ବିଧବା ବୋହୂକୁ ସଧବା ସଜାଇ ବିଦା କଲେ ଶାଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 13, 2019

ବିଧବା ବୋହୂକୁ ସଧବା ସଜାଇ ବିଦା କଲେ ଶାଶୁ

ଅନୁଗୋଳ ( ବିରଜା ଦାସ):  ବିବାହ କରି ନିଜ ସୁନାର ସଂସାର ଗଢ଼ିବେ, ସୁଖଦୁଃଖରେ ସ୍ୱାମୀ ହାତ ଧରି ବାଟ ଚାଲିବେ। ଏପରି ଆଖିଏ ସ୍ୱପ୍ନ ନେଇ  ୭ ମାସ ପୂର୍ବେ ମଥାରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧି ବୋହୂ ବେଶରେ ସଜେଇ ହୋଇ ଶାଶୁ ଘରକୁ ଆସିଥିଲେ ଲିଲି ବେହେରା। ହେଲେ ନିୟତିରେ କିଛି ଅଲଗା ଲେଖାଥିଲା। ସହିପାରିଲେନି ଭଗବାନ। ମାତ୍ର ୫ ମାସର ସୁଖର ସଂସାରେ ଲାଗିଲା ନିଆଁ। ଅଦିନରେ ସ୍ୱାମୀଙ୍କ ଜୀବନଦୀପ ଲିଭିବା ସହ ଲିଲିଙ୍କ ସିନ୍ଥିରୁ ପୋଛି ହୋଇଗଲା ସିନ୍ଦୂର ଓ ହାତ ହୋଇଗଲା ଖାଲି।

ପୁଅକୁ ହରାଇବାର କୋହ ମନରେ ଚାପି ରଖିଥିବା ଶାଶୁଙ୍କୁ କିନ୍ତୁ ବୋହୂର ଏ ବେଶ ଖୁବ୍‌ ବାଧିଥିଲା। ବାକି ଜୀବନ ବିଧବାର ତାଡ଼ନା କିପରି ବୋହୂ ସହିବ ସେହି ଚିନ୍ତା ତାଙ୍କୁ ଘାରିବାକୁ ଲାଗିଲା। ଶେଷରେ ୨ ମାସର ଏହି କଷ୍ଟ ପରେ ବୋହୂକୁ ପୁଣି ଥରେ ସଧବା ବେଶରେ ସଜାଇ ନିଜ ଘରୁ ବିଦା କରିଛନ୍ତି ଶାଶୁ। ଏହା କୌଣସି ଫିଲ୍ମର ଦୃଶ୍ୟ ନୁହେଁ ବରଂ ନିଚ୍ଛକ ସତ କାହାଣୀ। ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେରର ଗୋବରା ଗ୍ରାମରେ।

୨୦୧୯ ମସିହା ଫେବୃଆରିରେ ଗୋବରା ଗ୍ରାମର ପୂର୍ବତନ ସରପଞ୍ଚ ପ୍ରତିମା ବେହେରାଙ୍କ ସାନ ପୁଅ ରଶ୍ମୀରଞ୍ଜନଙ୍କୁ ବିବାହ କରିଥିଲେ ତୁରଙ୍ଗ ଗ୍ରାମର ଲିଲି ବେହେରା । ବିବାହର ୫ ମାସ ପର୍ଯ୍ୟନ୍ତ ବେଶ୍‌ ହସଖୁସିରେ ଚାଲିଥିଲା ନବଦମ୍ପତିଙ୍କ ବୈବାହିକ ଜୀବନ। ମାତ୍ର ହଠାତ୍‌ ଦଇବ ସାଧିଲା ଦାଉ।

ଭରତପୁର କୋଇଲା ଖଣି ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ରଶ୍ମୀରଞ୍ଜନ। ପ୍ରତିମା ଦେବୀଙ୍କ ଘର ଛାରଖାର୍‌ ହୋଇଗଲା । ପୁଅକୁ ହରାଇବା କଷ୍ଟଠୁ ବଳିଗଲା ସ୍ୱଳ୍ପ ବୟସ୍କା ବୋହୂକୁ ବିଧବା ବେଶରେ ଦେଖିବା ଦୁଃଖ ।  ଲିଲିକୁ ଦ୍ୱିତୀୟ ବିବାହ ଲାଗି ପରିବାର ଲୋକେ ବହୁ ଥର ବୁଝାଇବା ସତ୍ତ୍ୱେ ସେ ରାଜି ହୋଇ ନ ଥିଲେ।  ଶେଷରେ ସମସ୍ତଙ୍କ କଥାକୁ ସମ୍ମାନ ଦେଇ ବିବାହ ପାଇଁ ହଁ ଭରିଲେ।

ପ୍ରତିମା ଦେବୀ ବୋହୂର ବିବାହ ପ୍ରସ୍ତାବ ନେଇ ପହଞ୍ଚିଲେ ହେମସୁରପଡ଼ାର ବାସିନ୍ଦା ନିଜ ଭାଇ ପ୍ରାଣବନ୍ଧୁ ବେହେରାଙ୍କ ପାଖରେ। ପ୍ରାଣବନ୍ଧୁଙ୍କ ପୁଅ ସଂଗ୍ରାମଙ୍କ ସହ ଲିଲିଙ୍କ ବିବାହ ସ୍ଥିର ହେଲା । ଭଣଜା ବୋହୂକୁ ନିଜ ଘରକୁ ବୋହୂ କରି ନେବାକୁ ତିଳେ ବି କୁଣ୍ଠା କଲେନି ପ୍ରାଣବନ୍ଧୁ । ଲିଲିଙ୍କ ବାପାଘର ଲୋକ, ପ୍ରତିମା ଦେବୀଙ୍କ ପରିବାର ଓ ପ୍ରାଣବନ୍ଧୁଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷରେ ବୁଧବାର ଅନୁଗୁଳର ରାଜକିଶୋରପଡ଼ା ଜଗନ୍ନାଥ ମନ୍ଦିରରେ ସମ୍ପନ୍ନ ହେଲା ଏହି ନିଆରା ବିବାହ । ଏହି ବିବାହରେ ଘରର ସମସ୍ତ ଲୋକ ବେଶ୍‌ ଖୁସି ଥିବା ବେଳେ ମୁଖ୍ୟ ଭୂମିକା ନିଭାଇଥିଲେ ପ୍ରତିମା ଦେବୀ ଓ ତାଙ୍କ ଭାଇ ପ୍ରାଣବନ୍ଧୁ ବାବୁ।

ଏପରି ଏକ ମହାନ କାମ କରି ପରିବାରର ସମସ୍ତ ବ୍ୟକ୍ତି ବେଶ୍‌ ଖୁସି ଅଛନ୍ତି। ସମସ୍ତଙ୍କ ସମର୍ଥନରେ ଏହି ବିବାହ ସଂପନ୍ନ ହୋଇଛି। ପ୍ରତିମା ଦେବୀଙ୍କ ଦିଅର ଟୁନା ବେହେରା ଲିଲିଙ୍କ କନ୍ୟା ଦାନ କରିଛନ୍ତି। ସାହି-ପଡ଼ିଶାରୁ ନେଇ ଆଖପାଖ ଅଞ୍ଚଳର ସମସ୍ତଙ୍କ ପାଇଁ ଏ ଆଦର୍ଶ ବିବାହ ଏକ ଉଦାହାରଣ ପାଲଟିଛି।



from Odisha Reporter https://ift.tt/2V2Rjax

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages