ନୂଆଦିଲ୍ଲୀ: ଆଜି ଅପରାହ୍ନରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ ହେବ। ଏବେ ତାଙ୍କ ମର ଶରୀର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଛି। ଦଳୀୟ ନେତା, କର୍ମୀ ଓ ସମର୍ଥକ ଜେଟଲୀଙ୍କ ଶେଷ ଦର୍ଶନ କରୁଛନ୍ତି। ଗତକାଲି ମଧ୍ୟାହ୍ନ ୧୨ଟା ୦୭ ମିନିଟ ସମୟରେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ଜେଟଲୀଙ୍କ ମୃତ୍ୟୁ ଘଟିଥିଲା। ଅଗଷ୍ଟ ୯ ସକାଳ ୧୦ଟା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏମ୍ସର ଏକ ବିଶେଷଜ୍ଞ ଟିମ୍ ନଜର ରଖିଥିଲା।
ଅପରାହ୍ନ ୧ଟାରୁ ୨ଟା ୩୦ ମଧ୍ୟରେ ଜେଟଲୀଙ୍କ ମର ଶରୀରକୁ ଯମୁନା ନଦୀ କୂଳରେ ଥିବା ନିଗମବୋଧ ଶଶ୍ମାନ ଘାଟକୁ ନିଆଯିବ। ବିଜେପି ମୁଖ୍ୟ କାର୍ଯ୍ୟାଳୟରୁ ନିଗମବୋଧ ଶ୍ମଶାନ ଘାଟ ୮ କିଲୋମିଟର ଦୂରତା ରହିଛି। ଏକ ସୁସଜ୍ଜିତ ଗାଡ଼ିରେ ଦଳୀୟ କର୍ମୀ ଓ ସମର୍ଥକ ମାନେ ତାଙ୍କୁ ଶ୍ମଶାନ ଘାଟକୁ ନେବେ।
ଜେଟଲୀଙ୍କ ବିୟୋଗରେ ସମସ୍ତ ଦଳର ନେତା ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସମେତ ଅନେକ ନେତା ଅଭିନେତା, କ୍ରିକେଟର ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆସି ଶେଷ ଦର୍ଶନ କରିଥିଲେ।
ବିଦେଶ ଗସ୍ତରେ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତିମ ଦର୍ଶନ କରିପାରିବେ ନାହିଁ। ଆସନ୍ତାକାଲି ଫ୍ରାନ୍ସର ପ୍ୟାରିସରେ ଜି-୭ ସମ୍ମିଳନୀ ରହିଛି। ଯେଉଁଠି ଫ୍ରାନ୍ସ, ଆମେରିକା, ଭାରତ ସମେତ ଅନେକ ରାଷ୍ଟ୍ରର ପ୍ରତିନିଧି ସାମିଲ୍ ହେବେ।
ଗତକାଲି କିନ୍ତୁ ବାହାରିନରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଉଥିବା ବେଳେ ଜେଟଲୀଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ। ସେ ନିଜ ମନ ଭିତରେ ଥିବା ଅନେକ ଦୁଃଖକୁ ଚାପି ରଖି ବାହାରିନ ବାସୀଙ୍କୁ ଉଦବୋଧନ ଦେଉଥିବା କହିଥିଲେ।
ମୋଦିଙ୍କ ପ୍ରଥମ ସରକାରରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ସାଙ୍ଗକୁ ସୂଚନା ଓ ଲୋକସମ୍ପର୍କ, ପ୍ରତିରକ୍ଷା ମନ୍ତ୍ରୀ ଭଳି ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ। ସେ ରାଜନେତା ସହିତ ପେଶାରେ ଜଣେ ଓକିଲ ଥିଲେ।
from Odisha Reporter https://ift.tt/2Nu2rex
No comments:
Post a Comment