ମୁମ୍ୱାଇ: ଭାରତରେ ଫ୍ୟାନ୍ମାନେ ତାଙ୍କ ମନ ପସନ୍ଦ ଅଭିନେତା ଓ ଅଭିନେତ୍ରୀଙ୍କୁ ପୂଜା କରିବା କଥା ଆପଣ ଶୁଣିଥିବେ। କିନ୍ତୁ ଜଣେ ସୁପରଷ୍ଟାର୍ ଅନ୍ୟ ଜଣେ ସୁପରଷ୍ଟାରଙ୍କ ପୂଜା କରିବା କଥା ଆପଣ ଶୁଣିନଥିବେ। କିନ୍ତୁ ଏହା ସତ। ସୁପରଷ୍ଟାର ଅମିତାଭ ବଚ୍ଚନ ଲୋକପ୍ରିୟ ଅଭିନେତ୍ରୀ ୱାହିଦା ରେହମାନ୍ଙ୍କୁ ତାଙ୍କର ଆଦର୍ଶ ବୋଲି ମାନିଥାନ୍ତି।
ସିଙ୍ଗିଙ୍ଗ୍ ରିୟାଲିଟି ଶୋ’ ‘ସୁପରଷ୍ଟାର ସିଙ୍ଗର୍’ରେ ଯୋଗ ଦେଇ ବିଗ୍ ବି ଏହି କଥା ସ୍ୱୀକାର କରିଛନ୍ତି। ଏପରିକି ଅମିତାଭ ୱାହିଦା ରେହମାନ୍ଙ୍କ ଜୋତା ମଧ୍ୟ ଉଠାଇଥିଲେ ବୋଲି କହିଛନ୍ତି। ସୋନି ଟିଭିର ଏହି ଶୋ’ରେ ଅମିତାଭଙ୍କ ସହିତ ୱାହିଦା ରେହମାନ୍ ଓ ଆଶା ପାରେଖ ମଧ୍ୟ ଯୋଗ ଦେଇଥିଲେ।
ଏହି ଶୋ’ରେ ଅମିତାଭ କହିଥିଲେ, ‘ପ୍ରଥମଥର ପାଇଁ ‘ରେଶମା’ ଓ ‘ସେରା’ ଫିଲ୍ମରେ ମୋତେ ୱାହିଦା ରେହମାନ୍ଙ୍କ ସହିତ କାମ କରିବାକୁ ସୁଯୋଗ ମିଳିଥିଲା। ସେହି ଫିଲ୍ମରେ ସୁନୀଲ ଦତ୍ତ ଓ ୱାହିଦାଙ୍କୁ ଖାଲି ପାଦରେ ମରୁଭୂମି ବାଲିରେ ବସିବାର ଗୋଟିଏ ଦୃଶ୍ୟ କରିବାର ଥିଲା। କିନ୍ତୁ ସେଠାରେ ତାପମାତ୍ରା ଏତେ ଅଧିକ ଥିଲା ଯେ ଜୋତା ପିନ୍ଧି ବି ବାଲିରେ ଛିଡ଼ା ହେବା ଅସମ୍ଭବ ଥିଲା। ମୁଁ ଏହି କଥାକୁ ନେଇ ଚିନ୍ତିତ ଥିଲି ଯେ ୱାହିଦା ଏପରି ପରିସ୍ଥିତିରେ ବିନା ଜୋତାରେ କିପରି ସୁଟିଂ କରିବେ ? ଏଥିପାଇଁ ଡାଇରେକ୍ଟର ବ୍ରେକ୍ ଦେବା ମାତ୍ରେ ସମୟ ନଷ୍ଟ ନ କରି ୱାହିଦାଙ୍କ ଜୋତା ଉଠାଇ ମୁଁ ସିଧା ସେଟ୍ ପାଖକୁ ଦୌଡ଼ିଥିଲି। ମୁଁ ଏହା ବି କହିପାରିବି ନାହିଁ ଯେ ମୋ ପାଇଁ ସେହି ସମୟ କେତେ ମୂଲ୍ୟବାନ୍ ଥିଲା। ’
ବିଗ୍ ବି ଆହୁରି ମଧ୍ୟ କହିଥିଲେ, ଦିଲ୍ଲୀପ କୁମାର ଓ ୱାହିଦା ରେହମାନ୍ ମୋ ଜୀବନର ଆଦର୍ଶ। ଆଜି ପର୍ଯ୍ୟନ୍ତ ୱାହିଦା ରେହମାନ୍ ମୋ ପାଇଁ ସବୁଠାରୁ ସୁନ୍ଦର ମହିଳା। ଭଲ ଅଭିନେତ୍ରୀ ସହିତ ସେ ଜଣେ ଭଲ ମଣିଷ ମଧ୍ୟ। ମୋ ପାଇଁ ୱାହିଦା ଜଣେ ଭାରତୀୟ ଆଦର୍ଶ ନାରୀର ଉଦାହରଣ। ବଲିଉଡ୍ ଇଣ୍ଡଷ୍ଟ୍ରୀ ପାଇଁ ତାଙ୍କର ଅତୁଳନୀୟ ଯୋଗଦାନ ରହିଛି, ଯାହାକୁ ମୁଁ ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରିପାରିବି ନାହିଁ।
ସୂଚନାଯୋଗ୍ୟ ୱାହିଦା ରେହମାନ୍ ଓ ଅମିତାଭ ବଚ୍ଚନ ‘ତ୍ରିଶୁଲ୍’, ‘ଅଦାଲତ’ ଓ ‘ନମକ ହଲାଲ୍’ ପରି ଫିଲ୍ମରେ ଏକା ସଙ୍ଗରେ କାମ କରିଛନ୍ତି।
from Odisha Reporter https://ift.tt/2PMmlUN
No comments:
Post a Comment