‘ଭାରତ ଛାଡ଼’- କିଏ ଦେଇଥିଲେ ଏହି ସ୍ଲୋଗାନ୍‌ର ନାଁ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 11, 2019

‘ଭାରତ ଛାଡ଼’- କିଏ ଦେଇଥିଲେ ଏହି ସ୍ଲୋଗାନ୍‌ର ନାଁ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଭାରତ ଛାଡ଼’  ବା ‘Quit India’ ଥିଲା ଆନ୍ଦୋଳନ ଥିଲା ପରାଧୀନ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ। ଏହା ଏମିତି ଏକ ଆନ୍ଦୋଳନ ଥିଲା ଯାହା ଇଂରେଜମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରି ଦେଇଥିଲା। ଗତ ୯ ତାରିଖ ଏହି ଆନ୍ଦୋଳନକୁ ୭୫ ବର୍ଷ ପୂରିଯାଇଛି। ୧୯୪୨ ମସିହା ଅଗଷ୍ଟ ୯ରେ ସାରା ଦେଶରେ ଆରମ୍ଭ ହୋଇଥିଲା ‘ଭାରତ ଛାଡ଼’ ଆନ୍ଦୋଳନ। ସାରା ଦେଶ ଜାଣେ ଯେ, ଏହି ଆନ୍ଦୋଳନର ଡାକରା ଜାତିର ପିତା ମହାତ୍ମା ଗାନ୍ଧି ଦେଇଥିଲେ। ତାହା ଠିକ୍‌। ହେଲେ ’ଭାରତ ଛାଡ଼’ ବା ’କୁଇଟ୍ ଇଣ୍ଡିଆ’ ନାଁଟି ଦେଇଥିଲେ ଆଉ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ। ଜାଣିଛନ୍ତି ସେ କିଏ? ସେ ହେଉଛନ୍ତି ୟୁସୁଫ୍‌ ମେହେରାଲି।

୮ ଅଗଷ୍ଟ ୧୯୪୨ରେ ବମ୍ବେର ଗୋୱାଲିଆ ଟ୍ୟାଙ୍କ ପଡ଼ିଆ(ପରବର୍ତ୍ତୀ କାଳରେ କ୍ରାନ୍ତି ମଇଦାନ ନାଁରେ ପରିଚିତ)ରେ ମୌଲାନା ଅବୁଲ୍‌ କାଲାମ୍‌ ଆଜାଦ୍‌ଙ୍କ ସଭାପତିତ୍ୱରେ ଭାରତୀୟ ଜାତୀୟ କଂଗ୍ରେସର ଖୋଲା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସେହି ଅଧିବେଶନରେ ଇଂରେଜମାନେ ଭାରତକୁ ସ୍ୱାଧୀନତା ନ ଦେଲେ ଗାନ୍ଧିଜୀଙ୍କ ନେତୃତ୍ୱରେ ଦେଶବ୍ୟାପୀ ଆନ୍ଦୋଳନ ହେବ ବୋଲି ଇଂରେଜ ଶାସନକୁ ଚେତାବନୀ ଦିଆଯାଇଥିଲା। ଆଉ ଏହି ଆନ୍ଦୋଳନର ନାଁ ରଖାଯାଇଥିଲା ’ଭାରତ ଛାଡ଼’ ଆନ୍ଦୋଳନ। ‘କର ବା ମର’ର ଭାବନା ନେଇ ଏହି ଆନ୍ଦୋଳନକୁ ଆଗେଇ ନେବାକୁ ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ଏଥିରେ ଦେଶର ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ। ମହାତ୍ମା ଗାନ୍ଧୀ ତଥା ଅନ୍ୟ ବଡ଼ ନେତାମାନଙ୍କୁ ଗିରଫ କରାଯିବା ସତ୍ତ୍ୱେ ଏହି ଆନ୍ଦୋଳନ ସାରା ଦେଶରେ ଜାରି ରହିଥିଲା।

 

ତେବେ ଭାରତର ସ୍ୱାଧୀନତାର ସଂଗ୍ରାମର ଶେଷ ବର୍ଷଗୁଡ଼ିକରେ ପ୍ରଭାବଶାଳୀ ହୋଇପାରିଥିବା ଏହି ଆନ୍ଦୋଳନର ନାଁ ‘ଭାରତ ଛାଡ଼’ କେମିତି ରଖାଯାଇଥିଲା, ସେ ବିଷୟରେ କେ. ଗୋପାଳସ୍ୱାମୀ ତାଙ୍କ ପୁସ୍ତକ ‘ଗାନ୍ଧି ଆଣ୍ଡ୍ ବମ୍ବେ’ରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଯେତେବେଳେ ‘ଭାରତ ଛାଡ଼’ ଆନ୍ଦୋଳନର ଡାକରା ଦିଆଯାଇ ନଥିଲା ସେତେବେଳେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ବମ୍ବେରେ ଏକ ବୈଠକ ବସିଥିଲା। ସ୍ୱାଧୀନତା ସଂଗ୍ରାମ ପାଇଁ ଏକ ବଢ଼ିଆ ସ୍ଲୋଗାନ୍ ବାଛିବା ନେଇ ଏହି ବୈଠକ ବସିଥିଲା। ବୈଠକରେ ଜଣେ ନେତା ‘ଗେଟ୍ ଆଉଟ୍‌’ ସ୍ଲୋଗାନ୍‌ର ପ୍ରସ୍ତାବ ଦେଇଥିଲେ। ତେବେ ମହାତ୍ମା ଗାନ୍ଧି ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ସେହିପରି ରାଜଗୋପାଳଚାରୀ ‘Retreat’ or ‘Withdraw’ ସ୍ଲୋଗାନ୍ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ବି କେହି ପସନ୍ଦ କରି ନଥିଲେ। ଶେଷରେ ୟୁସୁଫ୍‌ ମେହେରାଲି କହିଥିଲେ ‘କୁଇଟ୍ ଇଣ୍ଡିଆ’ ବା ‘ଭାରତ ଛାଡ଼’। ମହାତ୍ମା ଗାନ୍ଧି ‘ଆମିନ୍’ କହି ଏହାକୁ ଅନୁମୋଦନ କରିଥିଲେ। ସେତେବେଳେ ୩୯ ବର୍ଷୀୟ ମେହେରାଲି ବମ୍ବେର ମେୟର ଥିଲେ। ପ୍ରଥମ ସୋଶିଆଲିଷ୍ଟ୍ ଭାବେ ସେ ଏହି ପଦକୁ ନିର୍ବାଚିତ ହୋଇଥିଲେ।

 

ସ୍ୱାଧୀନତା ସଂଗ୍ରାମୀ ୟୁସୁଫ୍ ମେହେରାଲିଙ୍କ ଜୀବନୀ ଲେଖିଛନ୍ତି ମଧୁ ଦଣ୍ଡବତେ। ସେ ସେଥିରେ ଉଲ୍ଲେଖ କରିଛନ୍ତି, ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ଅବସରରେ ମେହେରାଲି ଏକ ବହି ଲେଖିଥିଲେ। ତା’ର ନାଁ ବି ସେ ‘କୁଇଟ୍ ଇଣ୍ଡିଆ’ ରଖିଥିଲେ। ମାତ୍ର ସପ୍ତାହକ ମଧ୍ୟରେ ସମସ୍ତ ବହି ବିକ୍ରି ହୋଇଯାଇଥିଲା। ସେହିପରି ବର୍ଷ ଅଗଷ୍ଟ ୭ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର ଖୋଲା ଅଧିବେଶନ ବସିବା ପୂର୍ବରୁ ସେ ‘କୁଇଟ୍ ଇଣ୍ଡିଆ’ ସ୍ଲୋଗାନ୍‌ର ପ୍ରଚାର ଆରମ୍ଭ କରି ଦେଇଥିଲେ ବୋଲି ୟୁସୁଫ୍‌ ମେହେରାଲି ସେଣ୍ଟରର ସହ-ପ୍ରତିଷ୍ଠାତା ଜି.ଜି ପାରିଖ୍‌ କହିଛନ୍ତି।

‘ସାଇମନ୍‌ ଗୋ ବ୍ୟାକ୍‌’ ନାରା ବି ଦେଇଥିଲେ ୟୁସୁଫ୍

ସ୍ୱାଧୀନତା ସଂଗ୍ରାମ ବେଳେ ‘ସ୍ଲୋଗାନ୍‌’ର ନାଁ ଦେବାରେ ବେଶ୍ ମାହିର ଥିଲେ ମେହେରାଲି। ଭାରତଛାଡ଼ ଆନ୍ଦୋଳନ ପୂର୍ବରୁ ତାଙ୍କର ଏ ଦକ୍ଷତା ସମ୍ପର୍କରେ ସମସ୍ତେ ପରିଚିତ ଥିଲେ। ୧୯୨୮ରେ ଭାରତରେ ବ୍ରିଟିଶ୍ ଶାସନରେ ସୁଧାର ଆଣିବା ପାଇଁ ‘ସାଇମନ୍‌ କମିଶନ୍‌’ ଗଠନ କରାଯାଇଥିଲା। ଏଥିରେ ୭ ଜଣ ସଦସ୍ୟ ଥିଲେ। ହେଲେ ଏହି ଆୟୋଗରେ କୌଣସି ଭାରତୀୟଙ୍କୁ ସାମିଲ କରାଯାଇ ନଥିଲା। ବ୍ରିଟିଶ୍ ସରକାରଙ୍କ ଏଭଳି ଅପମାନଜନକ ନିର୍ଣ୍ଣୟ ଯୋଗୁ ସାରା ଭାରତରେ ଆକ୍ରୋଶର ନିଆଁ ଖେଳିଯାଇଥିଲା।

ସେହି ସମୟରେ ୟୁସୁଫ୍‌ ମେହେରାଲି ‘ବମ୍ବେ ୟୁଥ୍ ଲିଗ୍’ର ଗଠନ କରି ‘ସାଇମନ୍‌ କମିଶନ୍‌’ ବିରୋଧରେ ଲଢ଼େଇ ଆରମ୍ଭ କରିଦେଇଥିଲେ।  ୧୯୨୮ ଫେବୃଆରୀ ମାସରେ ଯେତେବେଳେ ‘ସାଇମନ୍‌ କମିଶନ୍’ର ସଦସ୍ୟମାନେ ବମ୍ବେର ବନ୍ଦରରେ ପହଞ୍ଚିଲେ, ୟୁସୁଫ୍ ଓ ତାଙ୍କ ସହଯୋଗୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। ସେ ଓ ତାଙ୍କ ସାଥୀମାନେ କୁଲି ବେଶରେ ବନ୍ଦରରେ ପ୍ରବେଶ କରିଥିଲେ ଏବଂ ସାଇମନ୍ କମିଶନ୍‌ର ସଦସ୍ୟମାନେ ସେଠାରେ ପହଞ୍ଚିବା ମାତ୍ରେ ସେମାନେ ‘ସାଇମନ୍‌ ଗୋ ବ୍ୟାକ୍‌’ ନାରା ଦେଇଥିଲେ। ସେମାନଙ୍କ ଉପରେ ସେଠାରେ ଲାଠି ଚାର୍ଜ ମଧ୍ୟ ହୋଇଥିଲା। କିନ୍ତୁ ୟୁସୁଫ୍ ଓ ଅନ୍ୟ ଯୁବ କ୍ରନ୍ତିକାରୀଙ୍କର ସ୍ଲୋଗାନ୍‌ର ପ୍ରତିଧ୍ୱନି ଏତେ ମଜଭୁତ୍‌ ଥିଲା ଯେ ରାତାରାତି ଏହି ବିରୋଧ ପ୍ରଦର୍ଶନର ଖବର ଚାରିଆଡ଼େ ଖେଳିଯାଇଥିଲା। ପରେ ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ସମସ୍ତଙ୍କ ମୁହଁରେ ଏହି ଗୋଟିଏ ସ୍ଲୋଗାନ୍‌ ଥିଲା। ସାରା ଦେଶରେ ‘ସାଇମନ୍‌ ଗୋ ବ୍ୟାକ୍‌’ ସ୍ଲୋଗାନ୍‌ ସହ ୟୁସୁଫ୍ ମେହେରାଲିଙ୍କ ନାଁ ମଧ୍ୟ ପ୍ରସିଦ୍ଧ ହୋଇଗଲା।

୮ଥର ଜେଲ୍ ଯାଇଥିଲେ

ସ୍ୱାଧୀନତା ସଂଗ୍ରାମରେ ୟୁସୁଫ୍ ମେହେରାଲି କେବଳ ନୂଆ ନୂଆ ସ୍ଲୋଗାନ୍‌ ସୃଷ୍ଟି କରିବାରେ ସୀମିତ ନଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ସେ ଏଥିରେ ସକ୍ରିୟ ଅଂଶଗ୍ରହଣ କରି ୮ ଥର ଜେଲ୍ ଯାଇଥିଲେ।  ‘ଭାରତ ଛାଡ ଆନ୍ଦୋଳନ’ ସମୟରେ ଅଗଷ୍ଟ ୯ ତାରିଖରେ ଗାନ୍ଧିଜୀ ଓ କଂଗ୍ରେସର ସବୁ ତୁଙ୍ଗ ନେତାଙ୍କ ସହ ୟୁସୁଫ୍ ମଧ୍ୟ ଗିରଫ ହୋଇଥିଲେ। ହେଲେ ଗିରଫ ହେବା ପୂର୍ବରୁ ସେ ଏହି ଆନ୍ଦୋଳନ କିପରି ଜାରି ରହିବ, ତାହା ସୁନିଶ୍ଚିତ କରିଥିଲେ। ସେଥିପାଇଁ ସେ ରାମମନୋହର ଲୋହିଆ, ଅରୁଣା ଆସଫ ଅଲ୍ଲୀ ଓ ଅଚ୍ୟୁତ ପଟବର୍ଦ୍ଧନଙ୍କ ପରି ସମାଜବାଦୀ ନେତାଙ୍କୁ ଦାୟିତ୍ୱ ଦେଇଥିଲେ। ଲୁଚିଛପି ଆନ୍ଦୋଳନକୁ ଆଗେଇ ନେବାକୁ ସେ ସେମାନଙ୍କୁ କହିଥିଲେ।

୧୯୪୬ରେ ସେ ଜେଲ୍‌ରୁ ମୁକୁଳି ସ୍ୱାଧୀନ ଭାରତରେ ବିଧାୟକ ହୋଇଥିଲେ ୟୁସୁଫ ମେହେରାଲି। ସେ କଂଗ୍ରେସ ସୋଶିଆଲିଷ୍ଟ୍‌ ପାର୍ଟି ପ୍ରତିଷ୍ଠା କରିଥିଲେ। ୧୯୫୦ ମସିହା ଜୁଲାଇ ୨ ତାରିଖରେ ତାଙ୍କର ପରଲୋକ ହୋଇଥିଲା।



from Odisha Reporter https://ift.tt/2Ku5EJc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages