ଆସୁନ୍‌ ସଭେ ମିଶିକରି ନୂଆଁଖାଏମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ଆସୁନ୍‌ ସଭେ ମିଶିକରି ନୂଆଁଖାଏମା

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହା ଏକ କୃଷି ଭିତ୍ତିକ ଧାର୍ମିକ ଉତ୍ସବ ଭାବେ ଖୁବ୍‌ ପ୍ରସିଦ୍ଧ । ଏହାର ମହାନତା , ସାମାଜିକ ଦର୍ଶନ ଓ ବ୍ୟାପକତାରେ ଥାଏ ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା । ପ୍ରତି ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ଅର୍ଥାତ୍‌ ଗଣେଶ ଚତୁର୍ଥୀ ପରଦିନ ଏହି ମହାନ ପର୍ବକୁ ପାଳନ କରାଯାଏ । ଆସନ୍ତୁ ନୂଆଁଖାଇର ମହାନତା ଓ ଏହାର ବିସ୍ତୃତ ବୈଶିଷ୍ଟ ବିଷୟରେ ଆଉ ଟିକେ ଜାଣିବା ପାଇଁ ତୋଷଳୀ ଭାଷାରେ ଲିଖିତ ଏହି ଲେଖାଟିକୁ ପଢ଼ିବା। ଏହାକୁ ଲେଖିଛନ୍ତି ଆଇଆଇଏମସି, ଢେଙ୍କାନାଳର ପୂର୍ବତନ ଛାତ୍ର ବିନାୟକ ମିଶ୍ର ।

ନୂଆଁଖାଇର୍‌ ମହାନ୍‌ତା, ତାର୍‌ ବ୍ୟାପ୍ତି ଆରୁ ତାର୍‌ ସାମାଜିକ୍ ଦର୍ଶନ୍‌ ଲେଖି ବସିଲେ କାଗଜ୍ ନି ଅଣ୍ଟେ। ତାର୍ ପୌରାଣିକ୍ ଇତିହାସ୍‌ କାହିଁ ବୈଦିକ୍ ଯୁଗନୁ ଆରମ୍ଭ୍‌। ଆର ଯଦି ପ୍ରାମାଣିକ ଇତିହାସ୍‌ କେ ଯିମା,ବଏଲେ ଚୌହାନ ବଂଶର ଥାପ୍‌ନା ଆରୁ ତାର୍‌ ଦବ୍‌ଦବା,ଇ ନୂଆଁଖାଇ ପରବ୍‌ ଲାଗି ହିଁ ସମ୍ଭବ ହେଇଥିଲା।  ୧୨ଶ ମସିହାନୁ ଇ ତିହାର୍‌ର ଲିଖିତ୍‌ ଆରୁ ମୌଖିକ୍ ଦୁହି ଇତିହାସ୍‌ ଛାତି ଫୁଲିଯିବାର ବାଗିର ଗର୍ବର୍ କଥା। ଉପରିଆ ହିସାବେ ଦେଖବେ ବଏଲେ, ଲାଗ୍‌ବା ଯେ, ଆମର୍‌ ନୂଆଁଖାଇ ତ ଦିନୁଦନ୍‌କେ ବଢ୍‌ବାର୍‌ ଲାଗିଛେ। କଥା ଟା ଭିଲ୍‌ ସତ୍ ଆଏ। ବାକି ଟିକେ ମନ୍ ଦେଇକରି ଭାବ୍‌ମା ବଏଲେ ବୁଝିପାରମା ଯେ ଆମେ କେନ୍‌ ଦିଗେ ବଢୁଛୁଁ…

ଆମର୍‌ ନୂଆଁଖାଇ ତିହାର୍‌ର ଦୁଇଟା ମୂଲ୍‌ ଲକ୍ଷ୍ୟ। ଗୁଟେ ସାମାଜିକ ଲକ୍ଷ୍ୟ ଆର୍‌ ଗୁଟେ ଆର୍ଥିକ୍‌ ଲକ୍ଷ୍ୟ ବଲି କହି ପାର୍‌ମା।  ସାମାଜିକ ଲକ୍ଷ୍ୟ ହଉଛେ ସମ୍‌କୁ ଗୁଟେ ମାର୍‌ ପୁଓ-ଝି ବାଗିର୍ ଡୋରି ଥି ବାନ୍ଧି ରଖ୍‌ବାର୍‌ ବସୁଧୈବ କୁଟୁମ୍ବକମ୍ ବାଗିର୍ ମହାନ୍ ବୈଦିକ୍ ମନ୍ତ୍ରକେ ସାର୍ଥକ୍ କର୍‌ବାର୍।  କୁଟୁମ୍ ଭିତ୍‌ରେ ବି ଏକ୍‌ତା ଆରୁ ବାହାରେ ଭିଲ୍‌ ଏକ୍‌ତାର ପାଠ୍ ପଢ଼ାସି। ‘ନୂଆଁଖାଇ ଜୁହାର୍’ ଭେଟ୍‌ଘାଟ୍‌ ପରମ୍ପରା କେ ଆମେ ପୃଥିର୍‌ ସବୁନୁ ପୁରୁଣା SYSTEM OF MUTUAL RESPECT AND SOCIAL COHESION ବଲି କହି ପାର୍‌ମା। ସମାଜ୍ ଶାସ୍ତ୍ର ହିସାବେ ଦେଖିଲେ SELF REPAIRING MECHANISM OF THE SOCIETY ବି କହି ପାର୍‌ମା। ଅର୍ଥ ହେଉଛେ ସମାଜ୍‌ ନିଜେ ନିଜ୍‌କେ ସଲ୍‌ଖେଇ ନେବାର୍ ଗୁଟେ ରାହା। କେହେନି ସମାଜ୍‌ ବାବଦ୍‌ରେ ପଢ଼୍‌ବାର୍‌ଟା ଗୁଟେ ଛୋଟ୍‌ଟେ କଥା ନାଇ ସେ।  ଯେନ୍ତା ଆମର୍‌ ନୂଆଁଖାଇ କାହିଁ କେନ୍‌ ଜମାନାକୁ ଚାଲି ଆସିଛେ। ଇତାର୍‌ ଆର୍‌ ଗୁଟେ ସାମାଜିକ୍‌ ଲକ୍ଷ୍ୟ ହେଉଛେ, ଆମର୍ ସଂସ୍କୃତି ପରମ୍ପରାକେ ପ୍ରଚାର ପ୍ରସାର ଆର୍‌ ଆଗାମୀ ପିଢ଼ିକେ ସେଟା ଶିଖାବାର୍। ନିଜର ନାଚ୍‌, ଗୀତ୍‌, ଖାନା, ପିନା, ଆଗ୍‌କେ ବଢେଇ ନେବାର୍ ଗୁଟେ ମାଧ୍ୟମ୍‌।

ଦୁଇ ନମ୍ବର ଲକ୍ଷ୍ୟଟା ହେଉଛେ ଅର୍ଥନୈତିକ ଲକ୍ଷ୍ୟ। ସବୁ ସମାଜ୍, ଆର୍‌ ଦେଶ୍‌ ତାର୍‌ ଅର୍ଥନୀତିର ଉଧେ ଚାଲ୍‌ସି ବଲି ସଭେ ଜାନିଛୁଁ। ଆମର୍‌ ସମାଜ୍‌ର ଅର୍ଥନୀତି ଚାଲ୍‌ସି ଚାଷ ଅର୍‌ ଚାଷୀକେ ନେଇକରି। ଗୁଟେ ନୂଆଁ ଧାନ ହିଁ ଏଡକି ସଂସ୍କୃତିର ବିହନ୍ ଆଏ। ଆରୁ ଆମର୍‌ ନୂଆଁଖାଇ ଚାଷର୍‌ ଉଧେ ଠିଆଡ୍‌ ହେଇଥିବାର୍ ଗୁଟେ ଅର୍ଥନୀତିର୍‌ ବି ତିହାର ଆଏ। ନୂଆଁଖାଇ ହାଟ୍‌ ବଛର ଜାକର୍‌ ସବୁନୁ ବଡ଼୍‌ ହାଟ୍। ସବୁ ବେପାରୀ ଇଟାକେ ଟାକିଥିସନ୍। ନିଜର ଖେତର୍‌ ନୂଆଁ ଧାନ୍‌ ବାକି ଜିନିନ୍‌ଟା ଜହ ଅଧିକା ହାଟୁ ଘିନିକରି ନୂଆଁ ଖାଏମୁଁ ସଭେ। ଅର୍ଥନୀତିର ପୁଷ୍‌ମାସ୍‌ ଇଟା ହିଁ ଏକା। ନୂଆଁଖାଇ ଦିନ୍‌ ଯେନ୍‌ ନାଚ୍‌ ଗୀତ୍‌ର ଆସର୍‌ ଜମ୍‌ସି ସେନ୍‌କେ ଯେନ୍ ପାରମ୍ପରିକ୍‌ କଲାକାର୍‌ ଭାଏ ବହେନ୍‌ ମାନେ ନିଜର ନିଜର କଲା ଦେଖେଇ ଆଏସନ୍‌ ତାକଁର ବି ପୁଷ୍‌ମାସ ଆଏ। ଚାଷୀ, ବେପାରୀ ଆରୁ କଲାକାର ଇ ନୂଆଁଖାଇ ତିହାର୍‌ନୁ ହିଁ ତାଙ୍କର୍‌ ଆଏବାର୍‌ ବର୍ଷକର୍‌ ଆର୍ଥିକ୍‌ ସ୍ଥିତି କେନ୍ତା ହେବା ସେ ବାବଦ୍‌ରେ ଜାନି ପାରିଥିସନ୍।

ଆମର୍‌ ତିହାର ନୂଆଁଖାଇ କେତେ ଦୂର୍‌ ସଫଲ୍‌ ହେଇ ପାରିଛେ ସେଟା ଇ ଦୁହି ଲକ୍ଷ୍ୟକେ ଦେଖ୍‌ଲେ ଜାନି ହେଉଛେ। ଐତିହାସିକ୍‌ ହିସାବେ ଦେଖ୍‌ଲେ ଇଟା ଗୁଟେ ସଫଲ୍‌ ତିହାର୍‌ ଆର୍‌ ମହାନ୍‌ ବି।

ହେଲେ ଆଜିର୍‌ ପରିସ୍ଥିତି ଟିକେ ଅଲ୍‌ଗା ଆଏ। ଏକ୍‌ତା ଆର୍‌ ଏକତାର ନାଁ ଥି ଅଭିନୟ ଭିତରେ ବଡ୍‌ ଟେ ଫରକ୍ ଅଛେ। ଗାଁ ହେଉ କି ସହର୍‌ ସବୁଆଡ଼ୁ ଥରେ ବୁଲିଆସୁନ୍‌ ଆର୍‌ ସତ୍‌ କହୁନ୍‌ ତ, ଆମେ ଏକ୍‌ତାର ସୂତ୍ରଥି ବାନ୍ଧି ହେଇଛୁଁ କି ଅଭିନୟ କରୁଛୁଁ ? ଯୌଥ ପରିବାର୍‌ ମାନେ ଭାଙ୍ଗିଗଲାନ। ନୂଆଁଟେ ଖାଏଲେ ଯେ ଚଲେ ବାଗିର ନୂଆଁଖାଇ ଦିନ ଗୁଟେନେ ବସିକରି ମୁଠେ ଖାଇ ଦେବାର କଥା। ଆଘୋ ଘରକ ୩୦-୩୫ ଲୁକ ନୂଆଁ ଖାଉଥିଲେ। ଏଭେ ହେନ୍ତା ହେଇଗଲେ କେଡେଟେ କଥା ବାଗିର ଟିଭିଥି ବାହାରୁଛେ। ନିଜର୍‌ କୁଟୁମ୍‌ନୁ ବାହାରି ଆସ୍‌ଲେ ସମାଜ୍‌ର ଏକତାର୍‌ କଥା ତ ଆର୍‌ ସାଂଘାତିକ୍। ଜାଏତ୍‌, ଧରମ୍‌, ଧନୀ, ଗରିବ୍‌, ହିଂସା ଅହଁକାର୍‌ ଭାବ୍‌ନା ବଢୁଛେ କି କମୁଛେ ?

କଲାକାର୍‌ ସଂଖ୍ୟା ବଢିଛେ, କାର୍ଯ୍ୟକ୍ରମ୍‌ ବି ବଢିଛେ। ବାକି ଆମର୍‌ ସଂସ୍କୃତି ବଢିଛେ କାଏଁ ? ନୂଆଁଖାଇ ହେଉଛେ ଲୋକ ତିହାର୍। ଇନେ ସଭେ ମିଶିକରି ସଂସ୍କୃତିକେ ଆଗ୍‌କେ ନେବାରକେ ପଡ୍‌ସି। ଖାଲି କଲାକାର୍ ମାନ୍‌କୁଁ ବାହାରୁ ଡାକିଆନିକରି କାର୍ଯ୍ୟକ୍ରମାନେ କରିଦେଲେ ନାଇଁ ହୁଏ। ସେଟାକେ ଲୋକ୍‌ ପରମ୍ପରା କୁହାଯାଇ ନାଇଁ ପାରେ କି ପରମ୍ପରା ଜହ ଦିନ୍ ତିଷ୍ଠି ବି ନାଇଁ ପାରେ। ଗାଁ- ଗାଁ ଥି କେତେ ସୁନ୍ଦର ହଲିଆ ଗୀତ୍‌, ଘୁବୁକୁଡୁ, କରମା ଆଘୋନୁ ଶୁନ୍‌ବାରକେ ମିଲୁଥିଲା। ଆଜି ବି ହେଉଛେ। ହେଲେ ଆଘର୍‌ଟା ଶୁନବେ ଆର୍‌ ଆଜିର୍‌ଟା ଶୁନ୍‌ଲେ ଜାନି ପାରବେ ଯେ, କେନଥି ନିଜର୍‌ ମାଟିର୍‌ ମହକ୍ ଆସୁଛେ। ଲୋକ୍‌ ଗୀତ୍‌ ଆର୍‌ ଲୋକ୍‌ ନାଚର୍‌ ମହକ୍ ଅଲଗା। ଯେନ୍‌ଟା ଦୁଇଘଣ୍ଟିଆ ରଙ୍ଗାରଙ୍ଗ୍‌ କାର୍ଯ୍ୟକ୍ରମ୍‌ ନୁଁ କେଭେ ନାଇଁ ମିଲେ। ଦିନେ ଖୁସିରେ ଗୁଟେ କରବାର୍ ଆର୍‌ ସବୁଦିନିଆ ଜୀବନ୍‌ନେ ସେଟାକେ ହିଁ ଜିଁବାରନେ ଫରକ୍ ଅଛେ। ଆମର୍‌ ନୂଆଁଖାଇ ବଛର୍‌ ଜାକର୍‌ ଜୀବନ୍ ଜାକର୍‌ ବଞ୍ଚ୍‌ବାର୍‌ ରାହା ଦେଖାସି। ହେଟାକେ ଆମେ ପାସ୍‌ରି ଦେଉଛୁଁ।

ଆର୍‌ ଗୁଟେ କଥା। ଆମର୍‌ ଚାଷ୍ ଆରୁ ଚାଷୀର୍‌ ଅବସ୍ଥା କେନ୍ତା ଅଛେ ? ପରିସ୍ଥିତି ଏନ୍ତା ଯେ ନୂଆଁ ଧାନ୍‌ ମିଲବାର୍ ଟା ମୁସ୍କିଲ ହେଇ ଯାଉଛେ। କେତେ ଚାଷୀ ବିଷ୍‌ ଖାଇକରି ମଲେନ ତ କେତେ ଉଚକି ହେଇ କରି ଜୀବନ୍ ହାରଲେନ। ଇ ସମସ୍ୟାର୍‌ ସମାଧାନ୍‌ କାଣା ଆଏ ? ଯାହାର୍‌ ଉପ୍‌ରେ ଆମର୍‌ ଏତେ ବଡ଼୍‌ ସଂସ୍କୃତି ତିଷ୍ଠିଛେ? ଆଜି ତାର୍‌ ଘୋର ବିପଦ ସମିଆଁନେ ଆମର୍‌ ସମାଜ କାଣା କରୁଛେ?

ଥରେ ଭାବୁନ ତ ନୂଆଁଖାଇ ଧାନ ଦୁଇ ମୁଠା ନାଇଁ ହେଲେ କାଣାକେ ନୂଆଁ କୁଡାଁ କରମା? ଅଲ୍‌ଗା ଅଞ୍ଚଲ୍‌ନୁ ଧାନ ଆନିକରି ନୂଆଁ ଖାଏମା। ହେଟା ଆମର୍‌ ନୂଆଁଖାଇ ଆଏ। ଆମର୍‌ ଚଷା ଭାଇ ମାନକୁଁ ହେ ନୂଆଁଖାଇ କୁଡାଁ ରୁଚ୍‌ବା? ଚାଷୀର ସମସ୍ୟା ଯେତ୍‌କି ବଢି ବଢି ଯିବା, ଆମର୍‌ ସଂସ୍କୃତି ଆମର୍‌ ନୂଆଁଖାଇ ପ୍ରତି ବିପଦ୍‌ ହେତକି ରିସେ ମାଡି ଆଏବା। ଇଥିର ଲାଗି ଚିନ୍ତା କରବାର୍ ଆରୁ ରାସ୍ତା ବାହାର୍‌ କରବାର୍ ସମିଆଁ ଇହାଦେ ଆସ୍‌ଲାନ। ନାଇଁ ହେଲେ ଆଗ୍‌କେ ଚାଷ ବନ୍ଦ୍ ତ ନୂଆଁଖାଇ ବି ବନ୍ଦ୍ !! ଆର୍‌ ଆମର ସଂସ୍କୃତି ପରମ୍ପରା…

ନୂଆଁଖାଇ ଆମର୍‌ ଲାଗି ଖାଲି ଗୁଟେ ତିହାର ନାଇଁସେ, ଇଟା ଆମର୍‌ ପରିଚୟ ଆଏ। ଆମର୍‌ ସଂସ୍କୃତି, ଖାନାପିନା, ପିନ୍ଧାଉଢ଼ା, ନାଚ୍‌-ଗୀତ୍‌ ସବୁଥିର୍‌ ପରିଚୟ। ଏକତାର ଆର୍‌ ଭାଇଚାରାର ପରବ୍‌ ଆଏ

ନୂଆଁଖାଇ ସମାଜ୍‌କେ ଗୁଟେ କରି ବାନ୍ଧବାର୍‌ ପରବ୍‌। ହେଲେ ଡର୍‌ ଲାଗ୍‌ସି ଯେ, ଯେନ୍‌ ପରବ୍‌ ସବ୍‌କୁ ଯୁଡ୍‌ ବାର୍‌ କଥା ଆଏ ସେଟା ଆଉ ହେଇ ନି ପାର୍‌ବାର୍‌। ଇ ପରବ୍‌ କେଭେ ମୁଁ ବଲି ନାଇଁ ଶିଖାଏ। ଆମେ ବଲି ଶିଖାସି। ଆରୁ ସେ ଆମେ ରେ ଖାଲି ଆମର୍‌ ଘର କି ପଡା, ଗାଁ , ପଞ୍ଚାୟତ, ବ୍ଲକ , ଜିଲ୍ଲା କି ପଶ୍ଚିମ ଓଡ଼ିଶା ନାଇଁ ଆସେ। ସାରା ଉଡ଼ିଶା ଆଏସି। ଭାରତ୍‌ ଆଏସି। ସାରା ବିଶ୍ୱ ଆଏସି। ସୁଧୈବ କୁଟୁମ୍ବକମ୍ ବଲି କହେସି। ଆମର୍‌ ନୂଆଁଖାଇ, ଆସୁନ୍‌ ସଭେ ମିଶିକରି ନୂଆଁ ଖାଏମା । ନୂଆଁଖାଇ ଜୁହାର୍‌…



from Odisha Reporter https://ift.tt/2zMGRd6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages