ନୂଆଦିଲ୍ଲୀ: ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି ମେଣ୍ଟ ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବାରେ ବିଳମ୍ୱ କରି ଯେଉଁ ଭୁଲ୍ କରିଥିଲା ତାହା କିନ୍ତୁ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ବେଳେ ସଜାଡି ଦେଇଛି। ଆଉ ଏହାର ଶ୍ରେୟ ଏବେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ପାଖକୁ ଯାଇଛି। କାରଣ ମୋଦିଙ୍କ ଦ୍ୱିତୀୟ ସରକାରରେ ମନ୍ତ୍ରୀ ହେବାପରେ ଦଳ ଉପରେ ଅଧିକ ନଜର ଦେଇପାରୁନଥିଲେ ଶାହ। ଏଥିପାଇଁ କାର୍ଯ୍ୟକାରୀ ସଭାପତି ଭାବରେ ଜେପି ନଡ୍ଡା ନିଯୁକ୍ତ ହୋଇଥିଲେ। ହେଲେ ହରିଆଣାରେ ଝୁଲା ବିଧାନସଭା ନିର୍ବାଚନ ଫଳାଫଳ ଦେଖି ଅମିତ ଶାହ ସରକାରୀ କାମ ବାତିଲ କରି ଦଳ କାମରେ ଲାଗିପଡିଥିଲେ। ଆଉ ୨୪ ଘଣ୍ଟା ମଧ୍ୟରେ ହରିଆଣାରେ ବିଜେପି ସରକାର ଗଢ଼ିବାକୁ ଯାଉଛି ବୋଲି ଗତକାଲି ପ୍ରେସ କନଫରେନସ କରି ସ୍ପଷ୍ଟ କରି ଦେଇଛନ୍ତି।
ଅକ୍ଚୋବର ୨୪ରେ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ଯାହାକି ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। କାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ନାରା ଅବ୍ କି ବାର୍ ୭୫ ମାର୍ ଫେଲ୍ ମାରିଥିଲା। ବିଜେପିକୁ ହରିଆଣାବାସୀ ସର୍ବାଧିକ ଜନାଦେଶ ଦେଇଥିଲେ ମଧ୍ୟ ସରକାର ଗଢ଼ିବା ପାଇଁ ଆହୁରି ୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଥିଲା। ନିର୍ବାଚନ ପୂର୍ବରୁ ନୂଆ କରି ତିଆରି ହୋଇଥିବା ଜନନାୟକ ଜନତା ପାର୍ଟି (ଜେଜେପି) କିନ୍ତୁ ୧୦ଟି ଆସନରେ ବିଜୟୀ ହୋଇ କିଙ୍ଗ ମେକର ଭୂମିକାରେ ଆସିଥିଲା। ଏହାପରେ ଜଣାପଡ଼ିଥିଲା ହରିଆଣାରେ ମେଣ୍ଟ ସରକାର ହେବ।
ହରିଆଣାର ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ସିଟରେ ଜତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଏବଂ ଅନ୍ୟାନ୍ୟ ୯ ଜଣ ଜିତିଥିଲେ। ପୂର୍ବରୁ ବିଜେପି ସରକାର ଥିଲା। ତେଣୁ ବିଜେପି ସରକାରର ବିଫଳତାକୁ ଅସ୍ତ୍ର କରି କଂଗ୍ରେସ, ଜେଜେପି ଏବଂ ଅନ୍ୟାନ୍ୟ ବିଧାୟକ ଏଠାରେ ନିର୍ବାଚନ ଲଢ଼ିଥିଲେ।
ଫଳାଫଳ ବାହାରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡ୍ଡାଙ୍କ ନେତୃତ୍ୱରେ କଂଗ୍ରେସ ଏଠାରେ ମେଣ୍ଟ କରି ସରକାର ଗଢ଼ିବ ବୋଲି ଅନୁମାନ କରାଯାଉଥିଲା। ଏଥିପାଇଁ ସମସ୍ତ ପ୍ରୟାସ ମଧ୍ୟ ଆରମ୍ଭ ହୋଇଥିଲା। କେନ୍ଦ୍ର କଂଗ୍ରେସ ନେତା ମଧ୍ୟ ହୁଡ୍ଡାଙ୍କ ନେତୃତ୍ୱରେ ଦଳର ସଫଳତାକୁ ନେଇ ଗଦଗଦ ହୋଇଯାଇଥିଲେ। ହୁଡ୍ଡାଙ୍କ ଘର ଆଗରେ କଂଗ୍ରେସ କର୍ମୀମାନେ ମଧ୍ୟ ବାଣ ଫୁଟାଇ ସେଲିବ୍ରେସନ ଆରମ୍ଭ କରିଦେଇଥିଲେ। ବିଜେପି ଏହି ସମୟରେ ବ୍ୟାକଫୁଟକୁ ଯାଉଥିବା ଦେଖିବାକୁ ମିଳିଥିଲା। ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା କଂଗ୍ରେସ ସହ ମେଣ୍ଟ କରିବା ପାଇଁ ରାଜି ହୋଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ପଦବୀ ମାଗିଥିଲେ। କଂଗ୍ରେସ କିନ୍ତୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦେବା ପାଇଁ ରାଜି ହୋଇଥିଲା। ଏହାପରେ ଦୁଷ୍ୟନ୍ତ ମେଣ୍ଟ ବାବଦରେ ସମୟ ନେଇଥିଲେ।
ଏହି ସମୟରେ ବିଜେପିର ‘ଚାଣକ୍ୟ’ ତଥା ଅଧ୍ୟକ୍ଷ ଅମିତ ଶାହ ନିଜ ମନ୍ତ୍ରଣାଳୟର କାମରୁ ଅବ୍ୟାହତି ନେଇ ଦଳୀୟ କାମକୁ ଫୋକସ କରିଥିଲେ। ଆଉ ନିଜ ବାସ ଭବନରେ ଆରମ୍ଭ କରିଥିଲେ ଗୋଟି ଚାଳନା
ରାତାରାତି ହରିଆଣାର ସିତାରର ବିଜେପି ସଂସାଦ ସୁନୀତା ଦୁଗ୍ଗଲ ହରିଆଣାର ଲୋକହିତ ପାର୍ଟିର ଏକମାତ୍ର ବିଧାୟକ ଗୋପାଳ କାଣ୍ଡା ଏବଂ ୫ ସ୍ୱାଧୀନ ବିଜୟୀ ବିଧାୟକ ପ୍ରାର୍ଥୀଙ୍କୁ ଏକ ଚାଟାର୍ଡ ବିମାନରେ ଆଣି ଦିଲ୍ଲୀରେ ଅମିତ ଶାହ ଏବଂ କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡାଙ୍କ ସହ ଭେଟଘାଟ କରାଇଥିଲେ। ଆଉ ଏହାପରେ ବିଜେପି ସରକାର କରିବାକୁ ଯାଉଥିବା ଏକ ପ୍ରକାର ଔପଚାରିକ ଭାବରେ ସ୍ପଷ୍ଟ ହୋଇଯାଇଥିଲା। ହେଲେ ସଂଖ୍ୟା ଯେତିକି ଥିଲା ତାହା କେବଳ ସରକାର ଗଢ଼ିବା ପାଇଁ। ଅର୍ଥାତ୍ ବିଜେପି ପାଖରେ ୪୬ ବିଧାୟକଙ୍କ ସମର୍ଥନ ମିଳିଯାଇଥିଲା। କିନ୍ତୁ ସ୍ଥିର ସରକାର ଦେବା ପାଇଁ ଆଉ କିଛି ବିଧାୟକଙ୍କ ସମର୍ଥନ ଆବଶ୍ୟକ ଦରକାର କରିଥିଲା ବିଜେପି।
ଏହାପରେ ଗତକାଲି ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲାଙ୍କ ସହ ବୈଠକ କରିଥିଲେ ବିଜେପି ସଭାପତି। ଶେଷରେ ଦୁଷ୍ୟନ୍ତ କଂଗ୍ରେସ ସହ ଯେଉଁ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ରାଜି ହୋଇନଥିଲେ ବିଜେପି ସହ କିନ୍ତୁ ରାଜି ହୋଇଯାଇଥିଲେ। ଏଥିସହ ବାକି ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିବେ ବୋଲି ସ୍ପଷ୍ଟ ହୋଇଛି। ତେଣୁ ବିଜେପି ହରିଆଣାରେ ମେଣ୍ଟ କରି ଏଠାରେ ସରକାର ଗଢ଼ିବାକୁ ଯାଉଛି।
ଆଜି ମନହୋର ଲାଲ ଖଟ୍ଟର ହରିଆଣା ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି କରିବେ। ବୋଧହୁଏ ମନୋହର ଲାଲ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଦୀପାବଳି ପରେ ଅନ୍ୟ ମନ୍ତ୍ରୀ ମାନେ ଶପଥ ନେବେ ବୋଲି ସୂଚନା ରହିଛି।
from Odisha Reporter https://ift.tt/36apCBt
No comments:
Post a Comment