ଭବାନୀପାଟଣା(ରାଜ କୁମାର ସିଂହଦେଓ): ଭବାନୀପାଟଣା ଜେଲ୍ର ଜଣେ ବିଚାରାଧୀନ କଏଦୀଙ୍କର ଗତକାଲି ବୁର୍ଲା ମେଡ଼ିକାଲରେ ମୃତ୍ୟୁ ପରେ ଜନ ଅସନ୍ତୋଷ ସାଂଘାତିକ ରୂପ ଧାରଣ କରିବାରେ ଲାଗିଛି। କୌଣସି ଅଘଟଣ ଆଶଙ୍କାରେ ପୁଲିସ୍ ବେଦାନ୍ତ ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖ , ବେଦାନ୍ତ ଟାଉନସିପ୍ ଏରିଆ ଓ ତା’ ଆଖପାଖ ଦୁଇ କିମି ପରିଧି ଭିତରେ ଗତକାଲି ରାତିରୁ ୧୪୪ ଧାରା ଲାଗୁ କରିଛି। ମୃତ କଏଦୀଙ୍କ ନାଁ ପଟ୍ଟନାୟକ ହରିଜନ (୪୦)। ତାଙ୍କ ଘର ଲାଞ୍ଜିଗଡ଼ ଥାନା ବସନ୍ତପଡ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗୋପାଲି ଗାଁରେ। ତାଙ୍କୁ ୪ ମାସ ତଳେ ପୁଲିସ୍ ଗିରଫ କରିଥିଲା। ସେହିଦିନଠାରୁ ସେ ଭବାନୀପାଟଣା ଜେଲରେ ଥିଲେ।
ଗତ ୨୧ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରଯାଇଥିଲା। ସେଠାରେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଜଣେ କିଡନୀ ରୋଗୀ ଥିବା ଜଣାପଡ଼ିଛି।
ତେବେ ପଟ୍ଟନାୟକଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦସ୍ତଖତ କରି ନଥିଲେ। ଏହି ଘଟଣାର ଆପୋଷ ସମାଧାନ ଲାଗି ବେଦାନ୍ତ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା ଜାରି ରହିଛି । ମୃତ ପଟ୍ଟନାୟକଙ୍କର ୫ ଝିଅ ଥିବାରୁ ପ୍ରତି ଝିଅ ପିଛା ୫ ଲକ୍ଷ ଟଙ୍କା ଲେଖାଏ ଦେବା ସହ ତାଙ୍କ ସ୍ତ୍ରୀକୁ ବେଦାନ୍ତରେ ଚାକିରି ଦେବାକୁ ଦାବି ହୋଇଛି।
ସୂଚନାଯୋଗ୍ୟ, ସ୍ଥାନୀୟ ଯୁବକଙ୍କ ନିଯୁକ୍ତି ଦାବି କରି ପ୍ଲାଣ୍ଟ ଆଖପାଖ ଲୋକେ ଗତ ମାର୍ଚ୍ଚ ୧୮ ତାରିଖରେ ବେଦାନ୍ତ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ସମୟରେ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଓଆଇଇଏସ୍ଏଫ୍ ଜବାନଙ୍କ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ଲୋକମାନଙ୍କ ଆକ୍ରମଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ୍ ୩୦୦ ଜଣଙ୍କ ନାମରେ ଅଭିଯୋଗ ଫର୍ଦ ପ୍ରସ୍ତୁତ କରିଥିବା ବେଳେ ୨୯ ଜଣଙ୍କୁ ଗିରଫ କରିଥିଲା। ସେହି କ୍ରମରେ ମୃତ ପଟ୍ଟନାୟକ ହରିଜନଙ୍କୁ ୪ ମାସ ତଳେ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା।
ଅନ୍ୟପକ୍ଷରେ ଗିରଫ ୨୯ ଜଣଙ୍କ ମଧ୍ୟରୁ ଅଗଷ୍ଟ ୬ ତାରିଖରେ ୬ ଜଣ, ୭ ତାରିଖରେ ୩ ଜଣ, ଓ ୨୩ ତାରିଖରେ ୨ ଜଣଙ୍କୁ ଏପରି ମୋଟ ୧୧ ଜଣଙ୍କୁ ବେଲ୍ ମିଳିଛି। ହେଲେ ପଟ୍ଟନାୟକ ହରିଜନ ସମେତ ଆଉ ୧୮ ଜଣ ଜେଲ୍ରେ ରହିଥିଲେ।
from Odisha Reporter https://ift.tt/2ZmLV2g
No comments:
Post a Comment