ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ନୂଆ ଠିକଣା ଏବେ ତିହାର ଜେଲ। ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାଙ୍କୁ ସେପ୍ଟେମ୍ବର ୧୯ ଯାଏ ତିହାର ଜେଲକୁ ପଠାଇ ଦେଇଛନ୍ତି। ତେବେ ଦେଶର ଏହି ପୂର୍ବତନ ଅର୍ଥ ଓ ଗୃହମନ୍ତ୍ରୀ ତିହାର ଜେଲର ୱାର୍ଡ ନଂ ୭ରେ ପ୍ରଥମ ରାତି କେମିତି କାଟିଲେ, ସେକଥା ଏବେ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ତିହାର ଜେଲକୁ ଯିବା କ୍ଷଣି ଚିଦାମ୍ବରମ ପୂରା ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ସେ ରାତି ତମାମ କେବଳ ବସି ରହିଥିଲେ। ଆଦୌ ଶୋଇ ନଥିଲେ। ଜେଲ କର୍ତ୍ତୃପକ୍ଷ ତାଙ୍କୁ ଗୋଟିଏ ତିକିଆ ଓ ଚାଦର ଦେଇଥିଲେ। ହେଲେ ସେ ଏହାକୁ ବ୍ୟବହାର କରି ନଥିଲେ। ସେହିପରି ସେଲ୍ରେ ଥିବା ପାଣି ପାତ୍ରରୁ ଚିଦାମ୍ବରମ ଆଦୌ ପାଣି ପାଇ ନଥିଲେ। ସେ ପ୍ୟାକେଜଡ ପାଣି କିଣି ପିଇବାକୁ ଚାହିଁଥିଲେ। ଜେଲ କର୍ତ୍ତୃପକ୍ଷ ମଧ୍ୟ ତାଙ୍କୁ ଏହା ଯୋଗାଇ ଦେଇଥିବା ଜଣାପଡ଼ିଛି।
ନିୟମ ଅନୁଯାୟୀ, ଆଜି ସକାଳ ୬ଟାରୁ ହିଁ ଚିଦାମ୍ବରମଙ୍କୁ ଜଳଖିଆ ଦିଆଯାଇଥିଲା। ପ୍ରଥମେ ଚା’ ତା’ ପରେ ଜେଲ ମେନ୍ୟୁରେ ଥିବା ରୁଟି, ପୋହା ଓ ଚୁଡ଼ା ଗୁଣ୍ଡ ଦିଆଯାଇଥିଲା। ଜେଡ୍ ସୁରକ୍ଷା ପାଉଥିବା ଚିଦାମ୍ବରମଙ୍କୁ ତିହାର ଜେଲରେ କୌଣସି ସ୍ୱତନ୍ତ୍ର ସୁବିଧାସୁଯୋଗ ଗତକାଲି ଦିଆଯାଇ ନାହିଁ। ତେବେ ସେ ଚାହିଁଲେ ନିଜ ସେଲ୍ ବାହାରେ ଚଲାବୁଲା କରିପାରିବେ ଓ ତାଙ୍କ ସେଲକୁ ଦିଆଯାଉଥିବା ଖବରକାଗଜ ପଢ଼ିପାରିବେ।
ଗତକାଲି ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ କୋର୍ଟରେ ଏକାଧିକ ଦାବି ଉପସ୍ଥାପନ କରିଥିଲେ। ଚିଦାମ୍ବରଙ୍କୁ ଜେଲରେ ୱେଷ୍ଟର୍ଣ୍ଣ ଟଏଲେଟ, ସ୍ୱତନ୍ତ୍ର ଚଷମା ଓ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ସେ କୋର୍ଟଙ୍କୁ ନିବେଦନ କରିଥିଲେ। କୋର୍ଟ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ। ଚିଦାମ୍ବରମ ଚାହିଁଲେ ଅନ୍ୟ କଏଦୀଙ୍କ ଭଳି ଟିଭି ଦେଖି ପାରିବେ ଏବଂ ଜେଲ ଲାଇବ୍ରେରୀକୁ ବ୍ୟବହାର କରିପାରିବେ ବୋଲି ମଧ୍ୟ କୋର୍ଟ କହିଥିଲେ।
from Odisha Reporter https://ift.tt/2MW9nla
No comments:
Post a Comment