ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଗତକାଲି ବିୟୋଗ ହୋଇଛି। ସେ ଘରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ।
ସୁଷମା ସ୍ୱରାଜ ଗତ ସରକାରରେ ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫୋନ୍ ନମ୍ୱର ବଦଳରେ ସୋଶାଲ ମିଡିଆ ଟ୍ଵିଟରକୁ ହେଲ୍ପ ଲାଇନ ଭାବରେ ବ୍ୟବହାର କରୁଥିଲେ। ସୁଷମା ସ୍ୱରାଜଙ୍କ ସହ ଯୋଡ଼ି ହେବା ପାଇଁ ଟ୍ୱିଟର ସମସ୍ତଙ୍କ ପାଇଁ ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ଖାଲି ଲୋକଙ୍କୁ ଟ୍ୱିଟର ଯୋଗେ ସହଯୋଗ କରୁନଥିଲେ, ମଝିରେ ମଝିରେ ବିଭିନ୍ନ ଲୋକଙ୍କ ଟୁଇଟରର ଜବାବ ଦେବାକୁ ଯାଇ ସୁଷମା ଥଟ୍ଟା ପରିହାସ ମଧ୍ୟ କରୁଥିଲେ।
ସୁଷମା ସ୍ୱରାଜ ନିକଟରେ ତାଙ୍କର ସରକାରୀ ବାସଭବନ ଖାଲି କରିଥିଲେ ଏବଂ ନୂଆ ଠିକଣା ସମସ୍ତଙ୍କୁ ଜଣାଇବେ ବୋଲି ଟ୍ୱିଟ କରି ସୂଚନା ଦେଇଥିଲେ। ଏହାପରେ ଟ୍ୱିଟର ଏହି ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ‘ମହାନ’ ବୋଲି ଉଲ୍ଲେଖ କରିଥିଲା। ଆଗାମୀ ଦିନର ରାଜନେତାଙ୍କ ପାଇଁ ସେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଟ୍ୱିଟର ଉଲ୍ଲେଖ କରିଥିଲା।
ସୂଚନାଯୋଗ୍ୟ ରାଜନେତା ଭାବରେ ଦୁଇ ଜଣ ବ୍ୟକ୍ତି ଟ୍ୱିଟରକୁ ଏକ କ୍ରାନ୍ତିକାରୀ ମାଧ୍ୟମରେ ପରିଣତ କରିଥିଲେ। ଜଣେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ଜଣେ ସୁଷମା ସ୍ୱରାଜ। ବୈଦେଶିକ ମନ୍ତ୍ରୀ ହୋଇଥିଲେ ମଧ୍ୟ ଟ୍ୱିଟରରେ ଲୋକଙ୍କୁ ସହଯୋଗ କରି ଚର୍ଚ୍ଚାର ପରିସରକୁ ଆସିଥିଲେ ସୁଷମା।
ଅପରେଶନ ରାହତ
୨୦୧୫ରେ ୟେମେନରେ ସାଉଦି ଆରବ ବୋମା ବର୍ଷଣ କରୁଥିଲା। ଏହି ସମୟରେ ୪ ହଜାର ଭାରତୀୟ ଏବଂ ଅନ୍ୟାନ୍ୟ ଦେଶର ନାଗରିକ ୟେମେନରେ ଫସିଯାଇ ଥିଲେ। ଏପ୍ରିଲ ୧, ୨୦୧୫ରେ ସୁଷମା ସ୍ୱରାଜଙ୍କ ନେତୃତ୍ୱରେ ଅପରେଶନ ରାହତ ଆରମ୍ଭ ହୋଇଥିଲା। ସମୁଦ୍ର ପଥରେ ୧୧ ଦିନ ଯାତ୍ରା କରି ଭାରତୀୟ ସେନା ୪ ହଜାର ଭାରତୀୟଙ୍କ ସହ ଅନ୍ୟ ଦେଶର ନାଗରିକଙ୍କୁ ମଧ୍ୟ ଉଦ୍ଧାର କରିଥିଲେ।
ସୁଷମା ସ୍ୱରାଜ ଏବଂ ନେହା ପରିଖ
ନେହା ପାରିଖ ନାମକ ଜଣେ ଟ୍ୱିଟର ଆକାଉଣ୍ଟଧାରୀ ମେ ୩୦, ୨୦୧୫ରେ ସୁଷମାଙ୍କୁ ଏକ ଟୁଇଟ କରିଥିଲେ। ସେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଥିଲେ ଯେ ତାଙ୍କ ବାପା ଓ ମାଆ ତୁର୍କୀ ଯାଇଛନ୍ତି। ହେଲେ ତାଙ୍କ ମାଆ ଭୁଲବଶତଃ ତାଙ୍କ ପାସପୋର୍ଟ ହଜାଇଦେଇଛନ୍ତି। ଏଥିପାଇଁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ଏହାପରେ ସୁଷମା ସ୍ୱରାଜ ନେହାଙ୍କ ଟ୍ୱିଟର ଜବାବ ଦେଇ କହିଥିଲେ ତୁର୍କୀରେ ଅବସ୍ଥାପିତ ଭାରତୀୟ ଦୂତାବାସ ତାଙ୍କୁ ଜରୁରୀକାଳୀନ ପାସପୋର୍ଟ ଦେଇଛି। ସେ ଏବେ ୟୁରୋପରୁ ଫେରୁଛନ୍ତି ବୋଲି ସୁଷମା ଟ୍ୱିଟ କରି କହିଥିଲେ।
ସୁଷମା ସ୍ୱରାଜ ଏବଂ ଜଗନ୍ନାଥନ ସେଲଭରାଜ
ତାମିଲନାଡୁର ୪୮ ବର୍ଷୀୟ ଜଗନ୍ନାଥନ ସେଲଭରାଜ ଦୁବାଇରେ ଏକ ଶ୍ରମ କୋର୍ଟ ମାମଲାରେ ଫସିଯାଇଥିଲେ। ୨ ବର୍ଷ ଧରି ଏହି କୋର୍ଟ କେସ ଶୁଣାଣିରେ ଉପସ୍ଥିତ ରହିବା ପାଇଁ ୧ ହଜାର କିଲୋମିଟରରୁ ଅଧିକ ବାଟ ଚାଲିଥିଲେ। ଏହି ସମୟରେ ତାଙ୍କର ମାଆଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ ଭାରତ ଆସିବା ପାଇଁ ତାଙ୍କୁ ଅନୁମତି ଦେଇନଥିଲା ଦୁବାଇ ସରକାର।
ଏ ନେଇ ବିଭିନ୍ନ ଅନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବୈଦେଶିକ ମନ୍ତ୍ରୀ ଭାବରେ ସୁଷମା ସ୍ୱରାଜ ଘଟଣାରେ ହସ୍ତକ୍ଷେପ କରିଥିଲେ। ଏହାପରେ ଜଗନ୍ନାଥନ ସେଲଭରାଜ ସ୍ୱଦେଶ ଫେରିଥିଲେ।
୧୪ ବର୍ଷୀୟ ଝିଅର ଭିସା ସମସ୍ୟାର ସମାଧାନ କଲେ ସୁଷମା
ଅର୍ପିତା ତିଓ୍ୱାରୀ ନାମକ ଜଣେ ମହିଳା ସୁଷମାଙ୍କୁ ଏପ୍ରିଲ ୩୦, ୨୦୧୮ରେ ଏକ ଟ୍ୱିଟ କରି କହିଥିଲେ ଯେ ଦିଲ୍ଲୀ ସଙ୍ଗମ ବିହାରର ଜଣେ ଗରିବ ଘରର ୧୪ ବର୍ଷୀୟ ଝିଅ ଇଶା ଲଣ୍ଡନରେ ଏକ ଗ୍ଲୋବାଲ କନଫରେନସରେ ଯୋଗ ଦେବା ପାଇଁ ସୁଯୋଗ ପାଇଛି। ଏଥିପାଇଁ ମେ’୩ରେ ଟିକେଟ୍ ବୁକ ହୋଇସାରିଛି। ହେଲେ ଭିସା ଏଯାଏ ମିଳିପାରୁ ନାହିଁ।
ଏହାପରେ ସୁଷମା ସ୍ୱରାଜ୍ ଟୁଇଟ କରି ଇଶାର ଭିସା ସମସ୍ୟାର ସମମାଧାନ କରିଥିଲେ।
from Odisha Reporter https://ift.tt/2ZEYerA
No comments:
Post a Comment