ଭଞ୍ଜନଗର(ରାଜେଶ କୁମାର ପଣ୍ଡା): କୁନି କୁନି କୋମଳମତି ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କିଛି କିଛି ସ୍ଥାନରେ ଏବେବି ସୁଫଳ ପାଇ ପାରୁ ନାହାନ୍ତି ଲୋକେ। କେଉଁଠି ନିଜସ୍ୱ କୋଠା ନାହିଁ ତ ଆଉ କେଉଁଠି ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଆଉ କେତେକ ସ୍ଥାନରେ ଅଙ୍ଗନବାଡ଼ି ନିଜସ୍ୱ ଗୃହ ଥାଇ ମଧ୍ୟ ପିଲାମାନେ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ଏଭଳି ଅଙ୍ଗନବାଡ଼ି କେନ୍ଦ୍ର ରହିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ୍ର ମୁଜାଗଡ଼ରେ।
ଏହି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ରହିଛି। ଦୁଇ ବର୍ଷ ତଳେ ଗୃହଟି ନିର୍ମାଣ ହୋଇଛି। ପିଲାମାନେ ଏହି ଗୃହରେ ବସି ପାଠ ପଢ଼ୁଥିଲେ। ହେଲେ ବିଲ୍ ପାସ୍ ହୋଇ ନ ଥିବାର ଠିକାଦାର ଅଙ୍ଗନବାଡ଼ି କେନ୍ଦ୍ରକୁ ଚାବି ପକାଇ ଚାବି ନେଇ ପଳାଇଛି।
ଠିକାଦାର ଚାବି ନେଇଯିବା ଦିନଠୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପିଲାମାନେ। ଶ୍ରେଣୀ ଗୃହ ନ ଥିବାରୁ ଖରାବର୍ଷାରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଫଳରେ ବିଭିନ୍ନ ରୋଗରେ ଶିକାର ହେଉଛନ୍ତି। ଏହାସହ ସରୀସୃପ ମଧ୍ୟ ଭୟ ରହୁଛି। ଶୀଘ୍ର ଅଙ୍ଗନବାଡି କେନ୍ଦ୍ର ଚାବି ଦେବା ପାଇଁ ଅଭି ଭାବକମାନେ ଦାବି କରିଛନ୍ତି।
ଏ ନେଇ ଦୁଇ ବର୍ଷ ହେବ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡ଼ିଓ ଏବଂ ଉପ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ଅଭିଭାବକ ମିନତୀ ନାୟକ କହିଛନ୍ତି, “ପିଲାମାନେ ବାରାଣ୍ଡାରେ ବସି ପାଠ ପଢ଼ୁଛନ୍ତି। ବର୍ଷା ହେଲେ ଓଦା ହେଉଛନ୍ତି, ଜର ଥଣ୍ଡାରେ ପଡ଼ୁଛନ୍ତି। ଶୀଘ୍ର ଠିକାଦାର ଚାବି ଦେଲେ,ଆମ ପିଲାମାନେ ଭଲରେ ପାଠପଢ଼ିବେ।”
ସ୍ଥାନୀୟ ସରପଞ୍ଚ ଶିବଶଙ୍କର ପ୍ରଧାନ କହିଛନ୍ତି, “ଦୁଇ ବର୍ଷ ହେବ ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ହୋଇ ଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚାବି ହସ୍ତାନ୍ତର କରାଯାଇନାହିଁ। ଏନେଇ ବ୍ଲକ୍ ଉନ୍ନୟ ଅଧିକାରୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ହେଲେ କୌଣସି ସୁଫଳ ମିଳୁନାହିଁ।
ଭଞ୍ଜନଗର ବିଡିଓ ଅନୀଲ କୁମାର ସେଠୀ କହିଛନ୍ତି, “ଭଞ୍ଜନଗର ବ୍ଲକରେ ୩୬ଟି ଅଙ୍ଗନଓ୍ୱାଡି କେନ୍ଦ୍ରର ଚାବି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ବାକି ଥିବା ଅନ୍ୟ ଅଙ୍ଗନବାଡି କେନ୍ଦ୍ରର ଚାବି ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ପାଇଁ ଠିକାଦାରଙ୍କୁ କୁହାଯାଇଛି।”
from Odisha Reporter https://ift.tt/2IS8Ey3
No comments:
Post a Comment