ନୂଆଦିଲ୍ଲୀ: ଦେଶରେ ପ୍ରଦୂଷଣ ଏକ ବଡ଼ ସମସ୍ୟା ପାଲଟିଛି। ଯାହାକୁ ନେଇ ଏବେ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏବେ ପ୍ରଦୂଷଣର ମାତ୍ରା କମାଇବା ପାଇଁ ଜଣେ ଆଇଆଇଟି ଗ୍ରାଜୁଏଟ ଏକ ଯନ୍ତ୍ର ଆବିଷ୍କାର କରିଛନ୍ତି। ଯେଉଁ ଯନ୍ତ୍ରକୁ ଗାଡିର ସାଇଲେନସର ପାଇପରେ ଲଗାଇଲେ ପ୍ରଦୂଷଣକୁ କମାଇ ଦେବ ବୋଲି ସେ ଦାବି କରିଛନ୍ତି। ଖାଲି ଏତିକି ନୁହଁ ଗୋଟିଏ ଗାଡିରେ ଏହି ଯନ୍ତ୍ର ଲାଗିଲେ ପାଖରେ ଥିବା ୧୦ଟି ଗାଡ଼ିରୁ ବାହାରୁଥିବା ପ୍ରଦୂଷଣକୁ ମଧ୍ୟ ଏହି ଯନ୍ତ୍ର ଶୋଷିନେବ ବୋଲି ସେ ଦାବି କରିଛନ୍ତି।
ଖଡ଼ପୁର ଆଇଆଇଟିର ଛାତ୍ର ଦେବାୟନ ଶାହ ଏହି ଯନ୍ତ୍ରର ଆବିଷ୍କାର କରିଛନ୍ତି। ଯାହାର ନାମ ସେ ପିଏମ ୨.୫ ରଖିଛନ୍ତି। ଗାଡ଼ିର ସାଇଲେସନର ପାଇପରେ ଏହି ପିଏମ ୨.୫କୁ ଖଞ୍ଜାଯିବ। ଗାଡି ଷ୍ଟାର୍ଟ ହେବା ମାତ୍ରେ ଗାଡ଼ିରୁ ବାହାରୁଥିବା ପ୍ରଦୂଷଣକୁ ଏହି ଯନ୍ତ୍ର ଶୋଷି ନେବ। ସମସ୍ତ ପ୍ରଦୂଷଣ ଏକାଠି ହେବା ପରେ ଏକ ମାଟି ଖଣ୍ଡ ଭଳି ଧାରଣ କରିବ। ପରେ ଏହା ତଳକୁ ଖସି ପଡ଼ିବ ବୋଲି ଦେବାୟନ କହିଛନ୍ତି।
ଆଗାମୀ ଦିନରେ ଏହି ଯନ୍ତ୍ରାଂଶକୁ ବିକ୍ରି କରିବା ପାଇଁ ଦେବାୟନ ଯୋଜନା କରିଛନ୍ତି। ଏଥିପାଇଁ ବିଭିନ୍ନ ସଂସ୍ଥା ସହ କଥାବାର୍ତ୍ତା ଚାଲିଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ସବୁଠୁ ଅଧିକ ରହିଛି। ପଡ଼ୋଶୀ ପଞ୍ଚାବ ଏବଂ ହରିଆନାରେ ଧାନର ଅଗାଡି ବହୁ ମାତ୍ରାରେ ପୋଡି ଦିଆଯାଇଥିବାରୁ ପ୍ରଦୂଷଣର ମାତ୍ରା ବଢ଼ି ଯାଇଛି। ନିକଟରେ ସ୍ଥିତି ଏମିତି ହୋଇଯାଇଥିଲା ଯେ ବାୟୁମଣ୍ଡଳରେ ଏକ କଳା ଚାଦାର ଘୋଡ଼େଇ ହୋଇ ରହିଲା ଭଳି ଦେଖିବାକୁ ମିଳିଥିଲା। ପ୍ରତିବର୍ଷ ଅକ୍ଚୋବର ୧୫ରୁ ନଭେମ୍ୱର ୧୫ ମଧ୍ୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅଧିକ ରହିଥାଏ।
from Odisha Reporter https://ift.tt/2nRL9xz
No comments:
Post a Comment