ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଓଡ଼ିଶା ସାମ୍ବାଦିକତା ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବର୍ଷୀୟାନ ସାମ୍ବାଦିକ ଦିଲୀପ ଶତପଥୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଗତକାଲି ରାତିରେ ସେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି। କହିଛନ୍ତି,‘ରାଜନୈତିକ ବିଶ୍ଲେଷଣ କ୍ଷେତ୍ରରେ ଦିଲୀପଙ୍କ ସ୍ୱତନ୍ତ୍ର ସ୍ଥାନ ଥିଲା।’
ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କହିଛନ୍ତି,‘ଦିଲୀପଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ଘଟିଛି।’
ଦିଲୀପ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ଏଥିଯୋଗୁ ସେ ନିୟମିତ ଭାବେ ଚିକିତ୍ସିତ ହେଉଥିଲେ। ଗତ ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତୁରନ୍ତ ତାଙ୍କୁ ଏକ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୧୯୬୩ରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଶା ସାମ୍ବାଦିକତା ଜଗତରେ ଥିଲେ ଅନ୍ୟତମ ବ୍ୟକ୍ତିତ୍ୱ। ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନସିଆଲ ଏଡିଟର ଭାବେ କାର୍ଯ୍ୟ କରୁଥିଲେ। ବିଭିନ୍ନ ଟେଲିଭିଜନ ଗଣମାଧ୍ୟମରେ ପ୍ୟାନେଲିଷ୍ଟ ଓ ଛପା ଗଣମାଧ୍ୟମରେ ସ୍ତମ୍ଭକାର ଭାବେ ତାଙ୍କର ପ୍ରସିଦ୍ଧି ରହିଥିଲା। ସେ ରାଜ୍ୟର ବିଭିନ୍ନ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ସହ ମଧ୍ୟ ଜଡ଼ିତ ରହିବା ସହ ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ମଧ୍ୟ ପରିଚୟ ଲାଭ କରିଥିଲେ। ତାଙ୍କର ମୃତ୍ୟୁକୁ ନେଇ ରାଜ୍ୟ ଗଣାମଧ୍ୟମ ଜଗତରେ ଶୋକର ଛାୟା ଖେଳି ଯାଇଛି।
from Odisha Reporter https://ift.tt/3043fcB
No comments:
Post a Comment