଶ୍ୟରେ ଉତ୍ପାଦନ କରାଯାଇ ନାହିଁ।
ପ୍ରାଥମିକ ଭାବରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକାରେ ଏହି ଗାଡ଼ି ବିକ୍ରି ହେବ। ମୁଖ୍ୟତଃ ଇଥାନଲ୍ ପ୍ରସ୍ତୁତ ହେଉଥିବା ରାଜ୍ୟରେ ଏହି ଗାଡ଼ି ପ୍ରଥମେ ଉପଲବ୍ଧ କରାଇବ ଟିଭିଏସ୍।
ସୂଚନାଯୋଗ୍ୟ, ଏବେ କେନ୍ଦ୍ର ସରକାର ସବୁଜ ପରିବେଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିସହ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦରକୁ ଦେଖି ସରକାର ବିଦ୍ୟୁତ୍ ଚାଳିତ ଓ ଇଥାନଲ ଚାଳିତ ଗାଡ଼ି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ନିକଟରେ କେନ୍ଦ୍ର ସରକାର ଆଗତ କରିଥିବା ବଜେଟରେ ମଧ୍ୟ ବିଦ୍ୟୁତ୍ ଚାଳିତ ଗାଡ଼ି କିଣିଲେ ଋଣରେ ସୁଧ ହାର କମ୍ ପଡ଼ିବ ବୋଲି ଘୋଷଣା କରିଛି। ଏଥିସହ ୨୦୨୫ ସୁଦ୍ଧା ୧୫୦ସିସିରୁ କମ୍ ସିସି ଥିବା ବାଇକକୁ ବିଦ୍ୟୁତ୍ ଚାଳିତ କରିବାକୁ କେନ୍ଦ୍ର ସରକାର ଜୋର୍ ଦେଇଛନ୍ତି।
ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ପାଇଁ ବାହାର ଦେଶର ଅଶୋଧିତ ତେଲ ଉପରେ ଆମକୁ ନିର୍ଭର କରିବାକୁ ପଡୁଛି। ହେଲେ ଇଥାନଲ୍ ଧାନ ନଡ଼ାରୁ ପ୍ରସ୍ତୁତ ହୋଇଥାଏ। ଆମ ଦେଶ ଚାଷ ଉପରେ ନିର୍ଭରଶୀଳ ଥିବାରୁ ନଡାର ଅଭାବ ନାହିଁ। ତେଣୁ ଇଥାନଲର ବ୍ୟବହାର ବଢ଼ିଲେ ଦେଶର ଚାଷୀ ମଧ୍ୟ ବଳକା ନଡ଼ାକୁ ବିକ୍ରି କରି ଅଧିକ ରୋଜଗାର କରିପାରିବ। ଏହାର ଲିଟର ପିଛା ଦାମ୍ ପାଖାପାଖି ୧୫ ଟଙ୍କା କମ୍ ରହିବ ପେଟ୍ରୋଲର ଦାମ୍ ତୁଳନାରେ ଏବଂ ମାଇଲେଜ ମଧ୍ୟ ପେଟ୍ରୋଲ ତୁଳନାରେ ଅଧିକ ରହିବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2ln3lxr
No comments:
Post a Comment