ଆଳି(ବନମାଳୀ ସାହୁ): ଗୋଟିଏ ରାତିରେ ଗୋଟିଏ ଗାଁର ଦୁଇ ଜଣଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଗ୍ରୀଲ କାଟି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ୍ ସହ ମରଣାନ୍ତକ ଆକ୍ରମଣ ମଧ୍ୟ କରିଛନ୍ତି । ଏଥିରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗାଁରେ।
ଗତକାଲି ବିଳମ୍ୱିତ ରାତିରେ ଗାଁର ହାଡ଼ିବନ୍ଧୁ ସାହୁଙ୍କ ପରିବାର ଲୋକେ ଘରେ ଶୋଇଥିଲେ। ଏହି ସମୟରେ ୫ରୁ ଅଧିକ ଡକାୟତ ତାଙ୍କ ଘର ଗ୍ରୀଲ କାଟି ଭିତରକୁ ପଶିଥିଲେ। ହେଲେ ହଠାତ୍ ଘର ଲୋକେ ଉଠିଯିବାରୁ ଡକାୟତମାନେ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାସହ ଘରେ ଥିବା ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ।
ଡକାୟତଙ୍କ ଆକ୍ରମଣରେ ହାଡ଼ିବନ୍ଧୁ, ତାଙ୍କ ସ୍ତ୍ରୀ ଭଗବତୀ ସାହୁ, ପୁଅ ବାସୁଦେବ ସାହୁ ଓ ବୋହୂ ଉର୍ମିଳା ସାହୁ ଗୁରୁତର ହୋଇଛନ୍ତି। ସେମାନଙ୍କ ମୁଣ୍ଡ ଓ ପେଟରେ ଗଭୀର ଆଘାତ ଲାଗିଛି। ସମସ୍ତଙ୍କୁ ପ୍ରଥମେ ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅନୁରୂପ ଭାବେ ସେହି ଗାଁର ଅଲେଖ ସାହୁଙ୍କ ଘରେ ମଧ୍ୟ ଗତକାଲି ରାତିରେ ଡକାୟତି ହୋଇଛି। ଘରର ସଦସ୍ୟମାନେ ଶୋଇଥିବା ବେଳେ ଡକାୟତମାନେ ଘର ଗ୍ରୀଲ ଭାଙ୍ଗି ଭିତରେ ପଶିଥିଲେ। ସେମାନେ ଅଲେଖଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଚୋରି କରି ନେଇ ପଳାଇଥିଲେ । ହେଲେ କାହାକୁ ଆକ୍ରମଣ କରି ନ ଥିବା ଜଣାଯାଇଛି।
ଗୋଟିଏ ଗାଁରୁ ୨ଜଣଙ୍କ ଘରୁ ସଶସ୍ତ୍ର ଡକାୟତି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀଙ୍କ ଧନଜୀବନ ସୁରକ୍ଷା ଦାବିରେ ଉତ୍ତ୍ୟକ୍ତ ଗାଁ ଲୋକେ କଟକ-ଚାନ୍ଦବାଲି ରାସ୍ତାର ଭରତପୁର ଛକରେ ଆଜି ରାସ୍ତାରୋକ କରିଥିଲେ। କେନ୍ଦ୍ରାପଡ଼ା ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଏଥିରେ ସମ୍ପୃକ୍ତ ଡକାୟତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।
ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଏସ୍ଡିପିଓ, ଆଳି ଥାନା ଆଇଆଇସି ଓ ସାଇଣ୍ଟିକ୍ ଫିକ୍ ଟିମ୍ ହାଡିବନ୍ଧୁ ଓ ଅଲେଖ ସାହୁଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।
from Odisha Reporter https://ift.tt/34fcZEz
No comments:
Post a Comment