ମୁମ୍ବାଇ: ଭାରତୀୟ ସିନେମା ଜଗତର ଅନ୍ୟତମ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମ୍ ହାଶ୍ମିଙ୍କ ଅବସ୍ଥା ଗୁରୁତର ରହିଛି। ଫୁସ୍ଫୁସ୍ରେ ସଂକ୍ରମଣ ଯୋଗୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ଆଇସିୟୁରେ ଅଛନ୍ତି। ସୂଚନା ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁ ନାହିଁ।
ପଞ୍ଜାବରେ ଜନ୍ମିତ ବଲିଉଡ୍ର ଏହି ସଙ୍ଗୀତ ନିର୍ଦ୍ଦେଶକଙ୍କୁ ୯୨ ବର୍ଷ ହେଲାଣି। ସମସ୍ତେ ତାଙ୍କୁ ‘ଖୟାମ୍’ ନାଁରେ ଜାଣନ୍ତି। ମାତ୍ର ୧୭ ବର୍ଷ ବୟସରେ ଲୁଧିଆନାରେ ସେ ତାଙ୍କ ମ୍ୟୁଜିକ୍ କ୍ୟାରିଅର ଆରମ୍ଭ କରିଥିଲେ। ଏହା ୧୯୪୩ ମସିହାର କଥା। ଏହାର ୧୦ ବର୍ଷ ପରେ, ଅର୍ଥାତ୍ ୧୯୫୩ ମସିହାରେ ସେ ବଲିଉଡ୍ରେ କାମ ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ଫିଲ୍ମର ନାଁ ‘ଫୁଟ୍ପାଥ୍’। ୧୯୬୧ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଶୋଲା ଔର ଶବ୍ନମ୍’ ତାଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପରିଚୟ ଦେଇଥିଲା। ତା’ପରେ ସେ ‘ଆଖ୍ରୀ ଖତ୍’, ‘କଭି କଭି’, ‘ତ୍ରିଶୂଲ୍’, ‘ନୂରୀ’, ‘ବାଜାର’, ‘ଉମ୍ରାଓ ଜାନ୍’ ଓ ‘ୟାତ୍ରା’ ଭଳି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।
୧୯୫୩ରୁ ୧୯୯୦ ପର୍ଯ୍ୟନ୍ତ ସେ ବଲିଉଡ୍ରେ ସକ୍ରିୟ ଥିଲେ। ୨୦୦୭ରେ ରିଲିଜ୍ ହୋଇଥିବା ‘ଯାତ୍ରା’ ଫିଲ୍ମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘କଭି କଭି’ ଓ ‘ଉମ୍ରାଓ ଜାନ୍’ ପାଇଁ ତାଙ୍କୁ ଦୁଇ ଥର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା। ୨୦୧୧ରେ ତାଙ୍କୁ ‘ଫିଲ୍ମ ଫେୟାର ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍’ ପୁରସ୍କାର ପ୍ରଦାନ କରାଯାଇଥିଲା। ’ଉମ୍ରାଓ ଜାନ୍’ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ୨୦୧୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି।
from Odisha Reporter https://ift.tt/2YPMshT
No comments:
Post a Comment