ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ସର୍ଗିଗୁଡ଼ା ଗାଁର ଚମ୍ପା କାଲାକୁରା। ବୟସ ୨୪ ହେବ। ଦୀର୍ଘ ୧୩ ବର୍ଷ ହେଲା ଅଜଣା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି। ପରିବାର ଲୋକେ ବିଭିନ୍ନ ଆଡ଼େ ଚିକିତ୍ସା କରାଇବା ସତ୍ତ୍ୱେ ମିଳୁନି ସୁଫଳ। ଶେଷରେ ଯନ୍ତ୍ରଣା ଜର୍ଜରିତ ଜୀବନରୁ ମୁକ୍ତି ପାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆକୁଳ ନିବେଦନ କରିଛନ୍ତି ଚମ୍ପା ।
ପୂରା ଘଟଣାଟି ଏହିପରି। ଚମ୍ପା ଜନ୍ମରୁ ସୁସ୍ଥ ଥିଲେ। ସବୁ ଠିକ୍ଠାକ୍ ଥିଲା। ସାଙ୍ଗସାଥୀଙ୍କ ସହ ଖେଳକୁଦ, ପାଠପଢ଼ା ମଧ୍ୟ ଚାଲିଥିଲା। ହେଲେ ଦଇବ ସାଧିଲା ଦାଉ । ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ହଠାତ୍ ତାଙ୍କ ହାତ ଓ ଗୋଡ଼ ଝିମା ମାରିଥିଲା। ଏହାପରଠାରୁ ସେ ଶଯ୍ୟାଶାୟୀ ହୋଇ ପଡ଼ିଲେ। ପରିବାର ଲୋକେ ଝିଅର ଏ ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଲେ।
ଯାହା କିଛି ଜମିବାଡ଼ି ଥିଲା ବିକି ଭାଙ୍ଗି ଝିଅର ଚିକିତ୍ସା କରାଇଲେ। ଡାକ୍ତରୀ ଚିକିତ୍ସାରେ ଝିଅ ଭଲ ନ ହେବାରୁ ଦେଶୀ ଚିକିତ୍ସା ମଧ୍ୟ କରାଇଲେ। ହେଲେ ସେଥିରୁ ମଧ୍ୟ ବି ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏବେ ଶୋଇବା, ଖାଇବା ,ଗାଧୋଇବା ଓ ଶୌଚ ହେବା ଭଳି ସବୁ କାମ ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି । ୧୩ ବର୍ଷ ହେବ ଅଜଣା ରୋଗର କଷ୍ଟ ସହି ଆସିଥିବା ଚମ୍ପାଙ୍କ ଲାଗି ଏବେ ଏହା ଅସହ୍ୟ ହେବାରୁ ସେ ଲୋଡ଼ିଛନ୍ତି ଇଚ୍ଛା ମୃତ୍ୟୁ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ଲାଗି ନିବେଦନ ଜଣାଇଛନ୍ତି।
ଏନେଇ ଚମ୍ପାଙ୍କ ବାପା ନରସିଙ୍ଗ କାଳକୁରା କହିଛନ୍ତି,“ ଝିଅ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଏହି ରୋଗ ବାହାରିଲା। ଆମ ସାହି ପଡ଼ିଶା କହିଲେ ଗଣ୍ଠିବାତ ହୋଇଛି । ତେଣୁ ଆମେ ଦେଶୀ ଚିକିତ୍ସା କଲୁ। ଡାକ୍ତରଖାନା ନେଇଥିଲୁ। ହେଲେ କିଛି ଲାଭ ହେଲା ନାହିଁ। ସରକାର ଟିକେ ସାହାଯ୍ୟ କଲେ ଝିଅ ଭଲ ହୋଇପାରନ୍ତା ବୋଲି ଭାବୁଛି।”
ଚମ୍ପାଙ୍କ ସମ୍ପର୍କୀୟ ଭାଇ ଭାସ୍କର କାଳକୁରା କହିଛନ୍ତି,“ ଚମ୍ପାକୁ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ତା ’ରୋଗ ଠିକ୍ ହେଲା ନାହିଁ। ସେ ଏବେ ବିକଳାଙ୍ଗ ଅବସ୍ଥାରେ ପଡ଼ିଛି। ସରକାର ଯଦି କିଛି ସହାୟତା ଦେଲେ ଭଲ ହେବ।”
from Odisha Reporter https://ift.tt/2OWFHVi
No comments:
Post a Comment