ସୁନ୍ଦରଗଡ଼ (ପବନ ତିୱାରୀ): ଆଜି ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଆଉ ଏହି ଦିନଟିକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଏ। ସେ ଜଣେ ଛାତ୍ରବତ୍ସଳ ଗୁରୁ ଥିଲେ। ନିଜ ବେତନର ଏକ ବଡ଼ ଭାଗ ସେ ଗରିବ ଛାତ୍ରଛାତ୍ରଙ୍କ ପାଇଁ ଖର୍ଚ୍ଚ କରୁଥିଲେ। ଆଜି ସେ ନାହାନ୍ତି ସତ, କିନ୍ତୁ ଏବେ ବି ଏମିତି ଅନେକ ଗୁରୁ ଅଛନ୍ତି, ଯେଉଁମାନଙ୍କ ପାଇଁ କେବଳ ଶ୍ରେଣୀରେ ପାଠ ପଢ଼ାଇ ଦେଇ ନିଜ ଦାୟିତ୍ୱ ସରିଗଲା ବୋଲି ଭାବନ୍ତି ନାହିଁ। ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ପ୍ରତି ସେମାନଙ୍କର ଥିବା ଦାୟିତ୍ୱ ଯେ କେତେ ଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ, ତାହା ସେମାନେ ଭଲ ଭାବେ ଜାଣନ୍ତି ଓ ତାକୁ ପାରୁମତେ ନିର୍ବାହ କରିବାକୁ ନିରବଚ୍ଛିନ୍ନ ପ୍ରୟାସ କରନ୍ତି। ସେମିତି ଜଣେ ଶିକ୍ଷକ ହେଉଛନ୍ତି ସଞ୍ଜୟ ସାମଲ।
ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ସଞ୍ଜୟ ସାମଲ। ତାଙ୍କ ପାଇଁ ସ୍କୁଲ୍ ହିଁ ସବୁ କିଛି। ଆଉ ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କୁ ସେ ନିଜ ସନ୍ତାନ ଭଳି ଦେଖନ୍ତି।
୨୦୦୪ରେ ସେ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସହକାରୀ ଶିକ୍ଷକ ଭାବେ ବଦଳି ହୋଇ ଆସିଥିଲେ। ସେତେବେଳେ ଏହି ସ୍କୁଲ୍ରେ ମାତ୍ର ୮୦ ଜଣ ଛାତ୍ରଛାତ୍ରୀ ଥିଲେ। କିନ୍ତୁ ଆଜି ସେଠାରେ ପଢ଼ୁଛନ୍ତି ୧୧୧୭ ଜଣ ଛାତ୍ରଛାତ୍ରୀ। ଏବେ ଏଠାକୁ ଜିଲ୍ଲା ବାହାରୁ ମଧ୍ୟ ପିଲା ପଢ଼ିବାକୁ ଆସୁଛନ୍ତି। ଚଳିତ ବର୍ଷ ଏଠାରେ ସମ୍ବଲପୁର,ଦେବଗଡ଼ ଓ ଝାରସୁଗୁଡା ଜିଲ୍ଳାର ବହୁ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏଠାରେ ଥିବା ହଷ୍ଟେଲ୍ରେ ୪୭୦ ଜଣ ଛାତ୍ରଛାତ୍ରୀ ରହୁଛନ୍ତି।
ସରକାରୀ ସ୍କୁଲ୍ରୁ ଅଭିଭାବକମାନେ ମୁହଁ ମୋଡ଼ି ନେଉଥିବା ବେଳେ କୁମଝରିଆ ସ୍କୁଲ୍ ଏ କ୍ଷେତ୍ରରେ ଏକ ଉଦାହରଣ ସାଜିଛି। ଆଉ ଏହାରି ପଛରେ ସଞ୍ଜୟ ସାର୍ଙ୍କ ବଡ଼ ଅବଦାନ ରହିଛି। ଏହି ସ୍କୁଲ୍ରେ ସହକାରୀ ଶିକ୍ଷକ ଭାବେ ଯୋଗ ଦେବା ଦିନଠାରୁ ହିଁ ସେ ଏହାର ଉନ୍ନତିରେ ଲାଗି ପଡ଼ିଥିଲେ। ଆଉ ୨୦୧୧ରେ ସେ ପ୍ରଧାନ ଶିକ୍ଷକ ପଦରେ ବସିବା ପରେ ସ୍କୁଲ୍ର ଉନ୍ନତି ପାଇଁ ସେ ତାଙ୍କ କାର୍ଯ୍ୟକୁ ଆହୁରି ବ୍ୟାପ୍ତ କରି ଦେଇଥିଲେ।
ଏ ନେଇ ସେ କହିଛନ୍ତି,“ଏବେ ବାହାର ଜିଲ୍ଲାର ଅଭିଭାବକମାନେ ଜାନୁଆରୀ ମାସରୁ ଆସି ଏଠାରେ ଛୁଆଙ୍କ ନାଁ ଲେଖାବା ପାଇଁ ଭିଡ଼ ଜମାଉଛନ୍ତି। ସଠିକ୍ ଯତ୍ନ ନେଲେ ସେ ସରକାରୀ ହେଉ କି ବେସରକାରୀ ସବୁଠି ଛାତ୍ରଛାତ୍ରୀ ସଂଖ୍ୟା ବଢ଼ିବ।”
ଆବଶ୍ୟକ ସ୍ଥଳେ ସେ ନିଜ ଦରମା ଟଙ୍କାକୁ ସ୍କୁଲ୍ କାମରେ ଲଗାଇ ଦିଅନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ବି ଟଙ୍କା ଖର୍ଚ୍ଚ କରିବାକୁ ସେ କୁଣ୍ଠାବୋଧ କରନ୍ତି ନାହିଁ। ତାଙ୍କ ପ୍ରୟାସ ଓ ଦିଗ୍ଦର୍ଶନ ଯୋଗୁ ଗତ କିଛି ବର୍ଷ ହେବ ସ୍କୁଲ୍ର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ମଧ୍ୟ ଭଲ ହେଉଛି। କେବଳ ପାଠପଢ଼ା ନୁହେଁ, ସ୍କୁଲ୍ର ପରିବେଶ, ପରିଷ୍କାର ପରିଚ୍ଛନ୍ନତା, ମଧ୍ୟାହ୍ଣ ଭୋଜନ ଓ ହଷ୍ଟେଲ୍ ପ୍ରତି ମଧ୍ୟ ସେ ସମଦୃଷ୍ଟି ଦେଇଥା’ନ୍ତି। ସେଥିପାଇଁ ୨୦୧୪ ମସିହାରେ କୁମଝରିଆ ସ୍କୁଲ୍ ମଧାହ୍ଣ ଭୋଜନ ପାଇଁ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଥିଲା। ୨୦୧୭ ମସିହାରେ ଏହି ସ୍କୁଲ୍ ଜାତୀୟ ସ୍ତରୀୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଥିଲା। ସେହିପରି ୨୦୧୮ ମସିହାରେ ଏହି ସ୍କୁଲ୍ ରାଜ୍ୟ ସ୍ତରୀୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଥିଲା।
ଅନେକ ସ୍କୁଲ୍ରେ ମଧ୍ୟାହ୍ଣ ଭୋଜନକୁ ନେଇ ଦୁର୍ନୀତି ଅଭିଯୋଗ ଆସୁଥିବା ବେଳେ ଏଠାରେ ଚିତ୍ର ପୂରା ଅଲଗା। ଏଠି ଯେଉଁମାନେ ରୋଷେଇ କରନ୍ତି, ସେମାନଙ୍କ ପାଇଁ ମଧ୍ୟ ଡ୍ରେସ୍ କୋଡ୍ ହୋଇଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ମଧ୍ୟାହ୍ଣ ଭୋଜନର ମାନ ଉପରେ ସଞ୍ଜୟ ସାର୍ କଡ଼ା ନଜର ରଖନ୍ତି। ସେହିଭଳି ହଷ୍ଟେଲ୍ରେ ରହୁଥିବା ପିଲାଙ୍କ ପ୍ରତି ସେ ବେଶ୍ ଯତ୍ନବାନ।
ରୋଶ୍ନୀ ତିର୍କି ନାମକ ଜଣେ ଛାତ୍ରୀ କହିଛନ୍ତି, “ଖାଇବାପିଇବାଠାରୁ ଆରମ୍ଭ କରି ଦେହପା’ ଖରାପ ହେଲେ ଚିକିତ୍ସା ପର୍ଯ୍ୟନ୍ତ ସବୁକଥା ସଞ୍ଜୟ ସାର୍ ବୁଝନ୍ତି।”
ପ୍ରଥମେ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଥିଲା। ଏଠାରେ ୨୦୧୪ରେ ନବମ ଶ୍ରେଣୀ ଖୋଲିଥିଲା। ସେହି ପିଲାମାନେ ୨୦୧୬ରେ ଏହି ସ୍କୁଲ୍ର ପ୍ରଥମ୍ ବ୍ୟାଚ୍ ଭାବେ ଦଶମ ପରୀକ୍ଷା ଦେଇଥିଲେ। ତେବେ ସରକାର ଏହି ଦୁଇ ଶ୍ରେଣୀ ପାଇଁ ଶିକ୍ଷକ ନିଯୁକ୍ତ କରି ନାହାନ୍ତି। ଏହି ଦୁଇ ଶ୍ରେଣୀ ପିଲାଙ୍କ ସମସ୍ତ ପାଠପଢ଼ା ଦାୟିତ୍ୱ ନିଜେ ସଞ୍ଜୟ ସାର୍ ନେଇଥିବା ବେଳେ କିଛି ଅତିଥି ଶିକ୍ଷକ ଆସି ମଧ୍ୟ ପାଠ ପଢ଼ାଉଛନ୍ତି।
ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲଙ୍କ ମଧୁର କଥା, ସ୍କୁଲ୍ ପ୍ରତି ନିଷ୍ଠା ଓ ଛାତ୍ରଛାତ୍ରୀଙ୍କ ପ୍ରତି ଭଲ ପାଇବା ଦେଖି ସମସ୍ତେ କହନ୍ତି- ଶିକ୍ଷକ ହେବ ତ ଏମିତି।
from Odisha Reporter https://ift.tt/2MWeS3e
No comments:
Post a Comment