ପୁରୀ(ମଧୁସୂଦନ ମିଶ୍ର): ପୁରୀ ପ୍ରଶାସନ ପକ୍ଷରୁ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଜୋରସୋରରେ ଚାଲିଛି। ହେଲେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ। ଏମାର ମଠ ଭିତରେ ଥିବା ନିଜ କୋଠରୀକୁ ଛାଡ଼ିବାର ପ୍ରଶ୍ନ ଉଠୁନି ବୋଲି ସେ ରୋକଠୋକ ଶୁଣାଇ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ କଥା କୁହାଯାଉଥିବା ସେ ଅଭିଯୋଗ ଆଣିଛନ୍ତି।
ପ୍ରଶାସନିକ ଅଧିକାରୀ ଆଲୋଚନା କଲା ବେଳେ ମୁଁ ରହୁଥିବା ଘର ଏବଂ ଗାଦି ଘର ଭାଙ୍ଗିବେନି ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ତାଙ୍କ କଥାରେ ତାଳମେଳ ରହୁନି। ବିଭିନ୍ନ ସମୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ କଥା କୁହାଯାଉଛି। ତେବେ କୌଣସି ହାଲତରେ ମଧ୍ୟ ମୁଁ ମଠ ଭିତର ବାସଗୃହ ଛାଡ଼ିବିନି ବୋଲି ମହନ୍ତ ରାଜଗୋପାଳ ରାମାନୁଜ ଦାସ ଓଟିଭିକୁ କହିଛନ୍ତି।
ସେ ଆହୁରି କହିଛନ୍ତି,“ ପ୍ରଶାସନ ମଠରୁ ବିଦ୍ୟୁତ୍ କାଟି ଦେଇଥିବାରୁ ଚଳିବାରେ ଅସୁବିଧା ହେଉଛି। ମୁଁ ଅସୁସ୍ଥ ଅଛି, ମୋତେ ବିଶ୍ରାମ ଦରକାର।”
ଅନ୍ୟପକ୍ଷରେ ଗତକାଲି ରଘୁନନ୍ଦନ ପାଠାଗାର ମାଟିରେ ମିଶିବା ନେଇ ମଧ୍ୟ ସେ ଆପତ୍ତି ଉଠାଇଥିଲେ। କିଛି ଦିନ ପୂର୍ବେ ଏହି ଲାଇବ୍ରେରୀର ନବୀକରଣ କରାଯାଇଥିଲା। ଏହା ଅସୁରକ୍ଷିତ ନ ଥିଲା। ତେଣୁ ଏହାକୁ ଭଙ୍ଗାଯିବା ଠିକ୍ ହୋଇନି ବୋଲି ସେ କହିଥିଲେ।
ଆଜି ବଣିଆ ପଟି ଉଚ୍ଛେଦ କରାଯାଉଛି। ଏଠାରେ ପ୍ରାୟ ୧୧ଟି ସୁନା ଦୋକାନ ଅଛି। ତେବେ ଜାଗା ଖାଲି କରିବାକୁ ଯଥେଷ୍ଟ ସମୟ ଦିଆଯାଇ ନଥିବାରୁ ସୁନା ଦୋକାନୀମାନେ ଅସନ୍ତୁଷ୍ଟ ଅଛନ୍ତି। ଉଚ୍ଛେଦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
from Odisha Reporter https://ift.tt/2PvIqqO
No comments:
Post a Comment