ବେଙ୍ଗାଲୁରୁ: ପିଶାଚ ସଜାଇଲା ପବ୍ଜି ନିଶା। ଭିଡିଓ ଗେମ୍ ଖେଳିବାକୁ ବାରଣ କରିବାରୁ ବାପାକୁ ହାଣି ହତ୍ୟା କଲା ପୁଅ। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକର ବେଲ୍ଗାମ୍ ଅଞ୍ଚଳରେ। ମୃତକ ହେଲେ କାକ୍ତି ଥାନା ଅଧୀନସ୍ଥ ସିଦ୍ଧେଶ୍ୱର ନଗରର ଶେକରପ୍ପା ରେଭପ୍ପା କୁମ୍ବର।
ଅଭିଯୋଗ ଅନୁସାରେ, ୪ ମାସ ତଳେ ପୁଲିସ ଚାକିରୀରୁ ଅବସର ନେଇଥିଲେ ୬୧ ବର୍ଷୀୟ ଶେକରପ୍ପା। ତାଙ୍କ ୨୧ ବର୍ଷୀୟ ପୁଅ ରଘୁବୀର ଡିପ୍ଲୋମା ପାସ୍ ପରେ ବେରୋଜଗାର୍ ହୋଇ ଘରେ ବସିରହି ସବୁବେଳେ ଭିଡିଓ ଗେମ୍ ଖେଳୁଥିଲେ। ଶେକରପ୍ପା ପୁଅ ରଘୁବୀରକୁ ସବୁବେଳେ ଭିଡିଓ ଗେମ୍ ଖେଳିବାକୁ ବାରଣ କରୁଥିଲେ।
ରବିବାର ପୁଅ ରଘୁବୀର ପୁଣି ପବ୍ଜି ଗେମ୍ ଖେଳୁଥିବା ବେଳେ ଶେକରପ୍ପା ତାଗିଦ୍ କରିଥିଲେ। ଏଥିରେ ବିରକ୍ତି ହୋଇ ରଘୁବୀର ପଡ଼ିଶା ଘର ଝରକା କାଚକୁ ଏକ ପଥର ଫିଙ୍ଗି ଘରୁ ବାହାରି ଯାଇଥିଲେ। ପଡ଼ିଶାଘର ଲୋକେ ପୁଲିସ୍କୁ ଖବର ଦେବାରୁ କାକଟି ପୁଲିସ୍ ଷ୍ଟେସନ୍ ଉଭୟ ବାପା ପୁଅଙ୍କ ନାଁରେ ସମନ କରିଥିଲା। ଏହାପରେ ଶେକରପ୍ପା ପୁଅର ଭିଡିଓ ଗେମ୍ ନିଶା ଲାଗିଥିବା ପୁଲିସ୍କୁ କହିବାରୁ ପୁଅକୁ ପ୍ରାୟ ଘଣ୍ଟେ କାଳ ପଚରାଉଚରା କରି ପୁଲିସ୍ ଉଭୟଙ୍କୁ ଛାଡ଼ି ଦେଇଥିଲା।
ବାପା ପୁଅ ଘରକୁ ଫେରିବା ପରେ ପୁଣି ମୋବାଇଲ୍ ଧରି ଅଧରାତି ପର୍ଯ୍ୟନ୍ତ ଭିଡିଓ ଗେମ୍ ଖେଳିଥିଲେ ରଘୁବୀର। ଏହା ଦେଖି ଶେକରପ୍ପା ତାକୁ ପୁଣି ପାଟି କରି ଶୋଇବାକୁ କହିଥିଲେ। ଏଥିରେ ଖୁବ୍ ଉତ୍କ୍ଷିପ୍ତ ହୋଇ ରାଗି ପାଚି ଲାଲ୍ ହୋଇଯାଇଥିଲେ ରଘୁବୀର। ଆଉ ଯୋଜନା ମୁତାବକ ଭୋର୍ ୫ଟା ସମୟରେ ଘରର ଅନ୍ୟ ସଦସ୍ୟ ଶୋଇଥିବା ରୁମ୍ର କବାଟ ବନ୍ଦ କରି ଦେଇଥିଲେ। ଏହାପରେ ଏକ ପରିବା କଟା ଛୁରିରେ ବାପାଙ୍କୁ ଆକ୍ରମଣ କରିଥିଲେ ରଘୁବୀର।
ଛୁରି ଆଘାତରେ ଶେକରପ୍ପା ଚିତ୍କାର କରିବାରୁ ଘରେ ଥିବା ତାଙ୍କ ପତ୍ନୀଙ୍କ ନିଦ ଭାଙ୍ଗିଯାଇଥିଲା। ସେ ପଡ଼ିଶା ଘରକୁ ଡାକ ପକାଇବାରୁ ସଙ୍ଗେ ସଙ୍ଗେ ପୁଲିସ୍କୁ ଫୋନ୍ କରିଥିଲେ ପଡ଼ିଶା ଲୋକେ। ପୁଲିସ୍ ପହଞ୍ଚିବା ବେଳକୁ ଶେକରପ୍ପାଙ୍କୁ ହତ୍ୟା କରିସାରିଥିଲା ପୁଅ। ତାଙ୍କ ବାମ ଗୋଡ଼ ଓ ମୁଣ୍ଡକୁ କାଟିଦେଇଥିଲା ପିତୃହନ୍ତା ପୁଅ। ପୁଲିସ ଅଭିଯୁକ୍ତ ପୁଅକୁ ହେପାଜତକୁ ନେବା ସହ ହତ୍ୟାକାଣ୍ଡର ତନାଘନା ଆରମ୍ଭ କରିଛି।
from Odisha Reporter https://ift.tt/2A1iYyO
No comments:
Post a Comment