ନୂଆଦିଲ୍ଲୀ: ‘ବାହୁବଲି’ ଫେମ୍ ପ୍ରଭାସଙ୍କୁ ନେଇ ଫ୍ୟାନ୍ସଙ୍କର ପାଗଳାମି ଦିନକୁ ଦିନ ବଢ଼ି ଚାଲିଛି । ତେଲେଙ୍ଗାନାର ଜଙ୍ଗମ୍ ଅଞ୍ଚରେ ପ୍ରଭାସଙ୍କର ଜଣେ ପ୍ରଶଂସକ ବୁଧବାର ଏପରି କିଛି କାମ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଭାସଙ୍କୁ ଦେଖା କରିବା ପାଇଁ ବ୍ୟକ୍ତି ଜଣକ ମୋବାଇଲ୍ ଟାୱାର ଉପରେ ଚଢ଼ି ଯାଇଥିଲେ। ଏପରିକି ପ୍ରଭାସ ଦେଖା ନ କଲେ ଟାୱାରରୁ ଡେଇଁ ଜୀବନ ହାରିବେ ବୋଲି ଧମକ ମଧ୍ୟ ଦେଇଥିଲେ।
ସୋଶାଲ ମିଡିଆରେ ବ୍ୟକ୍ତି ଜଣକ ମୋବାଇଲ୍ ଟାୱାରରେ ଚଢ଼ିଥିବା ଫଟୋକୁ ଶେଆର୍ କରାଯାଇଛି। ‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁସାରେ ବ୍ୟକ୍ତି ଜଣକ ପ୍ରଭାସଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ପରିଚୟ ଦେଇଥିଲେ। ପ୍ରଭାସଙ୍କ ସହିତ ଦେଖା କରିବାକୁ ନ ଦେଲେ ମୋବାଇଲ୍ ଟାୱାର୍ରୁ ଡେଇଁ ପଡ଼ିବେ ବୋଲି ଧମକ ଦେଇଥିଲେ। କେବଳ ଏତିକି ନୁହେଁ, ପ୍ରଭାସ ମଧ୍ୟ ତାଙ୍କୁ ଦେଖା କରିବା ପାଇଁ ଟାୱାର ଉପରକୁ ଆସନ୍ତୁ ବୋଲି ବ୍ୟକ୍ତି ଜଣକ ଡିମାଣ୍ଡ କରିଥିଲେ।
ସ୍ଥାନୀୟ ଲୋକ ଓ ଅଧିକାରୀମାନେ ବହୁତ ବୁଝାଇବା ପରେ ମଧ୍ୟ ବ୍ୟକ୍ତି ଜଣକ ଟାୱାର୍ ତଳକୁ ଆସିବା ପାଇଁ ରାଜି ହୋଇନଥିଲେ। ତେବେ ତାଙ୍କର ଏହି ପ୍ରଶଂସକଙ୍କ ବିଷୟରେ ପ୍ରଭାସ ଜାଣିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଏପରିକି ସେହି ବ୍ୟକ୍ତିଙ୍କ ବିଷୟରେ ଅନ୍ୟ କିଛି ସୂଚନା ମଧ୍ୟ ମିଳିପାରିନାହିଁ। ପୁଲିସ ଏହି ଘଟଣାର ତଦନ୍ତ କରୁଛି।
ତେବେ ଏପରି ଘଟଣା ନୂଆ ନୁହେଁ। ‘ସାହୋ’ ଫିଲ୍ମ ରିଲିଜ୍ର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା। ଥିଏଟର୍ ବାହାରେ ଫିଲ୍ମର ପୋଷ୍ଟର ଲଗାଇବା ସମୟରେ ପ୍ରଭାସଙ୍କ ଜଣେ ପ୍ରଶଂସକଙ୍କର ମୃତ୍ୟୁ ହୋଇଥିଲା।
ପ୍ରଭାସଙ୍କ ଫିଲ୍ମ ‘ସାହୋ’ ବକ୍ସ ଅଫିସରେ ରିଲିଜ୍ ହେବାର ୧୦ ଦିନ ମଧ୍ୟରେ ୪୫୦ କୋଟି ଟଙ୍କା ଆୟ କରିସାରିଛି। ବର୍ତ୍ତମାନ ପ୍ରଭାସ ‘ରାଧା କୃଷ୍ଣ କୁମାର’ ଫିଲ୍ମରେ ଅଭିନୟ କରୁଛନ୍ତି। ଫିଲ୍ମଟି ୨୦୨୦ରେ ରିଲିଜ୍ ହେବ।
from Odisha Reporter https://ift.tt/2NbJ6Q7
No comments:
Post a Comment