କୋରାପୁଟ(ସୂର୍ଯ୍ୟ ପଣ୍ଡା): ୨ ବର୍ଷ ପୂର୍ବେ ଆରପାରିକୁ ଚାଲି ଯାଇଥିଲେ ବାପା। କଷ୍ଟେମଷ୍ଟେ ୩ ପିଲାଙ୍କ ମୁହଁରେ ମୁଠେ ଦାନା ଦେଉଥିବା ମା’ ବି ୨ ଦିନ ପୂର୍ବେ ଆଖି ବୁଜିଦେଲେ। ମା’କୁ ହରାଇ ଅନାଥ ହୋଇ ପଡ଼ିଥିବା ୩ ଛୋଟ ଛୋଟ ଛୁଆଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ୨ ଦିନ ହେଲାଣି ମୁଠେ ଖାଇବାକୁ ବି ପାଇ ନାହାନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ବଦଳିକୁଡୁମ ଗାଁରେ ଘଟିଥିବା ଏପରି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସେମାନଙ୍କ ନିକଟରେ ପହଞ୍ଚିଛି ପ୍ରଶାସନ। ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ପିଲାମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି।
ବ୍ଲକ୍ ତରଫରୁ ଜିଆର୍ଏସ୍ ପିଇଓ ଏବଂ ଅଙ୍ଗନବାଡ଼ି କର୍ମୀ ଗାଁକୁ ଯାଇ ପିଲାଙ୍କୁ ରେଡକ୍ରସରୁ ୧୦ ହଜାର ଟଙ୍କା,୨୦ କେଜି ଚାଉଳ ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିସହ ମା’ଙ୍କ ଦଶାହ ଯାଏ ପିଲାମାନଙ୍କୁ ଅଙ୍ଗନବାଡ଼ି କର୍ମୀ ରନ୍ଧା ଖାଦ୍ୟ ଦେବେ ବୋଲି ବିଡିଓ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ମାଆକୁ ହରାଇ ଗତ ବୁଧବାରଠାରୁ ୧୦ ବର୍ଷର ଝିଅ ଭଗବତୀ, ୫ ବର୍ଷର ପୁଅ ଲକ୍ଷ୍ମଣ ଓ ଦୁଇ ବର୍ଷର ପୁଅ ଲଳିତ ଉପବାସରେ ରହିଥିଲେ। ସେମାନଙ୍କ ବାପା ଭାସ୍କର ନାଏକଙ୍କର ୨ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା ବେଳେ ଗତ ବୁଧବାର ମା’ ଦେବକୀ ନାଏକଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଦେବକୀ ଦୁଃଖ କଷ୍ଟରେ ଜଙ୍ଗଲରୁ କାଠ ସଂଗ୍ରହ କରି ଓ ମୁଲମଜୁରୀ ଲାଗି ୪ ପ୍ରାଣୀ କୁଟୁମ୍ୱ ଚଳାଉ ଥିଲେ। ଏବେ ଦେବକୀଙ୍କ ମୃତ୍ୟୁ ପରେ ପିଲାମାନେ ଅନାଥ ହୋଇ ଯାଇଛନ୍ତି। ସେମାନଙ୍କ ଥଇଥାନ ଲାଗି ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
from Odisha Reporter https://ift.tt/323uDsk
No comments:
Post a Comment