ବରଗଡ଼ (ଦୀପକ ଶର୍ମା): ନକଲି କୀଟନାଶକ ବିକ୍ରି କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଧରିଛି ବରଗଡ଼ କୃଷି ବିଭାଗ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ନକଲି କୀଟନାଶକ ଜବତ ହୋଇଛି। ଜବତ କୀଟନାଶକ ପରୀକ୍ଷା ପରେ ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ କହିଛନ୍ତି।
ବରଗଡ଼ ସହରର ବ୍ରାହ୍ମଣ ବିହାରର ବ୍ରିଜଧାମ କଲୋନିରେ ଥିବା ଏକ ଆପାର୍ଟମେଣ୍ଟରେ ଏହି ନକଲି କୀଟନାଶକ ବେପାର ଚାଲିଥିଲା। ଏ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ଏକ ସ୍କ୍ୱାଡ୍ ଗତକାଲି ଏହି ଆପାର୍ଟମେଣ୍ଟରେ ଚଢଉ କରିଥିଲା। ଏହି ସମୟରେ ସେଠାରେ ୨ ଜଣ ବିନା କୌଣସି ଲାଇସେନ୍ସ ଓ ପରମିସନରେ କିଛି କୀଟନାଶକ ଓ ଔଷଧ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା।
ତେବେ ଏନେଇ ସଂପୃକ୍ତ ବ୍ୟବସାୟୀ କୌଣସି ପ୍ରକାର କାଗଜପତ୍ର ଦେଖାଇନପାରିବାରୁ କୃଷି ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ହାଇଦ୍ରାବାଦରୁ ଏହି ସବୁ ସାମଗ୍ରୀ ଆଣି ଏଠାରେ ପ୍ୟାକେଟ କରି ଚାଷୀଙ୍କୁ ଯୋଗାଇ ଦେଉଥିବା ସେମାନେ ଅଧିକାରୀଙ୍କୁ କହିଥିଲେ। ନକଲି କୀଟନାଶକ ବ୍ୟବସାୟୀ ଦୁଇଜଣ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି । ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି ।
from Odisha Reporter https://ift.tt/30jXV57
No comments:
Post a Comment