ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମୁର୍ଷୁଣ୍ଢି ଗାଁରେ ଗଣେଶ ପୂଜା ଭଷାଣି ସମୟରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ମହିଳା, ପୁରୁଷ ଏବଂ ଶିଶୁ ମଧ୍ୟ ରହିଛନ୍ତି। ସେମାନେ ବୀରମହାରାଜପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି।
ସୂଚନା ଅନୁସାରେ, ମୁର୍ଷୁଣ୍ଢି ଗାଁର ଗାନ୍ଧିପଡ଼ାର ‘ଜ୍ୟୋତି ଯୁବକ ସଂଘ’ ପକ୍ଷରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା କରାଯାଇଥିଲା। ତେବେ ଗତକାଲି ସନ୍ଧ୍ୟାରେ ଭଷାଣି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଭସାଣି ଗାନ୍ଧି ପଡ଼ିଆରୁ ବାହାରି ମୁର୍ଷୁଣ୍ଢି ଗାଁ ପରିକ୍ରମା କରି ଟିକ୍ରିପଡାରେ ପହଞ୍ଚିଥିଲା।
ଟିକ୍ରିପଡାର କିଛି ଯୁବକ ପ୍ରୋଶେସନକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ଶେଷରେ ଏହା ଉଗ୍ର ରୂପ ନେଇଥିଲା। ପରିସ୍ଥିତି ଏପରି ହେଲା ଯେ, ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ଟେକାପଥର ମାଡ଼ ହୋଇଥିଲା। ଏନେଇ ବୀରମହାରାଜପୁର ଥାନାରେ ଉଭୟ ପକ୍ଷରୁ ମାମଲା ଦାୟର ହୋଇଛି। ପୁଲିସ୍ ମୁର୍ଷୁଣ୍ଢି ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ କେହି ଗିରଫ ହୋଇ ନାହାନ୍ତି। ଦୋଷୀ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୀରମହାରାଜପୁର ଥାନା ଅଧିକାରୀ ପ୍ରଭା ଧନ କହିଛନ୍ତି।
from Odisha Reporter https://ift.tt/2O1av75
No comments:
Post a Comment