ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଅସମ୍ଭବ ଭିଡ଼ ଲାଗିରହିଛି।
କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି କରିଛନ୍ତି କାଉଡ଼ିଆ। ରାତି ୧୨ ଟାରୁ ମନ୍ଦିର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯିବା ପରେ ଭୋର ୨ଟାରୁ ସର୍ବସାଧାରଣଙ୍କ ଦର୍ଶନ ଓ ଜଳଲାଗି ଆରମ୍ଭ ହୋଇଛି । ତେବେ ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଝୁଲାପୋଲଠାରୁ ଆରମ୍ଭ କରି ମନ୍ଦିର ବେଢା ପର୍ଯ୍ୟନ୍ତ ସବୁଠି ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି।
ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଚାରିସମ୍ବୁ ହରି ଓ ହରଙ୍କ ପୀଠ ସମେତ ଜିଲ୍ଲାର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଗହଳି ଲାଗିଛି। ବିଭିନ୍ନ ସ୍ଥାନରୁ ଆସିଥିବା କାଉଡ଼ିଆମାନେ ମହାନଦୀରୁ ଜଳ ଆଣି ମହାଦେବଙ୍କୁ ଜଳଲାଗି କରିଛନ୍ତି। ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଭଦ୍ରକ ଜିଲ୍ଲାର ଶୈବ ପୀଠ ବାବା ଆଖଣ୍ଡଳମଣି ଧାମରେ ହଜାର ହଜାର କାଉଡ଼ିଆ ଜଳ ଲାଗି କରିଛନ୍ତି। ରାତି ୧୨ଟାରୁ ବାବାଙ୍କର ସ୍ଵତନ୍ତ୍ର ରୀତିନୀତି ସରିବା ପରେ କାଉଡ଼ିଆମାନେ ଜଳଲାଗି କରିଛନ୍ତି। ନଦୀ ଘାଟ ଗୁଡିକରେ ଫାୟାର ଓ ଓଡ୍ରାଫ୍ ଟିମ୍ଙ୍କୁ ନିୟୋଜିତ କରାଯାଇଛି। ଭକ୍ତମାନେ ଶିବଗଙ୍ଗା ପୁଷ୍କରିଣୀରେ ଥିବା ବ୍ୟାରିକେଟ୍ ଦେଇ ଲମ୍ବା ଲାଇନରେ ମନ୍ଦିରକୁ ଯାଇ ଜଳଲାଗି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜଳେଶ୍ୱର ମନ୍ଦିରରେ ମଧ୍ୟ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବିଭିନ୍ନ ଅଞ୍ଚଳରୁ ଶହଶହ କାଉଡ଼ିଆ ଆସି ମହାଦେବଙ୍କୁ ଜଳଲାଗି କରିଛନ୍ତି। ଶ୍ରାବଣ ମାସରେ ଶିବଙ୍କୁ ଜଳଲାଗି କଲେ ମନସ୍କାମାନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ରାୟଗଡ଼ା ଜିଲ୍ଲାର ଚାଟିକୋଣାସ୍ଥିତ ପାତାଳେଶ୍ୱର ଶିବ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଜମିଛି। କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗିର, ବରଗଡ଼ ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶ ଓ ଛତିଗଡ଼ ରାଜ୍ୟରୁ ମଧ୍ୟ କାଉଡ଼ିଆ ଆସିଥିବା ଦେଖିବାକୁ ମିଳିଛି। କାଉଡ଼ିଆମାନେ ମନ୍ଦିର ଦେଇ ଯାଇଥିବା ଗଦ୍ଗଦା ଜଳ ପ୍ରପାତରୁ ପାଣି ଆଣି ଜଳାଲାଗି କରିଛନ୍ତି। ସେମାନେ ଧାଡ଼ିରେ ଯାଇ ଜଳାଭିଷେକ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ବିଭିନ୍ନ ବୋଲବମ୍ ସେବା ସଂଘ ପକ୍ଷରୁ ପ୍ରସାଦ ସେବନ ଆୟୋଜନ କରାଯାଇଛି।
ଯାଜପୁର ଜିଲ୍ଲା ଚଣ୍ଡିଖୋଲର ମହାବିନାୟକ ପୀଠରେ ହଜାର ହଜାର ସଂଖ୍ୟାରେ କାଉଡିଆ ଜଳଲାଗି କରିଛନ୍ତି। ଭିଡକୁ ଦେଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ କରାଯିବା ସହ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
from Odisha Reporter https://ift.tt/2Yq3Idb
No comments:
Post a Comment