ଫୁଲବାଣୀ (ତ୍ରିନାଥ ସାହୁ): ଦିନକୁ ଦିନ ଉଚ୍ଚ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିଭଳି ସରକାରୀ କିମ୍ବା ବେସରକାରୀ ଚାକିରି ଖଣ୍ଡେ ହାତେଇବେ ସେ ନେଇ ପ୍ରାୟ ସମସ୍ତେ ପ୍ରାଣପଣେ ଚେଷ୍ଟା କରୁଛନ୍ତି। କିନ୍ତୁ ସୁଯୋଗ ଥିଲେ ବି ସ୍ଵାବଲମ୍ୱୀ ହେବାକୁ ସେମାନେ କୁଣ୍ଠାବୋଧ କରୁଛନ୍ତି। ଆଉ ଚାଷବାସ କଥା ନ କହିବା ଭଲ। ଏପରି ସ୍ଥଳେ ଜଣେ ଶିକ୍ଷିତ ଆଦିବାସୀ ମହିଳା ସଫଳ ଚାଷୀ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତାହା ପୁଣି କନ୍ଧମାଳ ଭଳି ଏକ ଜଙ୍ଗଲ ପାହାଡ଼ ଘେରା ଜିଲ୍ଲାରେ। କିଛି ଅବ୍ୟବହୃତ ଜମିକୁ ସେ ଆଦର୍ଶ ବଗିଚାରେ ପରିଣତ କରିପାରିଛନ୍ତି ଓ ଏଥିରୁ ଭଲ ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହରର ଗାୟତ୍ରୀ ପ୍ରଧାନ।
ସ୍ନାତକ ଡିଗ୍ରୀ ହାସଲ କରିଥିବା ଗାୟତ୍ରୀଙ୍କ ସ୍ୱାମୀ ଜଣେ ଶିକ୍ଷକ। ତାଙ୍କର ଗୋଟେ ପୁଅ ମଧ୍ୟ ଅଛି। ତାଙ୍କ ସହିତ ତାଙ୍କ ବାପାମା’ ବି ରହୁଛନ୍ତି। ୩ ବର୍ଷ ପୂର୍ବରୁ ଗାୟତ୍ରୀ ଜଣେ ଗୃହିଣୀ ଥିଲେ। ଜମିରେ ଯାଇ କେବେ ଚାଷ କାମ କରି ନଥିଲେ। ତେବେ ଘର କାମ ସରିଲା ପରେ ସେ ଆଉ କିଛି କରିବା ପାଇଁ ଚିନ୍ତା କରିଥିଲେ। ତେଣୁ ସେ ତାଙ୍କ ଅଜାଙ୍କ ନାମରେ ସୁଡୁଲି ଗାଁରେ ଥିବା ପ୍ରାୟ ୫ ଏକର ଜମିରେ ଚାଷ କାର୍ଯ୍ୟ କରିବା ପାଇଁ ମନସ୍ଥ କରିଥିଲେ। ଆଉ ତାଙ୍କ ଅଜା ତାଙ୍କ କଥାରେ ରାଜି ହେବା ପରେ ୩ ବର୍ଷ ପୂର୍ବେ ସେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ସେ କନ୍ଧମାଳ ଜିଲ୍ଲା ପ୍ରଶାସନର ସ୍ଵତନ୍ତ୍ର ଯୋଜନା “ମିଶନ ୧୭୧” ରେ ସାମିଲ ହୋଇ ସେହି ୫ ଏକର ଜମିରେ ୮୦୦ ଆମ୍ବ ଗଛ ଲଗାଇଛନ୍ତି। ଏହା ସହିତ ସେ ଅନ୍ୟାନ୍ୟ ଫଳ ଓ ପନିପରିବା ଚାଷ କରି ବେଶ୍ ଭଲ ରୋଜଗାର କରୁଛନ୍ତି।
ଗାୟତ୍ରୀ ପ୍ରଧାନ କହିଛନ୍ତି, “ଯେଉଁ ଜାଗାରେ ମୁଁ ଚାଷ କରୁଛି, ସେଠାରେ ପୂର୍ବରୁ ଗୋରୁ ଚରୁଥିଲେ। ମୁଁ ପ୍ରଥମେ ଉଦ୍ୟାନ କୃଷି ଅଫିସ୍କୁ ଯାଇ ବୁଝାବୁଝି କରିଥିଲି। ସେମାନେ ୫ ଏକର ଜମି ପାଇଁ ୮୦୦ ଆମ୍ୱ ଗଛ ଦେଉଥିବା ଜାଣିଲି। ଏହାପରେ ସେଠାରୁ ଆମ୍ବ ଗଛ ଆଣି ଲଗାଇଲି। ଆମ୍ୱଗଛ ଲଗାଇବା ସହ ପନିପରିବା ଚାଷ କଲି। ପନିପରିବା ଚାଷ ସହ ଧାନ ଚାଷ ମଧ୍ୟ କରିଛି। ପ୍ରତିବର୍ଷ ୩ ରୁ ୪ ଲକ୍ଷ ଟଙ୍କା ଆୟ ହେଉଛି। ଚାଷ କାମ ପ୍ରତି ମୋର ଆଗ୍ରହ ଥିଲା। ସୁବିଧା ମିଳିବାରୁ ଏହି କାମ ଆରମ୍ଭ କଲି।”
କନ୍ଧମାଳ ଜିଲ୍ଲା ଉଦ୍ୟାନ ବିଭାଗର ଉପ-ନିର୍ଦ୍ଦେଶକ ମନୋଜ କୁମାର ଦାସ କହିଛନ୍ତି, “ ଗାୟତ୍ରୀ ପ୍ରଧାନ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଆଦିବାସୀ ମହିଳା। ସେ ଚାକିରି ପଛେ ନଗୋଡ଼ାଇ ସୁଡ଼ୁଲି ଗାଁରେ ସେ ଏକ ଆଦର୍ଶ ବଗିଚା କରିଛନ୍ତି। ତାଙ୍କର ୫ ଏକର ଜମିରେ ଏମ୍ଜିଏନ୍ଆରଜିଏସ୍ ଯୋଜନା ମାଧ୍ୟମରେ ତାର ବାଡ଼ ସହିତ ଆଠଶହ ଆମ୍ୱଗଛ ଲଗାଇଛନ୍ତି। ତା’ ଭିତରେ ସେ ନ୍ୟାସନାଲ ହର୍ଟିକଲ୍ଚର୍ ମାଧ୍ୟମରେ ପରିବା ଚାଷ ବି କରିଛନ୍ତି। ତାଙ୍କୁ ଗୋଟିଏ ପାୱାର ଟିଲର୍ ଦିଆଯାଇଛି। ସେ ମିଶନ ୧୭୧ ମାଧ୍ୟମରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।”
from Odisha Reporter https://ift.tt/2OIqiaV
No comments:
Post a Comment