ବ୍ରହ୍ମପୁର (ଜଗନ୍ନାଥ ସାହୁ): ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ବେହାଲ ହୋଇପଡ଼ିଛି। କେଉଁଠି ରାସ୍ତାରେ ଜଳ ପ୍ରବାହିତ ହେଉଛି ତ କେଉଁଠି ପୋଲ ଭାଙ୍ଗି ଯାଇଛି। ଏମିତି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ଘୋଷଣା କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଯିବେନି, କିନ୍ତୁ ଶିକ୍ଷକମାନେ ଯିବେ। ଦରକାର ପଡ଼ିଲେ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ ବୋଲି ମଧ୍ୟ ଜିଲ୍ଲା ପ୍ରଶାସନ କହିଛି।
ପ୍ରବଳ ବର୍ଷାରେ ସାନଖେମୁଣ୍ଡି ବୁଦ୍ଧେଶ୍ୱରୀ ମନ୍ଦିର ନିକଟ ପୋଚକା ନାଳର ପୋଲ ଭାଙ୍ଗିଯାଇଛି। ଫଳରେ ଆସିକା-ଦିଗପହଣ୍ଡି ମଧ୍ୟରେ ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ସେଠାରେ ପୁଲିସ୍କୁ ମୁତୟନ କରାଯାଇଛି।
କବିସୂର୍ଯ୍ୟନଗର ଧନେଇ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଧରାକୋଟ ଶ୍ରଦ୍ଧାପୁର ଜାତୀୟ ରାଜପଥରେ ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ହିଞ୍ଜିଳି, ପୋଚିଲିମା ଓ ଶିଆଳିଆ ଆଦି ସ୍ଥାନରେ ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେଉଛି। ଡେଙ୍ଗାଡ଼ି ଗାଁରେ ବର୍ଷା ପାଣି ପଶିଯିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଆସିକା, ଧରାକୋଟ, କବିସୂର୍ଯ୍ୟନଗର ଓ ଶେରଗଡ଼ ଆଦି ଅଞ୍ଚଳର ଚାଷ ଜମି ଜଳମଗ୍ନ ହେବା ସହ ପରିବା ଚାଷ ନଷ୍ଟ ହୋଇଯାଇଛି। ଆସିକା ସହରର ଉଭୟ ପଟେ ଥିବା ଋଷିକୂଲ୍ୟା ଓ ବଡ଼ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି।
from Odisha Reporter https://ift.tt/2MX0V5o
No comments:
Post a Comment