ଇସ୍ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଭାରତ ବିରୋଧରେ ଅନ୍ତର୍ଜାତୀୟ ସମୂହ ନିକଟରେ ପାକିସ୍ତାନ ଫେରାଦ ହୋଇଥିଲେ ହେଁ ତା’କୁ ନିରାଶ ହେବାକୁ ପଡ଼ିଛି। ଏବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ ପାକିସ୍ତାନୀ ଓ କଶ୍ମୀରବାସୀଙ୍କୁ ଉସ୍କାଇବା ଆରମ୍ଭ କରିଛନ୍ତି।
ସେ କହିଛନ୍ତି, “କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମୂହ ଠାରୁ ପାକିସ୍ତାନୀ ବାସୀ କୌଣସି ଆଶା କରି ରହିବା ଠିକ୍ ନୁହେଁ। ଜାତିସଂଘ ସୁରକ୍ଷା ପରିଷଦ ଫୁଲ ମାଳ ଧରି କଶ୍ମୀର ପ୍ରସଙ୍ଗରେ ଆମକୁ ସହଯୋଗ କରିବାକୁ ଅପେକ୍ଷା କରିନାହିଁ।
ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠିବ। ହେଲେ ଏହା ଆମ ସପକ୍ଷରେ ନ ଯାଇ ପାରେ। କାରଣ ଏଠାରେ ଥିବା ପି-୫ ରାଷ୍ଟ୍ରଙ୍କ ମଧ୍ୟରୁ ଜଣେ ବି ଯଦି ଆମ ସମର୍ଥନ ନ କରନ୍ତି, ତା’ହେଲେ ଏହା କାଟ ଖାଇଯିବ। ତେଣୁ ପାକିସ୍ତାନବାସୀ ଜାତିସଂଘ ଠାରୁ କୌଣସି ଆଶା ରଖନ୍ତୁ ନାହିଁ।
ଜାତିସଂଘରେ ଥିବା ମୁସଲିମ ଦେଶ ଗୁଡ଼ିକ ମଧ୍ୟ ପାକିସ୍ତାନକୁ ସମର୍ଥନ କରି ନପାରନ୍ତି। କାରଣ ସେମାନେ ଭାରତରେ ପୁଞ୍ଜି ନିବେଶ କରିଛନ୍ତି। ପାକିସ୍ତାନ ପାଇଁ ସେମାନେ ନିଜର ବ୍ୟବସାୟୀକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ। ”
ମୁଜାଫରବାଦରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କୁରେଶୀ ଆହୁରି କହିଛନ୍ତି, “କଶ୍ମୀର ପ୍ରସଙ୍ଗରେ ଆମ ସ୍ୱପ୍ନ ଭାଙ୍ଗିବା କିଛି ବଡ଼ କଥା ନୁହେଁ। ଜାତିସଂଘର ପଦକ୍ଷେପକୁ ଅପେକ୍ଷା କରିବା କେବଳ ଏକ ନିର୍ବୋଧର ପରିଚୟ। ତେଣୁ ଆମକୁ ସବୁ କିଛି ନିଜେ କରିବାକୁ ପଡ଼ିବ।
ଜାତିସଂଘ ଆମକୁ କେବେ ହେଲେ ସହଯୋଗ କରିବ ନାହିଁ। ବିଶ୍ୱର ସବୁ ରାଷ୍ଟ୍ର ନିଜ ନିଜର ସ୍ୱାର୍ଥ କଥା ଚିନ୍ତା କରୁଛନ୍ତି। ୟୁଏଇ ଓ ସାଉଦି ଆରବ ଭଳି ଦେଶ ଭାରତରେ ପୁଞ୍ଜି ନିବେଶ କରିଛନ୍ତି। ଏଗୁଡ଼ିକ ମୁସଲିମ ରାଷ୍ଟ୍ର ହୋଇଥିଲେ ହେଁ ଆମକୁ ସମର୍ଥନ ନ କରିପାରନ୍ତି। ତେଣୁ ଆମକୁ ଏବେ ଠାରୁ ସବୁ କିଛି କରିବାକୁ ପଡ଼ିବ। ଆମେ ଅପେକ୍ଷା କରିବା ନାହିଁ। କଶ୍ମୀର ପାଇଁ ଆମ ଲଢ଼େଇ ଜାରି ରହିବା ଦରକାର।”
from Odisha Reporter https://ift.tt/2N2KYJZ
No comments:
Post a Comment